ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ୫ ନେତା: ବିରୋଧୀ ଦଳ ନେତା ଚୟନ କରିବେ କଂଗ୍ରେସ ହାଇକମାଣ୍ଡ୍‌

Bartanews

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ୫ ନେତା: ବିରୋଧୀ ଦଳ ନେତା ଚୟନ କରିବେ କଂଗ୍ରେସ ହାଇକମାଣ୍ଡ୍‌

ଜୟପୁର: ରାଜସ୍ଥାନ ନିର୍ବାଚନ ଫଳ ଘୋଷଣାକୁ ଇତିମଧ୍ୟରେ ୪୮ ଘଣ୍ଟା ବିତି ସାରିଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ କିଏ ବସିବ ତାହା ଜଣାପଡ଼ିନାହିଁ। ସମ୍ଭବତଃ ବିଜେପିର କେନ୍ଦ୍ରୀୟ ନେତୃତ୍ବ ହିଁ ଏ ସଂପର୍କରେ ନିଷ୍ପତ୍ତି ନେବେ। ତେ‌ବେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ୫ ନେତାଙ୍କ ନାମ ଏବେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଦୀୟା କୁମାରୀ, ମହନ୍ତ ବାଲକନାଥ, କିରୋଡ଼ୀ ଲାଲ ମୀନା, ‌ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବସୁନ୍ଧରା ରାଜେ।

ସାଂସଦ ଥିବା ଦୀୟା କୁମାରୀ ବିଦ୍ୟାଧରନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ହାତୀ ସୁନାକଳସ ଢାଳି ପାରେ ବୋଲି ଆଲୋଚନା ହେଉଛି। କିନ୍ତୁ ନିର୍ବାଚନ ସମୟରେ ତାଙ୍କୁ ଯେତେବେଳେ ଏ ନେଇ ପ୍ରଶ୍ନ ହୋଇଥାଏ ସେ କହିଥାନ୍ତି ଯେ ଦଳର ଯେଉଁ ଆଦେଶ ମିଳିବ ସେହି କାମ ସେ କରିବେ। ସେହିଭଳି ଅନ୍ୟତମ ଦାବିବାର ହେଉଛନ୍ତି ମହନ୍ତ ବାଲକନାଥ। ୟୁ‌ପିରେ ଯୋଗୀ ଆଦିତ୍ୟନାଥଙ୍କ ଭଳି ରାଜସ୍ଥାନରେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି। ସେହିଭଳି ତୃଣମୂଳ ସ୍ତରର ନେତା ସାଂସଦ କିରୋଡ଼ୀ ଲାଲ ମୀନା ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅଛନ୍ତି। ଗେହଲଟ ସରକାର ବିରୋଧରେ ସେ ଲଗାତାର ସ୍ବର ଉଠାଇ ଆସୁଥିଲେ। କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ମଧ୍ୟ ଭାବି ମୁଖ୍ୟମନ୍ତ୍ରୀ ଭାବେ ଦେଖାଯାଉଛି। ଶେଖାୱତ ଅବଶ୍ୟ ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି। କିନ୍ତୁ ସେ ଯଦି ମୁଖ୍ୟମନ୍ତ୍ରୀ ହେବେ ତାହେଲେ କରନପୁର ଆସନରୁ ସେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। ଏହାବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ତାଙ୍କୁ ମଧ୍ୟ ଦଳ ବିଚାରକୁ ନେଇପାରେ।

ଅନ୍ୟପକ୍ଷରେ ବିରୋଧୀ ଆସନରେ ବସିବାକୁ ଯାଉଥିବା କଂଗ୍ରେସ ଦଳ ବିରୋଧୀ ଦଳ ନେତା ନେଇ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଆଜି ଦଳର ବିଧାୟକମାନଙ୍କର ବୈଠକ ହୋଇଥିଲା। କିନ୍ତୁ ବିରୋଧୀ ଦଳ ନେତା କିଏ ହେବେ ତାହା ହାଇକମାଣ୍ଡ୍‌ଙ୍କ ଉପରେ ଛଡ଼ାଗଲା ବୋଲି କୁହାଯାଇଛି।
କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇଛି ବୋଲି ରାଜସ୍ଥାନ କଂଗ୍ରେସର ସାଧାରଣ ସଂପାଦକ ସ୍ବର୍ଣ୍ଣିମ ଚତୁର୍ବେଦୀ କହିଛନ୍ତି। ଏହି ବୈଠକରେ କେନ୍ଦ୍ରୀୟ ନେତା ଭୂପିନ୍ଦର ସିଂହ ହୁଦା, ମୁକୁଲ ୱାସନିକ ଏବଂ ମଧୁସୂଦନ ମିସ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

Leave a Comment