‘ନନ୍‌-ଭେଜ୍‌’ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ

Bartanews

‘ନନ୍‌-ଭେଜ୍‌’ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ

ଜୟପୁର: ରାଜରାସ୍ତା କଡ଼ରେ ଥିବା ‘ନନ୍‌-ଭେଜ୍‌’ (ଆମିଷ) ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ଚର୍ଚ୍ଚାରେ ଥିବା ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ କହିଛନ୍ତି ଯେ ସେ ଯାହା କରିଛନ୍ତି ତାହା ଅଧିକାରୀଙ୍କୁ ଧମକ ନୁହେଁ।

ରାଜରାସ୍ତା କଡ଼ରେ ଥିବା ‘ନନ୍‌-ଭେଜ୍‌’ (ଆମିଷ) ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ଅଧିକାରୀମାନଙ୍କୁ ଧମକ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ସେ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏକ ଭିଡିଓରେ ସେ ଜଣେ ଅଧିକାରୀଙ୍କୁ ଫୋନ୍‌ କରି ରାସ୍ତା କଡ଼ରେ ଥିବା ସମସ୍ତ ନନ୍‌-ଭେଜ୍‌ ଖାଇବା ଦୋକାନ ବନ୍ଦ କରିବାକୁ କହୁଥିବା ଦେଖିବାକୁ ମିଳିଥିଲା।

ଏ ସଂପର୍କରେ ବିଧାୟକ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ କହିଛନ୍ତି ଯେ ମୁଁ ଧମକ ଦେଉ ନଥିଲି। ମୁଁ ସମସ୍ତ ଅଧିକାରୀଙ୍କୁ ଡାକିଥିଲି। ଜଣେ ଅଧିକାରୀ କହିଲେ ଯେ ପ୍ରତ୍ୟେକ ଦୋକାନ ବୈଧ। କିନ୍ତୁ ଯେତେବେଳେ ମୁଁ ଲାଇସେନ୍‌ସ ମାଗିଲି, ସେମାନଙ୍କ ପାଖରେ କୌଣସି ଉତ୍ତର ନଥିଲା ବୋଲି ଆଚାର୍ଯ୍ୟ କହିଛନ୍ତି।

ମନ୍ଦିର ନିକଟରେ ଅନେକ ଦୋକାନ ରହିଛି। ଲୋକମାନେ ମୋ ନିକଟରେ ଅଭିଯୋଗ କରିଥିଲେ ଏବଂ ମୁଁ ନିୟମିତ କରିବା କଥା କହୁଥିଲି ବୋଲି ସେ କହିଛନ୍ତି। ଏହାକୁ କେନ୍ଦ୍ର କରି କଂଗ୍ରେସ ପରିବେଶକୁ ଖରାପ କରିବାକୁ ଚେଷ୍ଟା କରୁଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି।

ଆଚାର୍ଯ୍ୟ ଏହି ଅଞ୍ଚଳର ଧ୍ରୁବୀକରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦଳର ଅଭିଯୋଗକୁ ନେଇ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ। ଗତ ୫ ବର୍ଷ ଧରି କଂଗ୍ରେସ ଅଧିକାରୀଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲା। ସେମାନେ ମହିଳାମାନଙ୍କୁ ସୁରକ୍ଷା ଦେଇପାରି ନଥିଲେ, ତେଣୁ କଂଗ୍ରେସ ସରକାର ଉଚ୍ଛେଦ ହୋଇଛି ବୋଲି ବିଜେପି ବିଧାୟକ କହିଛନ୍ତି।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଅଛନ୍ତି କି ବୋଲି ପଚରାଯିବାରୁ ଆଚାର୍ଯ୍ୟ କହିଛନ୍ତି, ମୁଁ ମୋ ଧାମରେ ଜଣେ ସାଧୁ ଏବଂ ତା’ପରେ ମୁଁ ଜଣେ ଦଳୀୟ କର୍ମକର୍ତ୍ତା। ଦଳ ଯାହା ନିଷ୍ପତ୍ତି ନେବ, ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କାମ କରିବୁ।

ନିକଟରେ ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ରାଜସ୍ଥାନର ହାୱା ମହଲ ବିଧାନସଭା ଆସନରୁ ବିଜେପି ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ କଂଗ୍ରେସ ପ୍ରାର୍ଥୀ ଆରଆର ତିୱାରୀଙ୍କୁ ୬୦୦ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି।

Leave a Comment