କରନୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ଗୁଳିକରି ହତ୍ୟା: ଘରେ ପଶି ଆତତାୟୀଙ୍କ ଗୁଳିବର୍ଷା

Bartanews

କରନୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ଗୁଳିକରି ହତ୍ୟା: ଘରେ ପଶି ଆତତାୟୀଙ୍କ ଗୁଳିବର୍ଷା

ଜୟପୁର: ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଆଜି ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ଆତତାୟୀ ଅପରାହ୍ନରେ ସିଂହଙ୍କୁ ତାଙ୍କ ବାସଭବନରେ ଅତି ନିକଟରୁ ଗୁଳି ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଦୁଇ ଆତତାୟୀ ପ୍ରଥମେ ପ୍ରଥମେ ତାଙ୍କ ସହ ସ୍ବାଭାବିକ ଭାବେ କଥା ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ହଠାତ ସେମାନେ ଛିଡ଼ା ହୋଇ ଗୁଳି ଚଳାଇଥିଲେ। ସୁଖଦେବଙ୍କୁ ଜୟପୁର ଶ୍ୟାମ ନଗର ସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ରାଜସ୍ଥାନର ରୋହିତ ଗୋଦାରା ଗ୍ୟା‌ଙ୍ଗ ନିଜକୁ ଦାୟୀ କରିଛି। ଏହି ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋହିଁ ଗ୍ୟାଙ୍ଗ୍‌ ସହ ସଂପୃକ୍ତ। କିଛିଦିନ ତଳେ ରୋହିତ ଗୋଦରା ସୁଖଦେଦଙ୍କୁ ଧମକ ଦେଇଥିଲା। ରୋହିତ ଲରେନ୍ସ ଗ୍ୟାଙ୍ଗ‌ର ଜଣେ ସଂଚାଳକ ଭାବେ କାମ କରୁଛି ଏବଂ ଏବେ ସେ ଭାରତରୁ ଫେରାର ରହିଛି।

ସିସିଟିଭିରୁ ଜଣାପଡ଼ିଛି ଯେ ୩ ଜଣ ବ୍ୟକ୍ତି ସୁଖଦେବଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ପ୍ରାୟ ୧୦ ମିନିଟ୍‌ ଧରି ସେଠାରେ ବସି କଥା ହୋଇଥିଲା। ଏହାପରେ ଦୁଇ ଜଣ ଅଚାନକ ଛିଡ଼ା ହୋଇ ଗୁଳିମାଡ଼ ଆରମ୍ଭ କରିଥିଲେ। ଏହି ହତ୍ୟାକାଣ୍ଡରେ ଗୋଗାମେଡିଙ୍କ ସହିତ ନବୀନ ଶେଖାୱତ ନାମକ ଜଣେ କପଡ଼ା ବ୍ୟବସାୟୀ ବି ନିହତ ହୋଇଛନ୍ତି। ଆକ୍ରମଣକାରୀମାନେ ତାଙ୍କ ସହିତ ସୁଖଦେବଙ୍କ ବାସଭବନରେ ପହଞ୍ଚିଥିଲେ। ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଗୁଳିକାଣ୍ଡ ପରେ ବାହାରେ ଥିବା ଗାର୍ଡ ସତର୍କ ହୋଇଥିଲା ଏବଂ ଗୁଳିରୁ ବର୍ତ୍ତିବା ପାଇଁ ନିଜକୁ ସେଠାରୁ ଦୂରେଇ ନେଇଥିଲା। ସେହି ସମୟରେ ଉଭୟ ହତ୍ୟାକାରୀ ଦୌଡ଼ି ପଳାଇଥିଲେ। ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ସେମାନଙ୍କ ଟର୍ଗେଟ୍‌ ସୁଖଦେବ ହିଁ ଥିଲେ। ଉଭୟ ହତ୍ୟାକାରୀ ୧୨ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ ଏବଂ ଅଧିକାଂଶ ଗୁଳି ସୁଖଦେବକୁ ହିଁ ଲାଗିଥିଲା।

Leave a Comment