ପୁନଶ୍ଚ ପୃଥିବୀ: ୨୦୧୧-୨୦୨୦ ସବୁଠୁ ଅଧିକ ଉତ୍ତପ୍ତ ଦଶନ୍ଧି

Bartanews

ପୁନଶ୍ଚ ପୃଥିବୀ: ୨୦୧୧-୨୦୨୦ ସବୁଠୁ ଅଧିକ ଉତ୍ତପ୍ତ ଦଶନ୍ଧି

ନୂଆଦିଲ୍ଲୀ: ୨୦୧୧-୨୦୨୦ ହେଉଛି ବିଶ୍ବର ସବୁଠୁ ଉତ୍ତପ୍ତ ଦଶନ୍ଧି। ବିଶ୍ବ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ମଙ୍ଗଳବାର ଏହା କୁହାଯାଇଛି। ୨୦୧୧-୨୦୨୦ ଦଶନ୍ଧିରେ ବିଶ୍ବର ହାରାହାରି ତାପମାତ୍ରା ପ୍ରାକ୍ ଶିଳ୍ପାୟନ ସମୟର ହାରାହାରି ତାପମାତ୍ରା ତୁଳନାରେ ୧.୧୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଅଧିକ ରହିଛି। ୧୯୯୦ ଦଶକରୁ ପ୍ରତ୍ୟେକ ଦଶନ୍ଧିରେ ତାପମାତ୍ରା ନିରନ୍ତର ଭାବେ ପୂର୍ବ ଦଶନ୍ଧି ତୁଳନାରେ ଅଧିକ ରହୁଛି।

୨୦୨୧-୨୦୨୦ ଦଶନ୍ଧିରେ ସବୁଠୁ ଉତ୍ତପ୍ତ ଓ ଆର୍ଦ୍ର ବର୍ଷ ଥିଲା ୨୦୧୬ ମସିହା। ଏଲ୍‌ ନିନୋର ମାତ୍ରାଧିକ ପ୍ରଭାବରୁ ଏହା ହୋଇଥିଲା। ୨୦୨୦ ମସିହା ମଧ୍ୟ ଏଲ୍‌ ନିନୋ ପାଇଁ ଅଧିକ ଉତ୍ତପ୍ତ ରହିଥିଲା। ଉଲ୍ଲେଖଯୋଗ୍ୟ ଉକ୍ତ ସଂଗଠନ ପୂର୍ବରୁ ଆକଳନ କରିଛି ଯେ ୨୦୨୩ ମସିହା ସବୁଠୁ ଉତ୍ତପ୍ତ ବର୍ଷ ହେବ। ସବୁଜ ଗୃହ
ଗ୍ୟାସର ଲଗାତାର ବୃଦ୍ଧି ଯୋଗୁ ଉଭୟ ସ୍ଥଳଭାବ ଏବଂ ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଛି। ଏଥିଯୋଗୁ ବରଫ ତରଳୁଛି ଏବଂ ସମୁଦ୍ର ସ୍ତର ବଢ଼ୁଛି ବୋଲି ରିପୋର୍ଟରେ କୁହାଯାଇଛି। ଗ୍ଲେସିୟର ବର୍ଷକୁ ପ୍ରାୟ ୧ ମିଟର ପତଳା ହେଉଛି। ଏହାର ପ୍ରଭାବ କୋଟି କୋଟି ଲୋକଙ୍କ ଜଳଯୋଗାଣ ଉପରେ ପଡ଼ିବ ବୋଲି ସତର୍କ କରାଇ ଦିଆଯାଇଛି। ୧୯୯୦ ଦଶକରୁ ତାପମାତ୍ରାରେ ଦେଖାଦେଉଥିବା ବୃଦ୍ଧି ନିକଟ ଭବିଷ୍ୟତରେ ପରିବର୍ତ୍ତନ ହେବାର ନାହିଁ ବୋଲି କୁହାଯାଇଛି। ବିଶ୍ବ ତାପନକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବାବେଳେ ପରିବେଶ ପ୍ରଦୂଷଣକୁ ହ୍ରାସ କରିବା ଲାଗି ବିଶ୍ବର ନେତୃବୃନ୍ଦ ଅଣ୍ଟା ଭିଡ଼ିଛନ୍ତି।

Leave a Comment