ଭାରତ ଦାବି କରିବ ୨୦୨୯ ବିଶ୍ବ ଦୌଡ଼କୁଦ

Bartanews

ଭାରତ ଦାବି କରିବ ୨୦୨୯ ବିଶ୍ବ ଦୌଡ଼କୁଦ

ନୂଆଦିଲ୍ଲୀ: ୨୦୨୯ ମସିହାର ବିଶ୍ବ ଦୌଡ଼କୁ୍ଦ ପ୍ରତିଯୋଗିତା ଆୟୋଜନ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ପ୍ରାଥମିକ ଅବସ୍ଥାରେ ଭାରତ ୨୦୨୭ ସଂସ୍କରଣ ପାଇଁ ଦାବି କରିବ ବୋଲି ଯୋଜନା କରୁଥିଲେ ମଧ୍ୟ ଏଥିରୁ ଓହରିଯାଇଛି। ‘ହଁ ଆମେ ୨୦୨୯ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାକୁ ଦାବି କରିବୁ’ ବୋଲି କହିଛନ୍ତି ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ)ର ଉପସଭାପତି ତଥା ପ୍ରଥମ ଭାରତୀୟ ବିଶ୍ବ ପଦକ ବିଜୟିନୀ ଅଞ୍ଜୁ ବବି ଜର୍ଜ। ଅମୃତସରରେ ଅନୁଷ୍ଠିତ ଏଏଫ୍‌ଆଇର ବାର୍ଷିକ ସାଧାରଣ ପରିଷଦ ବୈଠକ ଅବସରରେ ଅଞ୍ଜୁ ଏହା କହିଛନ୍ତି। ଏଥି ସହିତ ଭାରତ ମଧ୍ୟ ୨୦୨୬ ଅଲିମ୍ପିକ୍ସ ଓ ୨୦୩୦ ଯୁବ ଅଲିମ୍ପିକ୍ସ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛି ବୋଲି ସେ କହିଥିଲେ।

ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଦାବି କରିବାକୁ ଆନୁଷ୍ଠାନିକ ନିଲାମ ପ୍ରକ୍ରିୟାର ସମୟ ନିର୍ଘଣ୍ଟ କ’ଣ ରହିଛି ଏବେ ସ୍ପଷ୍ଟ ହୋଇନାହିଁ। ୨୦୨୭ ବିଶ୍ବ ଦୌଡ଼କୁଦ ପାଇଁ କିନ୍ତୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇ ସାରିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ବୁଦାପେଷ୍ଟରେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଖେଳାଯାଇଥିବା ବେଳେ ୨୦୨୫ ସଂସ୍କରଣ ଟୋକିଓରେ ଖେଳାଯିବ ବୋଲି ଧାର୍ଯ୍ୟ ରହିଛି। ‘‘୨୦୩୬ ଅଲିମ୍ପିକ୍ସ ଭାରତରେ କରାଯିବା ଯୋଜନା ଥିବାରୁ ଦୌଡ଼କୁଦରୁ ଭାରତ ଅନ୍ୟୁନ ୫/୬ ପଦକ ଜିତିବା ଆଶା କରୁଛି’’ ବୋଲି ଏଏଫ୍‌ଆଇ ଯୋଜନା ଆୟୋଗ ଅଧ୍ୟକ୍ଷ ଲଳିତ ଭାନୋଟ ପ୍ରକାଶ କରିଛନ୍ତି। ଏଥି ପାଇଁ ରଣନୀତି ଖସଡ଼ା ପ୍ରସ୍ତୁତ କରିବାକୁ ଭାନୋଟଙ୍କୁ ଦାୟିତ୍ବ ଦିଆଯାଇଛି।

Leave a Comment