୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର: ବକେୟା ଗାଡ଼ି ଟିକସ ଛାଡ଼

Bartanews

୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହର: ବକେୟା ଗାଡ଼ି ଟିକସ ଛାଡ଼

ଭୁବନେଶ୍ବର: ଯେଉଁ ଗାଡ଼ି ମାଲିକମାନେ ଦୀର୍ଘ ବର୍ଷ ଧରି ମୋଟର ଯାନ ଟିକସ ଦେଇପାରୁନଥିଲେ ସେମାନଙ୍କ ପାଇଁ ଖୁସି ଖବର। ଯଦି ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରିବେ ତେବେ ଗାଡ଼ି ଉପରେ ଲାଗିଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଏହାବାଦ୍ ଯଦି କୌଣସି ଗାଡ଼ି ମାଲିକ ପୁରୁଣା ଗାଡ଼ିକୁ ଚଲାଇବାକୁ ଚାହୁଁଥିବେ ତେବେ ତାଙ୍କୁ ପୂରା ଟିକସ କି ଟିକସ ଉପରେ ଲାଗିଥିବା ଜରିମାନା ଦେବାକୁ ପଡ଼ିବନି। କେବଳ ଗାଡ଼ିର ବୟସ ଅନୁଯାୟୀ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଅଳ୍ପ କିଛି ଟିକସ ଦେବାକୁ ପଡ଼ିବ। ସେହିପରି ଯେଉଁ ଗାଡ଼ିମାଲିକମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ ରିହାତି ହାରରେ ଟିକସ ଜମା କରିପାରିବେ। ବାଣିଜ୍ୟ ଓ ପରିବହନ ବିଭାଗର ଏହି ପ୍ରସ୍ତାବ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ମୋହର ମାରିଛି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୫୦ହଜାରରୁ ଊର୍ଦ୍ଧ୍ବ ଗାଡ଼ି ମାଲିକ ଉପକୃତ ହେବେ। ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଯେଉଁମାନେ ଗାଡ଼ି ଟିକସ ଠିକ୍ ସମୟରେ ଦେଉନାହାନ୍ତି ସେମାନଙ୍କ ଠାରୁ ୧୫ଦିନ ପର୍ଯ୍ୟନ୍ତ କୌଣସି ଜରିମାନା ଆଦାୟ କରାଯାଉନି। ୧୬ଦିନ ହେଲେ ଟିକସ ଉପରେ ୨୫%, ୩୧ଦିନରେ ୫୦%, ୬୦ଦିନରେ ୧୦୦% ଏବଂ ୭୫ଦିନରେ ୨୦୦% ଜରିମାନା ଲାଗୁଛି। ଏହାଦ୍ବାରା ଗାଡ଼ି ମାଲିକଙ୍କ ଉପରେ ଶହ ଶହ କୋଟି ଟଙ୍କା ବକେୟା ଗଡ଼ୁଛି। ଟ୍ୟାକ୍ସ ରିକଭରି ନୋଟିସ୍ ଏବଂ ସ୍ବତନ୍ତ୍ର ଅଭିଯାନ ସତ୍ତ୍ବେ ୨୦୨୨ ମସିହାରେ କେବଳ ୪୬୬୮ଜଣ ଗାଡ଼ି ମାଲିକଙ୍କ ଠାରୁ ବକେୟା ଟିକସ ସଂଗ୍ରହ କରାଯାଇପାରିଛି। ଏପରିକି ବହୁସଂଖ୍ୟକ ଗାଡ଼ି ମାଲିକ ଟିକସ ଛାଡ଼ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କୋର୍ଟରେ ମାମଲା ପଡ଼ିରହିଥିବା ବେଳେ ରାଜ୍ୟ ସରକାର ବି ଟିକସ ପାଉନାହାନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏହି ଓଟିଏସ୍‌ ବା ଏକକାଳୀନ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହ ଗାଡ଼ି ମାଲିକମାନେ ଅଧିକ ଉପକୃତ ହେବେ।

୫୦ହଜାରରୁ ଅଧିକ ଗାଡ଼ି ମାଲିକ ଉପକୃତ ହେବେ
ପୁରୀ, ଭୁବନେଶ୍ବର, ଜଟଣୀରେ ଲିଜ୍‌ ଜମିର ସମାଧାନ
ନୂଆବର୍ଷରେ ସରକାରୀକରଣ ହେବ ବୋର୍ଡ ହାଇସ୍କୁଲ
ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ

ଆଜି ରାଜ୍ୟ କ୍ୟାବିନେଟ୍ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସମେତ ୧୦ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ଆଗତ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ, ୧୯୮୩ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ପୁରୀ ପୌରପାଳିକା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସପକ୍ଷରେ ଦେଇଥିବା ଲିଜ୍ ଜମି ଉପରେ ବର୍ତ୍ତମାନ ଭୋଗ ଦଖଲରେ ଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ ସପକ୍ଷରେ ସେହି ଜମିକୁ ସରକାରଙ୍କ ଠାରୁ ଲିଜ୍‌ ନେବେ। ଭୁବନେଶ୍ବର ତହସିଲ୍ ଓ ଜଟଣୀ ତହସିଲରେ ଘରଡିହ ଶୂନ୍ୟ ବ୍ୟକ୍ତିଙ୍କୁ ଦିଆଯାଇଥିବା ଲିଜ୍‌ ଜମିକୁ ବର୍ତ୍ତମାନ ଭୋଗ ଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ସପକ୍ଷରେ ସ୍ଥିତିବାନ ସ୍ବତ୍ବରେ ରେକର୍ଡ କରାଯିବ। ସହରାଞ୍ଚଳରେ ସରକାରୀ ଜମି ବନ୍ଦୋବସ୍ତ କରିବା ପାଇଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ରୁଲ୍‌ ୩(୩)ରେ ପ୍ରଦତ୍ତ ବାର୍ଷିକ ଆୟ ସୀମା ଯଥାକ୍ରମେ ୮୪୦୦ରୁ ୩ଲକ୍ଷ ଏବଂ ୩ଲକ୍ଷରୁ ୮ଲକ୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହାଦ୍ବାରା ପୁରୀ ପୌରପାଳିକା, ଭୁବନେଶ୍ବର ଓ ଜଟଣୀ ତହସିଲର ଦୀର୍ଘଦିନରୁ ପଡ଼ିରହିଥିବା ଲିଜ୍ ଜମିଗୁଡ଼ିକର ସ୍ଥାୟୀ ସମାଧାନରେ ସହାୟକ ହେବ। ସେହିପରି ରାଜ୍ୟର ପ୍ର‌ତ୍ୟେକ ଜିଲ୍ଲାରେ ଥିବା ନିମ୍ନ ଅଦାଲତଗୁଡ଼ିକରେ ସେରିସ୍ତଦାର ପଦବିଗୁଡ଼ିକୁ ରୂପାନ୍ତର କରି ‘ମୁଖ୍ୟ ପ୍ରଶାସନିକ ଅଧିକାରୀ’ ଶବ୍ଦ ବ୍ୟବହାର କରିବା ପାଇଁ ଓଡ଼ିଶା ସବ ଅର୍ଡିନେଟ୍ କୋର୍ଟ କର୍ମଚାରୀ (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତ) ନିୟମ, ୨୦୦୮କୁ ସଂଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବୋର୍ଡ ହାଇସ୍କୁଲକୁ ଆସନ୍ତା ଜାନୁଆରି ୧ରୁ ସରକାରୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ବିଦ୍ୟାଳୟର ଭିତ୍ତିଭୂମି ବିକାଶ ତଥା ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ହେବ।

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ସଂଶୋଧନ କରାଯାଇଛି। ଏହାଦ୍ବାରା ଯେଉଁ ଉଦ୍ୟୋଗଗୁଡ଼ିକ ଭାରତ ସରକାରଙ୍କ ଠାରୁ ପ୍ରୋତ୍ସାହନ ପାଉଛନ୍ତି ସେମାନେ ରାଜ୍ୟ ସରକାରଙ୍କ ଠାରୁ ବି ପ୍ରୋତ୍ସାହନ ପାଇପାରିବେ। ଅର୍ଥାତ୍ ଯଦି ରାଜ୍ୟ ନୀତିରେ ଅଧିକ ପ୍ରୋତ୍ସାହନ ମିଳୁଥିବ ତେବେ ଭାରତ ସରକାରଙ୍କ ପ୍ରୋତ୍ସାହନ ପାଇଥିବା ଉଦ୍ୟୋଗଗୁଡ଼ିକ ବଳକା ପରିମାଣର ଆର୍ଥିକ ଲାଭ ରାଜ୍ୟ ସରକାରଙ୍କ ଠାରୁ ପାଇପାରିବେ। ପ୍ରୋତ୍ସାହନ ପାଇଁ ଆବେଦନ ଦାଖଲ କରିବାର ସମୟ ୯୦ଦିନକୁ ବୃଦ୍ଧି କରାଯାଇଛି। ପ୍ୟ‌ାକେଜ୍ ପିଇବା ପାଣି କ୍ଷେତ୍ରରେ ବୃହତ ପୁଞ୍ଜି ବିନିଯୋଗ (୧କୋଟି ବା ଏଥିରୁ ଅଧିକ) ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି। ଏହାବାଦ୍ ଓଡ଼ିଶା ସାମାଜିକ ସୁରକ୍ଷା ସେବା ବର୍ଗର ପୁନର୍ଗଠନ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି।

Leave a Comment