ରାଜଧାନୀରେ ଶୂନ ସଡ଼କମୃତ୍ୟୁ ସପ୍ତାହକୁ ମୃତ୍ୟୁର ପରିହାସ: ପ୍ରଥମ ୫ ଦିନରେ ଦିନକୁ ୨ ମରଣ

Bartanews

ରାଜଧାନୀରେ ଶୂନ ସଡ଼କମୃତ୍ୟୁ ସପ୍ତାହକୁ ମୃତ୍ୟୁର ପରିହାସ: ପ୍ରଥମ ୫ ଦିନରେ ଦିନକୁ ୨ ମରଣ

ଭୁବନେଶ୍ବର: ସରକାର ଘୋଷଣା କରିଥିବା ଶୂନ ସଡ଼କମୃତ୍ୟୁ ସପ୍ତାହ ପ୍ରଥମରୁ ହିଁ ଏକପ୍ରକାର ଅର୍ଥହୀନ ମନେ ହେଲାଣି। ସାରା ରାଜ୍ୟ ସମେତ ବିଶେଷକରି ଭୁବନେଶ୍ବରରେ ଯେତିକି ସଂଖ୍ୟାରେ ଦୁଘର୍ଟଣା ଘଟି ଲୋକଙ୍କ ଜୀବନ ଯାଉଛି, ମନେ ହେଉଛି ଶୂନ ମୃତ୍ୟୁ ସପ୍ତାହର ଆହ୍ବାନକୁ ନିଜେ ମୃତ୍ୟୁ ପରିହାସ କରୁଛି! ଏ ବାବଦରେ ପ୍ରଶାସନର ବିଭିନ୍ନ ବିଭାଗ ଘନ ଘନ ବୈଠକ ଡାକୁଛନ୍ତି, ସଡ଼କ ନିୟମ କଡ଼ାକଡ଼ି ଲାଗୁ କରିବାକୁ ଏବଂ ସେ ଦିଗରେ ଲୋକଙ୍କୁ ସଚେତନ କରିବାକୁ ଥରକୁ ଥର ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ବାସ୍ତବ ଚିତ୍ରକୁ ଦେଖିଲେ ଜଣା ପଡୁଛି, ନା କର୍ମଚାରୀ ନା ସାଧାରଣ ଲୋକ, ଏ ନି‌ର୍ଦ୍ଦେଶ ବା ଆହ୍ବାନକୁ କେହି ଖାତିର କରୁନାହାନ୍ତି। ଏପରିକି ଏହି ସପ୍ତାହକୁ ସଫଳ କରିବାର ଦାୟିତ୍ବ ନେଇଥିବା ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ଏଥିପ୍ରତି ଆବଶ୍ୟକ ନିଷ୍ଠା ପ୍ରଦର୍ଶନ କରୁ ନାହାନ୍ତି କି ସରକାରଙ୍କ ଦ୍ବାରା ‌ପ୍ରଦତ୍ତ ଏସ୍‌ଓପିକୁ ମାନୁ ନାହାନ୍ତି।

ଡିସେମ୍ବର ୧ ତାରିଖରୁ ୫ ତାରିଖ ମଧ୍ୟରେ ଭୁବନେଶ୍ବରରେ ସଡ଼କ ଦୁର୍ଘଟଣାରେ ସମୁଦାୟ ୯ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍‌ ଦିନକୁ ପାଖାପାଖି ୨ ଜଣଙ୍କର ପ୍ରାଣ ଯାଇଛି। ସେଥିମଧ୍ୟରୁ ନୂଆପଲ୍ଲୀ, ଭରତପୁର, ଚନ୍ଦ୍ରଶେଖରପୁର, ଇନଫୋସିଟି ଓ ଜଟଣୀ ଥାନା ଅଞ୍ଚଳରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ କେବଳ ପାହାଳ ଥାନା ଅଞ୍ଚଳରେ ଯାଇଥିବା ରାଜପଥର ବିଭିନ୍ନ ସ୍ଥାନରେ ୫ ଦିନ ମଧ୍ୟରୁ ପ୍ରଥମ ୩ ଦିନରେ ହିଁ ୪ ଜଣଙ୍କର ଜୀବନ ଯାଇଛି।
ତେଣୁ ପାହାଳ ଥାନା ଅଞ୍ଚଳ ଦେଇ ଜାତୀୟ ରାଜପଥରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏସ୍‌ଓପି କେତେ ପାଳନ ହେଉଛି ପରଖିବା ପାଇଁ ‘ସମ୍ବାଦ’ ଟିମ୍ ଆଜି ସେହି ଥାନା ଅଞ୍ଚଳ‌ରେ ଥିବା ହଂସପାଳ ଛକକୁ ଯାଇଥିଲା। ଏକ ‘ବ୍ଲାକ୍ ସ୍ପଟ୍‌’ ଭାବେ ସ୍ବୀକୃତ ସେ ଛକରେ ମାତ୍ର ୨ଦିନ ତଳେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ଏସ୍‌ଓପି ଅନୁସାରେ ବ୍ଲାକ ସ୍ପଟ୍‌ଗୁଡ଼ିକରେ ରାପିଡ୍ ‌ରେସପନ୍ସ ଟିମ୍ କିମ୍ବା ଏକ ଆମ୍ବୁଲାନ୍ସ ରଖାଯିବ। କିନ୍ତୁ ଏହି ବ୍ଲାକ ସ୍ପଟରେ ଅପରାହ୍‌ଣର ଭିଡ଼ ସମୟରେ ମଧ୍ୟ କୌଣସି ଆମ୍ବୁଲାନ୍ସ ନଥିଲା। ପୁଲିସ ପକ୍ଷରୁ ମଧ୍ୟ ଯାଞ୍ଚ ବା ଟ୍ରାଫିକ୍ ନିୟନ୍ତ୍ରଣ କରା ଯାଉନଥିଲା।

ସଚେତନତା ପାଇଁ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଦେଖା ଯାଉନଥିଲା। ଏହି ସ୍ଥାନ ସମେତ ଭୁବନେଶ୍ବର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ‌ର ଅନ୍ୟ ୪ଟି ସ୍ଥାନକୁ କମିସନରେଟ୍ ପୁଲିସ ପକ୍ଷରୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ବା ‘ବ୍ଲାକ ସ୍ପଟ୍’ ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ବାଟ ଭୁଆଷୁଣି, ଖଣ୍ଡଗିରି ନିକଟ ଆଇଗିଣିଆ, ନୟାପଲ୍ଲୀ କ୍ରାଉନ୍ ହୋଟେଲ ସମ୍ମୁଖ ସଡ଼କ ସମେତ ଆଚାର୍ଯ୍ୟବିହାର ଓଭର ବ୍ରିଜ୍ ଓ ପାହାଳ। ଏହିସବୁ ସ୍ଥାନରେ ନିୟମିତ ଦୁର୍ଘଟଣା ଘଟୁଛି, ଶୂନ ସଡ଼କମୃତ୍ୟୁ ସପ୍ତାହର ପ୍ରଥମ ୫ଦିନରେ ମଧ୍ୟ ଘଟିଛି ଓ ଜୀବନ ଯାଇଛି। କିନ୍ତୁ ସେହି ସ୍ଥାନମାନଙ୍କରେ ଦାୟିତ୍ବରେ ଥିବା ବିଭାଗଗୁଡ଼ିକର କର୍ମଚାରୀଙ୍କର ଦେଖା ମିଳୁନି। କିଛି ସ୍ଥା‌ନରେ ଅବଶ୍ୟ ଗାଡ଼ି ବେଗ କମ୍‌ କରିବାକୁ ନିର୍ଦ୍ଦେଶ ଲେଖାଯାଇଛି, କିନ୍ତୁ ଏସ୍‌ଓପି ଅନୁସାରେ ଯଥେଷ୍ଟ ସଂଖ୍ୟକ ସଂକେତ ଲଗା ଯାଇନାହିଁ। ଏ ବାବଦରେ ଏଠିସେଠି ଗାଡ଼ି ପାର୍କିଂକୁ ବନ୍ଦ କରିବା ବୋଧହୁଏ ସବୁଠାରୁ ସହଜ ଉପାୟ। କିନ୍ତୁ ଏତେ ଦୁର୍ଘଟଣା ପରେ ମଧ୍ୟ ଏହାକୁ କଡ଼ାକଡ଼ି ନିୟନ୍ତ୍ରଣ କରା ଯାଉନାହିଁ। ଜାତୀୟ ରାଜପ‌ଥର ଅନେକ ସ୍ଥାନରେ ଚାଳକମାନେ ସମସ୍ତଙ୍କ ଆଖି ଆଗରେ ମନଇଚ୍ଛା ପାର୍କିଂ କରୁଛନ୍ତି। ଏଭଳି ବେଆଇନ ପାର୍କିଂ ପାଇଁ ପାହଳରେ ୨ ତାରିଖ ଦିନ ଦୁର୍ଘଟଣା ଘଟି ୨ ଜଣଙ୍କ ଜୀବନହାନୀ ହୋଇଛି। ଏହାପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।

ଏହିସବୁ ଅବ୍ୟବସ୍ଥାକୁ ଲକ୍ଷ୍ୟ କଲେ ଜଣା ପଡୁଛି, ଉପର ସ୍ତରରେ ସଡ଼କ ମୃତ୍ୟୁ ରୋକିବାକୁ ଯେଉଁଭଳି ଭାବେ କାଗଜପତ୍ରରେ ସକ୍ରିୟତା ପ୍ରଦର୍ଶନ କରା ଯାଉଛି, ଅସଲ କ୍ଷେତ୍ର ବା ଗ୍ରାଉଣ୍ଡରେ ସେଭଳି କିଛି ନାହିଁ। ଦୁର୍ଘଟଣାକୁ ଏଡ଼ାଇବାର ବାର୍ତ୍ତା ମଧ୍ୟ ଲୋକଙ୍କ ପାଖରେ ଉପଯୁକ୍ତ ଭାବେ ପହଞ୍ଚି ପାରିନାହିଁ। ଖବରକାଗଜର ଖବର ବ୍ୟତୀତ ଶୂନ ସଡ଼କମୃତ୍ୟୁ ସପ୍ତାହ ବାବଦରେ ଅଧିକାଂଶ ସାଧାରଣ ଲୋକ ଓ ଗାଡ଼ି ଚାଳକ ଏଯାଏ ଅଜ୍ଞ ରହିଛନ୍ତି। ରାଜଧାନୀର ସ୍ଥିତି ଏପରି ହୋଇଥିବାବେଳେ ରାଜ୍ୟର ବାକି ସହର ବା ସ୍ଥାନର ଚିତ୍ର କ’ଣ ହୋଇଥିବ ଅନୁମାନ କରା ଯାଇପାରେ! ଏ ପ୍ରସଙ୍ଗରେ ଭୁବନେଶ୍ବର ଆର୍‌ଟିଓ-୧ ବିକାଶ ଚୌଧୁରୀ ପ୍ରତିକ୍ରିୟାରେ କହିଲେ, ସଂପୃକ୍ତ ସବୁ ବିଭାଗ ସମେତ ଜନସାଧାରଣଙ୍କ ସହଯୋଗ ରହିଲେ ହିଁ ଶୂନ ସଡ଼କମୃତ୍ୟୁ ସପ୍ତାହ ସଫଳ ହେବ। ଆମ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ କଲେଜରେ, ସାମାଜିକ ଗଣମାଧ୍ୟମ, ରେଡିଓ ଓ ଟେଲିଭିଜନ୍ ଆଦି ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରା ଯାଉଛି। ଯାଞ୍ଚ ଓ ଚେକିଂ ଆଦି ମଧ୍ୟ ହେଉଛି। କିନ୍ତୁ ଲୋକେ ଯେତିକି ସଚେତନ ହେବା କଥା ହେଉନାହାନ୍ତି। ସେମାନେ ସଚେତନ ଓ ନିଷ୍ଠାବାନ ନହେଲେ କୌଣସି ସରକାର ବା ବିଭାଗ ଦୁର୍ଘଟଣାକୁ ରୋକି ପାରିବେନାହିଁ।

Leave a Comment