ବିଧାୟକଙ୍କ ଦାବି… ଅଧୁରା ରହିଗଲା

Bartanews

ବିଧାୟକଙ୍କ ଦାବି… ଅଧୁରା ରହିଗଲା

ଭୁବନେଶ୍ବର: ଆମର ଦରମା, ଭତ୍ତା ବଢ଼ୁ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମ୍‌ଏଲ୍‌ଏ ଲାଡ୍‌) ପାଣ୍ଠି ୧୦ କୋଟି ହେଉ। ଅଫିସର୍‌ମାନେ ବୁକ୍ ସର୍କୁଲାର୍-୪୭ ମାନନ୍ତୁ। ଆବାସ ଯୋଜନାରେ ବିଧାୟକଙ୍କ କୋଟା ରହୁ। ୨୦୧୯ ନିର୍ବାଚନ ପର ଠାରୁ ଏହି ନିର୍ଦ୍ଦିଷ୍ଟ ଦାବିଗୁଡ଼ିକ ବାରମ୍ବାର ବିଧାନସଭାରେ ଉଠିଛି। ବିରୋଧୀ ଏସବୁ ପ୍ରସଙ୍ଗ ଉଠାଇଛନ୍ତି। ଶାସକ ଦଳର ବିଧାୟକ ସ୍ବର ମିଳାଇଛନ୍ତି। ଗୃହ ଉଠିଛି… ପଡ଼ିଛି। ଉଦାହରଣ ଓ କ୍ଷେତ୍ର ସ୍ତରର ବାସ୍ତବତାକୁ ଦେଖାଇ ଦାବିଗୁଡ଼ିକ ଯୁକ୍ତିଯୁକ୍ତ ବୋଲି ବିଧାୟକମାନେ ଗୋଟିଏ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ବିଚାର କରାଯାଉଛି ବୋଲି ଆଶ୍ବାସନା ଦେଇ ସରକାର ମଧ୍ୟ ଏସବୁ ଦାବିକୁ କେବେ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଷୋଡ଼ଶ ବିଧାନସଭାର ଅବଧି ସରି ସରି ଆସିଲାଣି। ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ୍‌ ଡାଉନ୍ ଆରମ୍ଭ ହୋଇଗଲାଣି। ପୂର୍ଣ୍ଣାଙ୍ଗ ବିଧାନସଭା ଅଧିବେଶନ ଆଉ ନାହିଁ। କେବଳ ଗୋଟିଏ କାମଚଳା ବଜେଟ୍‌ ସହିତ ବିଧାନସଭାର ଶେଷ ଅଧିବେଶନକୁ ଅପେକ୍ଷା। ବାସ୍ତବତା ହେଲା- ବିଧାୟକମାନଙ୍କ ଦାବିଗୁଡ଼ିକ କେବଳ ବିଧାନସଭାରେ ଲିପିବଦ୍ଧ ହୋଇ ରହିଗଲା। ଗଣମାଧ୍ୟମରେ ମଧ୍ୟ। ସରକାର ସମୟ ଗଡ଼ାଇ ଏସବୁକୁ ଏକରକମ ଟାଳି ଦେବାରେ ସକ୍ଷମ ହୋଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦାବିଗୁଡ଼ିକ ଉପରେ ବିଚାର ହେବାର ଆଉ ସମ୍ଭାବନା ନାହିଁ କହିଲେ ଚଳେ।

ବିଧାୟକମାନଙ୍କର ଯୁକ୍ତି ଥିଲା ଯେ ସେମାନଙ୍କୁ ଯେଉଁ ଦରମା ଓ ଭତ୍ତା ଦିଆଯାଉଛି, ତାହା ୨୦୧୭ ମସିହାରେ ଚୂଡ଼ାନ୍ତ ହୋଇଥିଲା। ଏହା ମଧ୍ୟରେ ଦରଦାମ ବହୁତ ବଢ଼ିଛି। ଗସ୍ତ ଖର୍ଚ୍ଚ ଯେତିକି ଦିଆଯାଉଛି, ତାହା ନିଅଣ୍ଟ ପଡ଼ୁଛି। ଦରଦାମ ଯାହା ହେଲାଣି ଆଉ ଲକ୍ଷେ ଟଙ୍କା ଅଣ୍ଟୁନି। ଥରେ ନିର୍ବାଚନମଣ୍ଡଳୀରେ ପୂରା ବୁଲିଆସିଲେ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଯାଉଛି। କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନାର ଉଦାରଣ ଦେଖାଇ ସେମାନେ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଯୁକ୍ତି କରିଥିଲେ। ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ ରାଶି ବଢ଼ାଇବାକୁ ମଧ୍ୟ ଦାବି ହୋଇଥିଲା। ବିଧାୟକମାନଙ୍କ ଦାବି ଉପରେ ବିଚାର ପାଇଁ ବାଚସ୍ପତି ଏକ କମିଟି ମଧ୍ୟ ଗଠନ କଲେ। କମିଟି ସେମାନଙ୍କ ଦରମା, ଭତ୍ତା ବଢ଼ାଇବା ପାଇଁ ସୁପାରିସ୍ କରିଥିଲା। କମିଟିର ସୁପାରିସ୍‌ ଉପରେ ବିଚାର କରିବାକୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ସରକାରଙ୍କୁ ବାଚସ୍ପତି କହିଥିଲେ। କିନ୍ତୁ ପ୍ରକ୍ରିୟା ସେଇଠି ଅଟକିଗଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏହି ପ୍ରସଙ୍ଗରେ ବିରୋଧୀ ଓ ଶାସକ ସମସ୍ତେ ଏକମତ ହୋଇଥିଲେ।

କମିଟି ସୁପାରିସ ସତ୍ତ୍ବେ ଦରମା, ଭତ୍ତା ବୃଦ୍ଧି ଦାବି ଟାଳିଦେଲେ
ଏମ୍‌ଏଲ୍‌ଏ ଲାଡ୍‌ ବଢ଼ିଲାନି, ଆବାସ ଆବଣ୍ଟନ କ୍ଷମତା ପାଇଲେନି
ବୁକ୍‌ ସର୍କୁଲାର୍‌-୪୭ ନେଇ ଗୃହ କମ୍ପିଲା, ସମାଧାନ ହେଲାନି

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମ୍ଏଲ୍ଏ ଲାଡ୍)କୁ ନେଇ ମଧ୍ୟ ସମାନ ଦାବି ଉଠିଥିଲା। ପ୍ରତିଟି ଅଧିବେଶନରେ ଏହି ପାଣ୍ଠିକୁ ନେଇ ସରଗରମ ଆଲୋଚନା କରିଥିଲେ ବିଧାୟକ। ଏବେ ବାର୍ଷିକ ୩ କୋଟି ଟଙ୍କା ଦିଆଯାଉଛି, ଯେଉଁଥିରେ କି ସାଧାରଣ ପାଣ୍ଠି ହେଲା ୨ କୋଟି ଟଙ୍କା। ନିର୍ବାଚନମଣ୍ଡଳୀରେ ବହୁ କାମର ଆବଶ୍ୟକତା ଥିବା ଦର୍ଶାଇ ଏହି ପାଣ୍ଠିର ପରିମାଣ ୧୦ କୋଟି ଟଙ୍କା କରିବାକୁ ଦାବି ହୋଇଥିଲା। ଏହା ବାଦ୍ ପାଣ୍ଠି ଖର୍ଚ୍ଚ ନିୟମ ସରଳୀକରଣ କରାଯାଉ ନଥିବାରୁ କାମଗୁଡ଼ିକ ଠିକ୍ ସମୟରେ ହୋଇପାରୁନି ବୋଲି ଅଭିଯୋଗ ଉଠିଥିଲା। ଯୋଜନା ଓ ସଂଯୋଜନ ମନ୍ତ୍ରୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଚାର କରିବେ ବୋଲି ଗୃହରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଧାନସଭାର ଶେଷ ପର୍ଯ୍ୟନ୍ତ ବିଚାର ହୋଇପାରିଲା ନାହିଁ। ଏହାର ଭାଗ୍ୟ ମଧ୍ୟ ଆଲୋଚନା ଭିତରେ ଅଟକିଗଲା।

ରାଜ୍ୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବହୁ ସରକାରୀ ଅଧିକାରୀ ବୁକ୍ ସର୍କୁଲାର୍-୪୭ର ଖୋଲା ଉଲ୍ଲଂଘନ କରୁଥିବାର ଅଭିଯୋଗ ପ୍ରାୟ ସବୁ ଅଧିବେଶନରେ ଉଠିଛି। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜୋର୍‌ଦାର ଗୃହରେ ଉଠାଇଛନ୍ତି। ଶାସକ ଦଳର ସଭ୍ୟ ବି ଅସନ୍ତୋଷ ଝାଡ଼ିଛନ୍ତି। ସାଂସଦ ଓ ବିଧାୟକମାନେ ଚିଠି ଲେଖିଲେ ତାହା ଉପରେ ପଦକ୍ଷେପ ନେବା ତ ଦୂରର କଥା, ପ୍ରାପ୍ତି ସ୍ବୀକାର ବି ଦେଉନାହାନ୍ତି। ପ୍ରସଙ୍ଗର ଗୁରୁତ୍ବ ଉପଲବ୍ଧି କରି ତତ୍କାଳୀନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଶାସନ ସଚିବ ଓ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି ବୈଠକ କଲେ। ବୁକ୍ ସର୍କୁଲାର୍-୪୭ ଯେପରି ଠିକ୍ ଭାବେ ପାଳନ ହେବ, ସେଥିପାଇଁ ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଲେଖିଲେ। ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍ ବି ଜାରି କରାଗଲା। କିନ୍ତୁ ବିଧାନସଭାର ଶେଷ ପର୍ଯ୍ୟନ୍ତ ଅଧିକାରୀଙ୍କ ବେପରୱା ଆଚରଣ ନେଇ ଅଭିଯୋଗ ଥମି ନଥିଲା।

ପୁଣି ଆବାସ ଯୋଜନାକୁ ନେଇ ବିଧାୟକମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଦାବି ରହିଥିଲା। ସେମାନଙ୍କ କହିବା କଥା ଯେ ବିଧାୟକମାନେ ସବୁବେଳେ ଲୋକଙ୍କ ପାଖକୁ ଯାଉଛନ୍ତି। ଯୁଆଡ଼େ ଗଲେ ଗରିବ ଲୋକମାନେ ଘର ଖଣ୍ଡେ ପାଇଁ କହୁଛନ୍ତି। କିନ୍ତୁ ଏ କ୍ଷେତ୍ରରେ ବିଧାୟକ ସେମାନଙ୍କୁ ତତ୍‌କାଳ କୌଣସି ସାହାଯ୍ୟ କରିପାରୁ ନାହାନ୍ତି। ସଂପୃକ୍ତ ବ୍ୟକ୍ତି ଘର ପାଇଁ ହକ୍‌ଦାର ଜାଣୁଥିଲେ ବି ସେମାନେ ଅସହାୟ। ତେଣୁ ନିହାତି ଗରିବ ଓ ବାସହରା ଲୋକଙ୍କୁ ତତ୍କାଳ ସାହାଯ୍ୟ କରିବା ଲାଗି ବିଧାୟକଙ୍କ ପାଖରେ ଆବାସ ଯୋଜନାର କିଛି କୋଟା ରହୁ। ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନଙ୍କର ମତ ସମାନ ଥିଲା। ପଞ୍ଚାୟତିରାଜ ମନ୍ତ୍ରୀ ବିଚାର କରିବେ ବୋଲି କହିଥିଲେ। ଏହି ପ୍ରସଙ୍ଗଟି ବି ବିଚାରରେ ରହିଗଲା।

Leave a Comment