କେନ୍ଦ୍ରୀୟ ପୁଞ୍ଜି ପ୍ରୋତ୍ସାହନରେ କେଁ: ରାଜ୍ୟ ହରାଇଲାଣି ୫୦ ହଜାର କୋଟି

Bartanews

କେନ୍ଦ୍ରୀୟ ପୁଞ୍ଜି ପ୍ରୋତ୍ସାହନରେ କେଁ: ରାଜ୍ୟ ହରାଇଲାଣି ୫୦ ହଜାର କୋଟି

ଭୁବନେଶ୍ବର: ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଦ୍ୟୁତ୍‌ ସଂସ୍କାର କାର୍ଯ୍ୟକାରୀ କରିଥିଲା। ଏଠାରେ ବିଦ୍ୟୁତ୍‌ କମ୍ପାନିମାନଙ୍କ ଉତ୍ପାଦନ ମୂଲ୍ୟ ଜାତୀୟ ହାର ତୁଳନାରେ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ଶସ୍ତା। ବେଦାନ୍ତ ଓ ଜିନ୍ଦଲ ଠାରୁ ଯଦି ଶତ ପ୍ରତିଶତ ରାଜ୍ୟ ଭାଗ ବିଦ୍ୟୁତ୍‌ କିଣାଯାଏ ଏବଂ ଓପିଜିସିର ବିଦ୍ୟୁତ୍‌ ଉତ୍ପାଦନ ମୂଲ୍ୟ କେନ୍ଦ୍ରୀୟ ଅଧିନିୟମ ଅନୁସାରେ ନିର୍ଣ୍ଣୟ କରାଯାଏ, ତେବେ ପାଇକାରୀ ବିଦ୍ୟୁତ ମୂଲ୍ୟ ୟୁନିଟ୍ ପିଛା ଆହୁରି ୫୦ ପଇସା କମିଯିବା ବିଚିତ୍ର ନୁହେଁ। କେବଳ ସେତିକି ନୁହେଁ, ଓଡ଼ିଶାରେ ବିଦ୍ୟୁତ୍‌ ସେବା ଖର୍ଚ୍ଚ (ବିଦ୍ୟୁତ କ୍ରୟ ମୂଲ୍ୟକୁ ମିଶାଇ) ମଧ୍ୟ ଜାତୀୟ ହାର ତୁଳନାରେ ୟୁନିଟ୍ ପିଛା ହାରାହାରି ୧ ଟଙ୍କା ୭୦ ପଇସା କମ୍। ହେଲେ ଏତେସବୁ ଅନୁକୂଳ ବ୍ୟାବସାୟିକ ବାତାବରଣ ସତ୍ତ୍ବେ ରାଜ୍ୟର ଉପଭୋକ୍ତା ଜାତୀୟ ହାର ତୁଳନାରେ ୟୁନିଟ୍ ପିଛା ଅଧିକ ୮୦ ପଇସା କାହିଁକି ଦେଉଛନ୍ତି, ସେ ପ୍ରଶ୍ନର ଉତ୍ତର କେହି ଦେବାକୁ ପ୍ରସ୍ତୁତ ନୁହନ୍ତି। ବିଦ୍ୟୁତ୍‌ ସମୀକ୍ଷକ ବାରମ୍ବାର ଏହି ପ୍ରଶ୍ନ ଉତ୍‌ଥାପନ କରୁଥିଲେ ହେଁ ସରକାର କିମ୍ବା ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଏ ସଂପର୍କରେ ଏଯାଏ ସ୍ପଷ୍ଟୀକରଣ ଦେଇନାହାନ୍ତି। ବରଂ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ବୃଦ୍ଧି ଲାଗି ସବୁ ରାସ୍ତା ଉନ୍ମୁକ୍ତ ରଖିଛନ୍ତି।

ସର୍ବଭାରତୀୟ ସ୍ତରରେ ବିଦ୍ୟୁତ୍‌ ସଂସ୍କାରକୁ ଆଗେଇ ନେବା ପାଇଁ ପାୱାର ଫାଇନାନ୍ସ କର୍ପୋରେସନ୍ (ପିଏଫ୍‌ସି) ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ ସେବାରେ ଥିବା ସଂସ୍ଥାଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଟିକିନିଖି ତର୍ଜମା କରିଥାନ୍ତି। ବିଦ୍ୟୁତ୍‌ ଉତ୍ପାଦନ ଠାରୁ ଆରମ୍ଭ କରି ଏହାର ବ୍ୟବସାୟ, ପରିବହନ ଓ ବିତରଣ ଆଦି ଅଙ୍ଗଗୁଡ଼ିକର ସମୀକ୍ଷା ସହିତ ବାର୍ଷିକ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଏହି ରିପୋର୍ଟ ଆଧାରରେ ରାଜ୍ୟଗୁଡ଼ିକର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମୂଲ୍ୟାୟନ କରାଯାଏ ଏବଂ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଋଣ, ଅନୁଦାନ ମଞ୍ଜୁର କରାଯାଏ। ବିଡ଼ମ୍ବନା ହେଲା- କେନ୍ଦ୍ର ସରକାରଙ୍କ ଉପରୋକ୍ତ ପୁଞ୍ଜି ପ୍ରୋତ୍ସାହନ ଯୋଜନାରୁ ଓଡ଼ିଶା ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିତ ହୋଇଆସୁଛି। ଏଭଳି ଅବିଚାର ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା- ସଂସ୍କାର ନାମରେ ଓଡ଼ିଶା ଆପଣେଇଥିବା ଘରୋଇକରଣ କେନ୍ଦ୍ର ବିଦ୍ୟୁତ୍‌ ଆଇନ-୨୦୦୩ର ବିରୋଧାଚରଣ କରୁଛି। ନାମ ଗୋପନ ରଖିବା ସର୍ତ୍ତରେ
ରାଜ୍ୟ ବିଦ୍ୟୁତ୍‌ ସେବାରେ ଥିବା ନିର୍ଦ୍ଦିଷ୍ଟ ସରକାରୀ ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ୨୦ ବର୍ଷ ମଧ୍ୟରେ ଏପିଡ଼ିଆର୍‌ପି, ଆଇପିଡ଼ିଏସ୍, ଉଜ୍ବଲ ଏବଂ ଅନ୍ୟାନ୍ୟ ପୁଞ୍ଜି ପ୍ରୋତ୍ସାହନ ଯୋଜନା ଓ କାର୍ଯ୍ୟକ୍ରମରୁ ଓଡ଼ିଶା ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇବାରୁ ବଞ୍ଚିତ ହେଲାଣି। କେନ୍ଦ୍ରର ଏଭଳି ଯୁକ୍ତିକୁ ଯଥାର୍ଥ ଭାବେ ଖଣ୍ଡନ ନକରି ସରକାର ନିରବ ଅଛନ୍ତି। ଏହା ଧୀରେଧୀରେ ଜାତୀୟ ସ୍ତରରେ ଓଡ଼ିଶାର ବିଦ୍ୟୁତ୍‌ ସଂସ୍କାରକୁ ବିବାଦକୁ େନଇଗଲାଣି।
ରାଜ୍ୟ ବିଦ୍ୟୁତ୍‌ ସଂସ୍କାର ଆଇନ-୧୯୯୫ ଅନୁସାରେ ଓଡ଼ିଶାର ବିଦ୍ୟୁତ ବିତରଣ ବ୍ୟବସ୍ଥା ୧୯୯୯ରେ ଘରୋଇକରଣ ହେଲା। ବିଦ୍ୟୁତ୍‌ ସଂସ୍କାରକୁ ଆଗେଇ ନେବା ପାଇଁ କେନ୍ଦ୍ରୀୟ ବିଦ୍ୟୁତ୍‌ ଆଇନ-୨୦୦୩ ପ୍ରଣୟନ ହେବା ପୂର୍ବରୁ ଅନ୍ୟ ୮ଟି ରାଜ୍ୟ ନିଜସ୍ବ ବିଦ୍ୟୁତ୍‌ ସଂସ୍କାର ଆଇନ ପ୍ରଣୟନ କରିଥିଲେ ମଧ୍ୟ ସେମାନେ ଘରୋଇକରଣ ଆପଣାଇ ନଥିଲେ। କେନ୍ଦ୍ରୀୟ ଆଇନରେ ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଘରୋଇକରଣ ପାଇଁ କୌଣସି ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ଓଡ଼ିଶା ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ବିତରଣ ବ୍ୟବସ୍ଥାର ଘରୋଇକରଣ କରିନାହାନ୍ତି। ତେଣୁ ଦେଶର ପ୍ରଥମ ତଥା ଶେଷ ରାଜ୍ୟ ଭାବେ ଘରୋଇକରଣକୁ ଜାବୁଡ଼ି ଧରିଥିବା ଓଡ଼ିଶା ଯେଉଁ ବିପୁଳ ପରିମାଣର ପୁଞ୍ଜି ପ୍ରୋତ୍ସାହନ ହାତଛଡ଼ା କଲା-ସେଥିରୁ କ’ଣ ଲାଭ ମିଳିଲା, ତାହା ଉପରେ ଏଯାଏ ସମୀକ୍ଷା ହୋଇନାହିଁ।

ମହଙ୍ଗା ପଡ଼ିଲା କି ବିଦ୍ୟୁତ୍‌ ଘରୋଇକରଣ
ବିତରକ ସଂସ୍ଥାଙ୍କ ଅଯୌକ୍ତିକ ଅସୁଲ; ବର୍ଷକୁ ୫ ହଜାର ୩୩୨ କୋଟି ଟଙ୍କା

୨୦୨୧-୨୨ ବର୍ଷ ପାଇଁ ପ୍ରକାଶିତ ପିଏଫ୍‌ସି ରିପୋର୍ଟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ହାରାହାରି ବିଦ୍ୟୁତ୍‌ ସେବା ଖର୍ଚ୍ଚ ୟୁନିଟ୍ ପିଛା ୬ ଟଙ୍କା ୨୯ ପଇସା ରହିଛି। ଓଡ଼ିଶାରେ ସେ ସମୟରେ ଏହା ୪ ଟଙ୍କା ୬୧ ପଇସା, ଅର୍ଥାତ୍ ୧ ଟଙ୍କା ୬୮ ପଇସା କମ୍। ସୁତରାଂ ଓଡ଼ିଶା ଉପଭୋକ୍ତାମାନେ ଏ ଦୃଷ୍ଟିରୁ ୟୁନିଟ୍ ପିଛା ୧ ଟଙ୍କା ୬୮ ପଇସା କମ୍ ପୈଠ କରିବା କଥା। ମାତ୍ର ଓଡ଼ିଶାର ବିଦ୍ୟୁତ୍‌ ଉପଭୋକ୍ତା ଓଲଟା ଜାତୀୟହାର ଠାରୁ ୟୁନିଟ୍ ପିଛା ଅଧିକ ୮୦ ପଇସା ଗଣୁଛନ୍ତି। ଆହୁରି ସରଳ ଭାବେ କହିଲେ, ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତା ୟୁନିଟ୍ ପିଛା ସିଧାସଳଖ ୨ ଟଙ୍କା ୪୮ ପଇସା ଅଧିକ ତଣ୍ଡ ଦେଉଛନ୍ତି। ବିଦ୍ୟୁତ୍‌ ସମୀକ୍ଷକ ହିସାବ କରି କହୁଛନ୍ତି ଯେ ୨୦୨୧-୨୨ ବର୍ଷରେ ୨୧,୫୦୧ ନିୟୁତ ୟୁନିଟ୍ ବିଦ୍ୟୁତ୍‌ ବିକ୍ରି କରିଥିଲା ରାଜ୍ୟ। ଅତଏବ ୟୁନିଟ୍ ପିଛା ୨ ଟଙ୍କା ୪୮ ପଇସା ହିସାବରେ ଉପଭୋକ୍ତାମାନେ ଜାତୀୟ ହାର ତୁଳନାରେ ଅଯୌକ୍ତିକ ଭାବେ ୫୩୩୨ କୋଟି ଟଙ୍କା ଅଧିକ ଅର୍ଥ ପୈଠ କରିଛନ୍ତି। ୨୦୨୧-୨୨ରେ ସର୍ବଭାରତୀୟ ସ୍ତରରେ ବିତରକ ସଂସ୍ଥାଙ୍କ ବିଦ୍ୟୁତ୍‌ ସେବା ଖର୍ଚ୍ଚ ୟୁନିଟ୍ ପିଛା ୬ ଟଙ୍କା ୨୯ ପଇସା ଥିଲା। ସେମାନଙ୍କ ରାଜସ୍ବ ଆୟ ଥିଲା ୭ ଟଙ୍କା ୨୮ ପଇସା। ଅର୍ଥାତ୍ ସେମାନଙ୍କ ରାଜସ୍ବ ବଳକା ୟୁନିଟ୍ ପିଛା ୯୯ ପଇସା। ସେହି ସମୟରେ ଓଡ଼ିଶା ବିତରକ ସଂସ୍ଥାଙ୍କ ବିଦ୍ୟୁତ ସେବା ଖର୍ଚ୍ଚ ୟୁନିଟ୍ ପିଛା ୪ ଟଙ୍କା ୬୧ ପଇସା ଥିବା ବେଳେ ରାଜସ୍ବ ଆୟ ୬ ଟଙ୍କା ୩୫ ପଇସା, ଅର୍ଥାତ୍ ଓଡ଼ିଶା ସଂସ୍ଥାଙ୍କ ରାଜସ୍ବ ବଳକା ଥିଲା ୟୁନିଟ୍ ପିଛା ୧ ଟଙ୍କା ୭୪ ପଇସା। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶା ବିତରକ ସଂସ୍ଥାଙ୍କ ରାଜସ୍ବ ବଳକା ଆୟ ଜାତୀୟ ହାର ତୁଳନାରେ ୭୫ ପଇସା ଅଧିକ। ଉଲ୍ଲେଖଯୋଗ୍ୟ ଯେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ନିକଟରେ ବିଧାନସଭାରେ କହିଛନ୍ତି ଯେ ରାଜ୍ୟର ବିତରକ କମ୍ପାନିଙ୍କ ରାଜସ୍ବ ଆୟ ଜାତୀୟ ହାର ତୁଳନାରେ ୟୁନିଟ୍ ପିଛା ୯୩ ପଇସା କମ୍; ଯାହା କେବଳ ଗାଣିତକ ହିସାବ। ଅସଲରେ ଜାତୀୟ ହାର ତୁଳନାରେ ସେମାନଙ୍କ ରାଜସ୍ବ ବଳକା ୟୁନିଟ୍ ପିଛା (୧.୭୪ପ-୯୯ପ)=୭୫ ପଇସା ଅଧିକ।

Leave a Comment