ରାୟଗଡ଼ାରେ ମହାବଳ ଆତଙ୍କ: ବାଘକୁ ଠାବ ନେଇ ବନ ବିଭାଗ ନାକେଦମ୍

Bartanews

ରାୟଗଡ଼ାରେ ମହାବଳ ଆତଙ୍କ: ବାଘକୁ ଠାବ ନେଇ ବନ ବିଭାଗ ନାକେଦମ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମହାବଳ ବାଘର ଆତଙ୍କ ଏବେ ବି କମି ନାହିଁ। ଏବେ ବି ବାଘ ଚନ୍ଦ୍ରପୁର ଏବଂ ସିରିଗୁଡ଼ା ଅଂଚଳରେ ବାଘ ବୁଲୁଛି। ପ୍ରତି ତିନି/ଚାରି ଦିନରେ ଗାଈ କିମ୍ବା ମଇଁଷିକୁ ଟାର୍ଗେଟ କରୁଛି। ଏବେ ବି ସୀମାନ୍ତ ହାକୁଆପୁଙ୍ଗା ଓ ମେରିଆପୁଙ୍ଗା ଅଂଚଳରେ ବାଘ ରହିଥିବା ବନ ବିଭାଗ ଆଶଂକା କରୁଛି। ରାୟଗଡ ଜିଲ୍ଲାର ସୀମାନ୍ତ ଜଂଗଲରେ ହିଁ ବାଘ ବୁଲୁଛି। ରାୟଗଡା ଜିଲ୍ଲା ଛାଡି ନଥିବା କୁହାଯାଉଛି। ଏହି ଅଂଚଳରେ ଥିବା ୨୦ରୁ ଊର୍ଦ୍ଧ୍ବ ପଡାକୁ ସତର୍କ କରିଦିଆଯାଇଛି। ବନ ବିଭାଗର ଦୁଇଟି ଟିମ ଏବେ ବାଘ ସନ୍ଧାନରେ ଘୁରି ବୁଲୁଛି।

ସିସିଟିଭି ବନ ବିଭାଗ ଲଗାଇଥିଲେ ମଧ୍ୟ ସେଥିରେ ବାଘ ନଜରକୁ ଆସୁନଥିବା ଜଣାପଡିଛି। ବାଘ ପ୍ରାୟ ଦିନକୁ ପନ୍ଦର କିଲୋମିଟର ବୁଲୁଥିବା ଅନୁମାନ କରାଯାଉଛି।ସୋମବାର ବନ ବିଭାଗ ଉପରୋକ୍ତ ଦୁଇଟି ଗ୍ରାମରେ ବାଘର ପାଦ ଚିହ୍ନ ଦେଖିଥିଲେ। ତେଣୁ ବାଘ ବର୍ତ୍ତମାନ ଏହି ଅଂଚଳରେ ବୁଲୁଥିବା ଅନୁମାନ କରାଯାଉଛି। ଦିନରେ ବାଘ ବୁଲୁନଥିବା ବେଳେ ରାତି ହେଲେ ବାଘ ଗାଁ ମୁହାଁ ହେଉଛି। ତେବେ ବାଘ ଗଜପତି ସୀମାନ୍ତ ଗ୍ରାମ ନିକଟରେ ବୁଲୁଥିବାରୁ ହୁଏତ ଗଜପତି ଅଂଚଳରେ ପଶି ପୁଣି ଫେରି ଆସୁଛି।ବାଘ ଏହି ଅଂଚଳରେ ବାଘୁଣୀର ସନ୍ଧାନରେ ଘୁରିବୁଲୁଛି ନା ଖାଦ୍ୟ ଅନ୍ବେଷଣରେ ବୁଲୁଛି ବନ ବିଭାଗ ଜାଣିପାରୁ ନାହାନ୍ତି।

ଆଜି ମଧ୍ୟ ବାଘକୁ ଠାବ କରିବା ପାଇଁ ଦୁଇଟି ଟିମ ଜଂଗଲରେ ପଶିଥିବା ଜଣାପଡିଛି। ଅତି ସତର୍କତାର ସହ ବନ ବିଭାଗର କର୍ମଚାରୀ ବାଘକୁ ଠାବ ପାଇଁ ଲାଗି ପଡିଥିଲେ ମଧ୍ୟ ସେମାନଙ୍କୁ ଗତ କିଛି ଦିନ ହେଲା ନାକେ ଦମ୍ ହେବାକୁ ପଡୁଥିବା ଜଣାପଡିଛି। କେବଳ ଜଣେ ମହିଳାଙ୍କୁ ବାଘକୁ ଆଜି ପର୍ଯ୍ୟନ୍ତ ଦେଖିଥିବାରୁ ବନ ବିଭାଗ ଏହାକୁ ଅଣ୍ଡିରା ମହାବଳ ବାଘ ବୋଲି କହୁଛି। ଗତ ଦୁଇ ଦିନ ତଳେ ଗୋଟିଏ ବାଛୁରୀକୁ ଟାର୍ଗେଟ କରିଥିଲେ ମଧ୍ୟ ତାକୁ ବାଘ ଖାଇପାରିନଥିବା ବନ ବିଭାଗ କହୁଛି। ବାଘକୁ ଆଜି ପର୍ଯ୍ୟନ୍ତ ନା ସିସିଟିଭିରେ ନଜର ଆସିଲା ନା ବନ ବିଭାଗର କର୍ମଚାରୀ ଏହା କେଉଁ ପ୍ରକାରର ବାଘ ଜାଣିପାରିଲେ, କେବଳ ଅନ୍ଧାରରେ ହିଁ ବନ ବିଭାଗ ବାଡି ବୁଲାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାତିସାରା ସୀମାନ୍ତ ଗ୍ରାମର ଲୋକେ ଆତଙ୍କିତ ହୋଇ ରହିଛନ୍ତି। କୌଣସି ଲୋକଙ୍କୁ ଆଜି ପର୍ଯ୍ୟନ୍ତ ଟାର୍ଗେଟ କରିନଥିବାରୁ ବନ ବିଭାଗ ସୁରକ୍ଷିତ ସହ ବାଘକୁ ଜିଲ୍ଲାରୁ ବାହାରକୁ ନେବାକୁ ପ୍ରୟାସ ଜାରି ରଖିଛି।

Leave a Comment