‘ମିଗଜୋମ୍‌’ ତାଣ୍ଡବ: କୋରାପୁଟ, ଗଜପତି ବେହାଲ

Bartanews

‘ମିଗଜୋମ୍‌’ ତାଣ୍ଡବ: କୋରାପୁଟ, ଗଜପତି ବେହାଲ

ଜୟପୁର/ପାରଳାଖେମୁଣ୍ଡି: ବାତ୍ୟା ‘ମିଗଜୋମ’ର ବିଶେଷ ପ୍ରଭାବ ଅବିଭକ୍ତ କୋରାପୁଟ ଓ ଗଜପତି ଜିଲ୍ଲାରେ ପଡ଼ିଛି। କୋରାପୁଟ ଜିଲ୍ଲାରେ ଆଜି ସଂଧ୍ୟା ୫ଟାରୁ ସୁଦ୍ଧା ୧୨ ଘଣ୍ଟା ମଧ୍ୟରେ ୧୭୩.୮ ମିମି ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲାରେ ଆଜି ସଂଧ୍ୟା ସୁଦ୍ଧା ୬୮ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ରାତିରୁ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହା ସହ ଆଜି ଅପରାହ୍ନ ଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିଛି। ପ୍ରାଥମିକ ଆକଳନରୁ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ସତ୍ତ୍ବେ ମାଲକାନଗିରି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ତେବେ ଖଇରପୁଟ ବ୍ଲକ୍‌ ସୀତାପୁର ଗାଁ ନିକଟରେ ତେନ୍ତୁଳିଗଛ ପଡ଼ି କିଛି ଘଣ୍ଟା ପାଇଁ ରାସ୍ତା ଅବରୋଧ ହୋଇଥିଲା। ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ପାଖାପାଖି ୫୦ହଜାର ହେକ୍ଟର ଜମିରେ ଧାନ କଟା ହୋଇନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଆଜି ଅପରାହ୍ନରୁ ବର୍ଷା ପରିମାଣ ବଢ଼ିଥିବାରୁ ଜମିରେ ପାଣି ଜମି ରହିବା ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପଡ଼ିଆ ବ୍ଲକର ୪ହଜାର ଚାଷୀଙ୍କ ମଧ୍ୟରୁ ମାତ୍ର ୩୦ଜଣ ଚାଷୀଙ୍କୁ ଫସଲକୁ ସୁରକ୍ଷିତ ରଖିବାକୁ ପ୍ରଶାସନ ପକ୍ଷରୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅ‌ସନ୍ତୋଷ ପ୍ରକାଶ ପାଇଛି। ଦକ୍ଷିଣାଞ୍ଚଳ ଆରଡିସି ଟିଏ ଆଓ ଆଜି ମାଲକାନଗିରି ଗସ୍ତ କରି ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି। କିଛି ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରି ଜରୁରୀ ସୁବିଧା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖି ମାଥିଲି, ମୋଟୁ ଏବଂ ପଡିଆରେ ଗୋଟିଏ ଲେଖାଏଁ ଓଡ୍ରାଫ୍‌ ଟିମ୍‌କୁ ନିୟୋଜିତ କରିଛି। ଅଗ୍ନିଶମ ବିଭାଗର ୮ଟି ଟିମ୍‌ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସଂଧ୍ୟାରେ ନବରଙ୍ଗପୁର ଜିଲ୍ଲାର କିଛି ବ୍ଲକ୍‌ରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳୁ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। ବାତ୍ୟା ସ୍ଥଳଭାଗ ମୁହାଁ ହେବାପରେ କୋରାପୁଟ ଜିଲ୍ଲାରେ ପ୍ରଥମେ ପ୍ରଭାବ ଦେଖିବାକୁ ମିଳିଥିଲା। ଆଜି ଲ୍ୟାଣ୍ଡଫଲ୍‌ ପରେ ପ୍ରଭାବ ବଢ଼ିଥିବା ଦେଖିବାକୁ ମିଳିଛି। ତୁହାକୁ ତୁହା ବର୍ଷା ଯୋଗୁଁ ଜିଲ୍ଲାରେ ୩୦ପ୍ରତିଶତ ମାଣ୍ଡିଆ ସହ ଅଳସୀ ଚାଷ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ ହୋଇଛି। ମାନବାର ଷ୍ଟେସନ ନିକ‌ଟରେ ଭୂସ୍ଖଳନର ସମ୍ଭାବନା ରହିଥିବାରୁ ଦୁଇଟି ‌ଟ୍ରେନ୍‌କୁ ସଂପୂର୍ଣ୍ଣ ବାତିଲ କରାଯିବା ସହ ଗୋଟିଏ ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି। କୋରାପୁଟ-କୋତାୱାଲସା ରେଳପଥର ଆରକୁ-କୋତାୱାଲସା ଷ୍ଟେସନ ମଧ୍ୟରେ ପଥର ପଡ଼ିବାରୁ ୪ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ଉଦ୍ଧାରକାରୀ ଟ୍ରେନ୍‌କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। କୋରାପୁଟରେ ବର୍ଷା ଯୋଗୁଁ ଧାନ ସହ ପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଅଧିକାଂଶ ସ୍ଥାନରେ ପ୍ରଶାସନ ପକ୍ଷରୁ ପ୍ରଚାର ମାଧ୍ୟମରେ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଫସଲକୁ ସୁରକ୍ଷା ନିମନ୍ତେ କୌଣସି ପ୍ରକାର ସହାୟତା ମିଳିନଥିବା ଅଭିଯୋଗ ହୋଇଛି।

ସେହି ଭଳି ଆଜି ସନ୍ଧ୍ୟା ସୁଦ୍ଧା ଗଜପତି ଜିଲ୍ଲାରେ ୬୮ମିମି. ବର୍ଷା ରେକର୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା କାଲି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କାଶୀନଗର ଓ ଗୋଷାଣୀ ସମେତ ପାରଳା ସହରର ଚାଷୀମାନେ ତରବରିଆ ଭାବେ ଧାନ କଟା ଓ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୧୦ ହଜାର ହେକ୍ଟର ଜମିରୁ ଧାନ କଟାଯାଇଛି। ତେବେ, ସମ୍ବଳ ଅଭାବ ହେତୁ କଟା ଧାନକୁ ବହୁଚାଷୀ ବିଲରେ ହିଁ ଧାନ କଳେଇ ଛାଡ଼ି ଦେଇଛନ୍ତି ବୋଲି କେରାଣ୍ଡି ଅଞ୍ଚଳର ଚାଷୀ ନିରଞ୍ଜନ ବାରିକ, ରବି ବରାଡ଼, ଗଙ୍ଗାଧର ବରାଡ଼, ମନୋରଞ୍ଜନ ପରିଡ଼ା ପ୍ରମୁଖ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଚାଷୀଙ୍କୁ ଖଣ୍ଡିଏ ପାଲ କିମ୍ବା ପଞ୍ଚାୟତସ୍ତରରେ ଗୋଦାମ କରି ଅମଳ ଧାନ ରଖାଇଥିଲେ ଭଲ ହୁଅନ୍ତା ବୋଲି ସେମାନେ କହିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ମୁକାବିଲା ବ୍ୟବସ୍ଥା ସରିଥିବା ବେଳେ ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟ କର୍ମଚାରୀ ସତର୍କ ରହିଛନ୍ତି। ଏହାଛଡ଼ା ଜିଲ୍ଲାର ସମସ୍ତ ଭୁସ୍ଖଳନ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ପାହାଡ଼ିଆ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ରଖା ଯାଇଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି।

Leave a Comment