ଘରୋଇ ସଂସ୍ଥା ସହ ଚୁକ୍ତି ଅବଧି ବି ଶେଷ: ୧୦ମାସ ହେଲା ଏସ୍‌ସିବିରେ ହୋଇପାରୁନି ଚକ୍ଷୁଦାନ

Bartanews

ଘରୋଇ ସଂସ୍ଥା ସହ ଚୁକ୍ତି ଅବଧି ବି ଶେଷ: ୧୦ମାସ ହେଲା ଏସ୍‌ସିବିରେ ହୋଇପାରୁନି ଚକ୍ଷୁଦାନ

କଟକ: ରାଜ୍ୟର ସର୍ବବୃହତ ସରକାରୀ ହସ୍ପିଟାଲରେ ଗଲା ୧୦ ମାସ ହେଲା ବନ୍ଦ ପଡ଼ିଛି ଚକ୍ଷୁ ପ୍ରତିରୋପଣ ବ୍ୟବସ୍ଥା। ଫଳରେ ମୃତ୍ୟୁ ପରେ ଚକ୍ଷୁଦାନ କରୁଥିବା ଲୋକଙ୍କ ଶେଷ ଇଚ୍ଛା ଅନେକ ସମୟରେ ପୂରଣ ହୋଇ ପାରୁ ନଥିବା ବେଳେ ଚକ୍ଷୁ ପାଇବାକୁ ଆଶା ରଖିଥିବା ବ୍ୟକ୍ତି ବି ନିରାଶ ହେଉଛନ୍ତି। ନିଜସ୍ବ ବ୍ୟବସ୍ଥା ନ କରି ବର୍ଷ ବର୍ଷ ହେଲା ଘରୋଇ ସଂସ୍ଥା ଭରସାରେ ଏସ୍‌ସିବି ଚକ୍ଷୁ ବ୍ୟାଙ୍କ ଓ ଚକ୍ଷୁ ସଂରକ୍ଷଣ ବ୍ୟବସ୍ଥା। ଏସ୍‌ସିବିର ନିଜସ୍ବ ଚକ୍ଷୁଦାନ ବା ଚକ୍ଷୁ ବ୍ୟାଙ୍କ ବ୍ୟବସ୍ଥା ନାହିଁ। ଏପଟେ କିଡ୍‌ନି ପ୍ରତିରୋପଣଠାରୁ ଆରମ୍ଭ କରି ଅସ୍ଥିମଜ୍ଜା ପ୍ରତିରୋପଣ, ଆଗକୁ ଲିଭର, ହୃତ୍‌ପିଣ୍ଡ ପ୍ରତିରୋପଣ ଭଳି ଅନେକ ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ଓ ଏସ୍‌ସିବି କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ଚିକିତ୍ସା ବିଜ୍ଞନରେ ଅନେକ ଇତିହାସ ସୃଷ୍ଟି କରୁଥିବା କଟକ ବଡଡାକ୍ତରଖାନାରେ ଚକ୍ଷୁ ବ୍ୟାଙ୍କ ଘରୋଇ ସଂସ୍ଥା ଭରସାରେ ଚାଲିଛି। ଏପଟେ ଦଶମାସ ହେଲା ଏହାର ଚୁକ୍ତିନାମା ବି ସରିଯାଇଛି। ଯାହାଫଳରେ ଜାନୁଆରି ପରଠାରୁ ଆଉ ଚକ୍ଷୁଦାନ ଦେବାକୁ ଆଗ୍ରହୀ ଥିବା ଲୋକ ନିରାଶ ହୋଇ ଫେରୁଛନ୍ତି। ଏସ୍‌ସିବି ଚାହିଁଲେ ନିଜସ୍ବ ଚକ୍ଷୁ ବ୍ୟାଙ୍କ ବା ଚକ୍ଷୁ ସଂରକ୍ଷଣ ବ୍ୟବସ୍ଥା କରିପାରନ୍ତା। ଏଥିପାଇଁ ଅତିବେଶିରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ଏସସିବିରେ ନିଜସ୍ବ ଚକ୍ଷୁ ବ୍ୟାଙ୍କ ହୋଇ ପାରୁ ନଥିବା ବେଳେ ଘରୋଇ ସଂସ୍ଥା ସହ ଚୁକ୍ତି ବି ବ୍ୟବସ୍ଥିତ ହୋଇପାରୁନି।

କଟକ ବଡଡାକ୍ତରଖାନାରେ ଚକ୍ଷୁଦାନ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାର ଚୁକ୍ତିନାମା ଜାନୁଆରିରୁ ଶେଷ ହେବା ପରେ ଏ ସଂପର୍କରେ ଏସ୍‌ସିବି କର୍ତ୍ତୃପକ୍ଷ ସ୍ବାସ୍ଥ୍ୟବିଭାଗକୁ ଲିଖିତ ଭାବେ ସୂଚିତ କରାଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ନବୀକରଣ କରାଯାଉନି କି କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ପୂର୍ବରୁ ଏସ୍‌ସିବିରେ ଥିବା ଗୁରୁ ନାନକ ଚକ୍ଷୁ ବ୍ୟାଙ୍କ ପାଖାପାଖି ୧୫ବର୍ଷ ହେଲା ବନ୍ଦ ହୋଇଗଲାଣି। ଏହାପରେ ସରକାର ଏକ ଘରୋଇ ଅନୁଷ୍ଠାନ ସହିତ ଚୁକ୍ତିନାମା କରିଥିଲେ। ଯେଉଁମାନେ ଏସ୍‌ସିବିରେ ମୃତ୍ୟୁପରେ ଚକ୍ଷୁଦାନ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ସେମାନେ ଏହି ଘରୋଇ ସଂସ୍ଥା ମାଧ୍ୟମରେ ଚକ୍ଷୁଦାନ କରୁଥିଲେ। କିନ୍ତୁ ଏବେ ତାହା ବି ବନ୍ଦ ହୋଇଯାଇଛି।

ଦୁଇ ଦିନ ତଳେ କଟକ ବାସିନ୍ଦା ଅବସରପ୍ରାପ୍ତ ଡାକ କର୍ମଚାରୀ ତାରାମଣି ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ସେ ନିଜ ଶରୀର ଦାନ ପାଇଁ ଆଗରୁ ପଞ୍ଜିକରଣ କରିଥିଲେ। ପରିବାର ଲୋକେ ଏସସିବି ମେଡିକାଲର ଆନାଟୋମି ବିଭାଗକୁ ଯାଇ ତାରାମଣିଙ୍କ ମରଶରୀରକୁ ଶିକ୍ଷା ଓ ଗବେଷଣା ସହ ଚକ୍ଷୁଦାନ ପାଇଁ ହସ୍ତାନ୍ତର କରିଥିଲେ। ତେବେ ସେଠାରେ ତାଙ୍କର ଚକ୍ଷୁଦାନ ହୋଇପାରିଲା ନାହିଁ। ତାରାମଣିଙ୍କ ଶେଷ ଇଚ୍ଛା ପୂରଣ ହୋଇପାରିଲାନି। ପରିବାର ଲୋକେ ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଅନ୍ୟପଟେ ଭାରତ ଶରୀର ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଚକ୍ଷୁଦାନ ବନ୍ଦ ରହିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲେ ଏସ୍‌ସିବି ନିଜସ୍ବ ଚକ୍ଷୁ ବ୍ୟାଙ୍କ କରିପାରନ୍ତା, କିନ୍ତୁ କଣ ପାଇଁ ଏହାକୁ କରାଯାଉନି, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଅଙ୍ଗଦାନ ପାଇଁ ଏପର୍ଯ୍ୟନ୍ତ ପାଖାପାଖି ୫୦ ହଜାର ଲୋକେ ଆବେଦନ କରିଥିବା ବେଳେ ୨୫୦୦ ଲୋକେ ଶରୀର ଦାନ ପାଇଁ ଆବେଦନ କରିଛନ୍ତି। ମାତ୍ର ଏସସିବି ପରି ହସ୍ପିଟାଲରେ ଚକ୍ଷୁ ପ୍ରତିରୋପଣ ସମ୍ଭବ ହୋଇ ନପାରିବା ପ୍ରଶାସନିକ ଅପାରଗତାକୁ ପଦାରେ ପକାଇଛି ବୋଲି ସେ କହିଛନ୍ତି। ସେପଟେ ଏଭଳି ସମସ୍ୟାକୁ ସ୍ବୀକାର କରିବା‌ ସହ ଖୁବଶୀଘ୍ର ଚୁକ୍ତିନାମା ନବୀକରଣ କରାଯାଇ ଚକ୍ଷୁଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଏସସିବି କୁଳସଚିବ ଡକ୍ଟର ଅବିନାଶ ରାଉତ।

Leave a Comment