ଆୟବହିର୍ଭୂତ ସମ୍ପତ୍ତି ମାମଲା: ଓଡ଼ିଶା ଦେଶରେ ପ୍ରଥମ

Bartanews

ଆୟବହିର୍ଭୂତ  ସମ୍ପତ୍ତି ମାମଲା: ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଉପରେ ଗୁରୁତ୍ବାରୋପ କରୁଛନ୍ତି। ଏହି ନୀତିକୁ କାର୍ଯ୍ୟକାରୀ କରିବାରେ ଭିଜିଲାନ୍ସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦୁର୍ନୀତିଖୋର୍‌ଙ୍କ ଉପରେ କଡ଼ା ନଜର ରଖିଛି ଭିଜିଲାନ୍ସ। କେବଳ ଦୁର୍ନୀତିଖୋର୍‌ଙ୍କ ବିରୋଧରେ ମାମଲା କରିବାରେ ନୁହେଁ, ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ମଧ୍ୟ ଭିଜିଲାନ୍ସ ଉଦାହରଣ ସୃଷ୍ଟି କରିଛି। ଜାତୀୟ ଅପରାଧ ନଥି ସଂସ୍ଥାନ(ଏନ୍‌ସିଆର୍‌ବି) ତଥ୍ୟରୁ ଏମିତି ଚିତ୍ର ସାମ୍ନାକୁ ଆସିଛି।

ଦୁର୍ନୀତିଖୋରଙ୍କ ପାଇଁ ରାଜ୍ୟ ଭିଜିଲାନ୍ସର କଡ଼ା ଆଭିମୁଖ୍ୟ
ଦୋଷୀ ସାବ୍ୟସ୍ତରେ ଦ୍ବିତୀୟ, ଚାକିରିରୁ ତଡ଼ାଖାଇବାରେ ତୃତୀୟ

ତଥ୍ୟ ମୁତାବକ ୨୦୨୨ ମସିହାରେ ଦେଶରେ ମୋଟ ୩୭୨ଟି ଆୟବହିର୍ଭୂତ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ସର୍ବାଗ୍ରେ ରହିଛି ଓଡ଼ିଶା। ରାଜ୍ୟରେ ୮୫ଟି ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ସେହିପରି ସରକାରୀ ଅର୍ଥ ହେରଫେର ମାମଲା ରୁଜୁ ହେବାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୮୪ଟି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସବୁଠୁ ବଡ଼ କଥା ଯେ, ଦୋଷୀସାବ୍ୟସ୍ତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଭିଜିଲାନ୍ସ ତତ୍ପରତା ଦେଖାଇଛି। ଦୁର୍ନୀତିଖୋର କିଭଳି ଦୋଷୀସାବ୍ୟସ୍ତ ହେବେ ଓ ମାମଲାରୁ ଖସିପାରିବେ ନାହିଁ, ଏ ଦିଗରେ ଯଥେ‌ଷ୍ଟ ଉଦ୍ୟମ କରିଛି। ଏ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ତିନି ନମ୍ବରରେ ରହିଛି। ରାଜ୍ୟରେ ୩୨୧ଟି ମାମଲାରେ ୫୫୧ ଦୁର୍ନୀତିଖୋରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ତେବେ ୯୦ ମାମଲାରେ ୧୨୪ ଜଣ ଦୋଷୀସାବ୍ୟସ୍ତ ହୋଇଛି। ଦୋଷୀସାବ୍ୟସ୍ତ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସ୍ଥାନ ଦେଶରେ ଦ୍ବିତୀୟ।

୩୦ଜଣ ଦୁର୍ନୀତିଖୋର ଚାକିରିରୁ ତଡ଼ା ଖାଇଛନ୍ତି। ତାମିଲନାଡ଼ୁରେ ସର୍ବାଧିକ ୫୮ଜଣ ତଡ଼ା ଖାଇଥିବା ବେଳେ ରାଜସ୍ଥାନରେ ୩୧ଜଣ ତଡ଼ା ଖାଇଛନ୍ତି। ଭିଜିଲାନ୍ସ ପକ୍ଷରୁ ନିର୍ଦେଶକ ଯଶୱନ୍ତ ଜେଠୱା କହିଛନ୍ତି ଯେ, ଦୁର୍ନୀତିଖୋରଙ୍କ ବିରୋଧରେ ବିଭାଗର ଅଭିଯାନ ଆଗକୁ ଆହୁରି ଶାଣିତ ହେବ। ଏଥିପାଇଁ ଭିଜିଲାନ୍ସ ଟିମ୍‌ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଦୁର୍ନୀତି ମୂଳପୋଛ ପାଇଁ ବିଭିନ୍ନ ସମୟରେ ସଚେତନତା କରାଯାଉଛି।

Leave a Comment