ବଞ୍ଚି ଥାଉଥାଉ ମାରିଦେଲେ, ଏବେ ସବୁ ଯୋଜନାରୁ ବଞ୍ଚିତ ଡମୁ ଶବର

Bartanews

ବଞ୍ଚି ଥାଉଥାଉ ମାରିଦେଲେ, ଏବେ ସବୁ ଯୋଜନାରୁ ବଞ୍ଚିତ ଡମୁ ଶବର

ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଗାଇଗାଁ ପଞ୍ଚାୟତ କନାବିରା ଗ୍ରାମର ଆଦିବାସୀ ଚାଷୀ ଡମୁ ଶବର ଏବେ ସବୁ ସରକାରୀ ଯୋଜନାରୁ ବଞ୍ଚିତ । ସେ ବଞ୍ଚି ଥାଉଥାଉ ତାଙ୍କୁ ମୃତ ବୋଲି ଦର୍ଶାଯାଇଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ପ୍ରକାଶ ଯେ, ଡମୁ ପୂର୍ବରୁ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଟଙ୍କା ପାଉଥିଲେ। ଗତ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟ୍‌ରେ ଏହି ଟଙ୍କା ଜମା ହୋଇଛି। କିନ୍ତୁ ଗତ ୧୨ ସେପ୍ଟେମ୍ବର ୨୦୨୨ରୁ ଆଉ ତାଙ୍କ ଖାତାରେ ସେହି ଯୋଜନାର ଟଙ୍କା ପଡ଼ୁନଥିବା ସେ ଅଭିଯୋଗ କରିଛନ୍ତି। ସମସ୍ତଙ୍କ ଖାତାରେ ସବୁବର୍ଷ ଭଳି ଉକ୍ତବର୍ଷ ମଧ୍ୟ କାଳିଆ ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଟଙ୍କା ପଡ଼ୁଥିବା ଜାଣି ସେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ।

ମାତ୍ର ତାଙ୍କ ଖାତାରେ ଟଙ୍କା ପଡ଼ୁ ନଥିବା ଜାଣି ନିରାଶ ହୋଇ ଫେରିଥିଲେ। ପରେ ସେ ତାଙ୍କ ଆଧାରକାର୍ଡ ସାହାଯ୍ୟରେ ଉତ୍କେଲା ଗ୍ରାମର ଏକ ସହଜ କେନ୍ଦ୍ରରେ ତାଙ୍କ ଷ୍ଟାଟସ୍‌ ଚେକ କରିଥିଲେ। ଷ୍ଟାଟସ୍‌ ଚେକ୍‌ କରିବାରୁ ତାଙ୍କୁ ​ମୃତ ଘୋଷଣା କରାଯାଇଥିବା ଜାଣିବାକୁ ପାଇଥିଲେ। ସେ ବଞ୍ଚି ଥାଉଥାଉ କିଏ କାହିଁକି ଏମିତି କଲା ସେ ଜାଣିପାରୁ ନାହାନ୍ତି। ଏହି ବିଷୟରେ କେସିଙ୍ଗା ବ୍ଲକ୍‌ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀଙ୍କୁ ପଚାରିବାରୁ ଏମିତି ତ ହେବା କଥା ନୁହେଁ, କିନ୍ତୁ ଅନ୍‌ଲାଇନ କିମ୍ବା ଆମ କର୍ମଚାରୀଙ୍କ କୌଣସି ଭୁଲ ଯୋଗୁଁ ଏମିତି ହୋଇଥିବ ବୋଲି ପ୍ରକାଶ କରିଛନ୍ତି।

Leave a Comment