ପୁଲିସ ପାଇଁ ଚିନ୍ତା ବଢ଼ାଉଛି ‘ବନ୍ଧୁକ’, ଚାହିଦାରେ ଆମେରିକାନ୍‌‌ ବନ୍ଧୁକ

Bartanews

ପୁଲିସ ପାଇଁ ଚିନ୍ତା ବଢ଼ାଉଛି ‘ବନ୍ଧୁକ’, ଚାହିଦାରେ ଆମେରିକାନ୍‌‌ ବନ୍ଧୁକ

ଭୁବନେଶ୍ୱର: ଅପରାଧୀଙ୍କ ଅପରାଧ ଘଟାଇବା ପଛରେ ‘ବନ୍ଧୁକ’। ରାଜଧାନୀରେ କୁଖ୍ୟାତ ଓ ଦାଗୀ ଅପରାଧୀ ବନ୍ଧୁକ ମୁନରେ ଖେଳାଇଛନ୍ତି ଆତଙ୍କରାଜ୍‌‌। ଚୋରି, ଛିନ୍‌‌ତାଇ, ରାହାଜାନୀ, ଡକାୟତି ଓ ନିଶା କାରବାର ଆଦି କରୁଥିବା ସିନ୍ଧିଚୋର ବନ୍ଧୁକ ମୁନରେ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ବନ୍ଧୁକ ଜବତ କରିବାରେ ୨୦୨୨ ମସିହା ରେକର୍ଡ ଭାଙ୍ଗିଛି। ବର୍ଷକ ମଧ୍ୟରେ ୩୦ଟି ବନ୍ଧୁକ ଜବତ ହୋଇଛି। କମିସନରେଟ୍‌‌ ପୁଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରି ଏହି ବନ୍ଧୁକ ଓ ଅଫୁଟା ଗୁଳି ଠାବ କରିଛି। ପୁଲିସ ୧୬ଟି ବନ୍ଧୁକ ଓ ୫୦ଟି ଅଫୁଟା ଗୁଳି ଜବତ କରିଥିବାବେଳେ ଏସ୍‌‌ଟିଏଫ୍‌‌ ୧୪ଟି ବନ୍ଧୁକ ଓ ୬୦ଟି ଗୁଳି ଜବତ କରିଛି। ଏଥିରେ ସମ୍ପୃକ୍ତି ରହିଥିବା ନିଶା ବେପାରୀ, କୁଖ୍ୟାତ ଅପରାଧୀ, ମୋଷ୍ଟୱାଣ୍ଟେଡ୍‌‌ଙ୍କୁ ଗିରଫ କରିଛି। ସେଭଳି ଚଳିତବର୍ଷ ମେ, ଜୁନ୍‌‌, ଅଗଷ୍ଟ, ଅକ୍ଟୋବର ଓ ଡିସେମ୍ବର ମାସରେ ଅଧିକ ବନ୍ଧୁକ ଜବତ ହୋଇଛି। ଖଣ୍ଡଗିରି, ଭରତପୁର, ସହିଦନଗର, କ୍ୟାପିଟାଲ, ନୂଆପଲ୍ଲୀ ଭଳି ଥାନାରେ ସର୍ବାଧିକ ବନ୍ଧୁକ ଜବତ ହୋଇଛି।

ସେହିପରି ବିଗତ ଦୁଇବର୍ଷ ତୁଳନାରେ ଭୁବନେଶ୍ୱରରୁ ୨୦୨୨ ମସିହାରେ ଅଧିକ ବନ୍ଧୁକ ଜବତ କରାଯାଇଛି। ବିଗତବର୍ଷରେ ୧୬ ବନ୍ଧୁକ ଜବତ ହୋଇଥିବା ବେଳେ ୨୦୨୧ରେ ୧୨ଟି ଓ ୨୦୨୦ରେ ୯ଟି ବନ୍ଧୁକ ଜବତ ହୋଇଥିଲା। ଏଥର ସିନ୍ଧିଚୋରଙ୍କ ଠାରୁ ମିଳିଛି ବନ୍ଧୁକ। କିଏ ବନ୍ଧୁକ କିଣିଥିଲା ତ ଆଉ କିଏ ଭଡ଼ାରେ ଆଣିଥିଲା। ସେମାନେ ବନ୍ଧୁକ ମୁନରେ ରାଜଧାନୀକୁ ଅକ୍ତିଆର କରି ଅପରାଧ ଘଟାଇ ସହରର ଆଇନଶୃଙ୍ଖଳାକୁ ବିଗାଡ଼ି ଦେଇଥିଲେ। ଜବତ ହୋଇଥିବା ବନ୍ଧୁକ ମଧ୍ୟରେ ଦେଶୀ ବନ୍ଧୁକ, ଗୋଟିଏ ରିଭଲଭର୍‌‌, ଛେରା ବନ୍ଧୁକ ଆଦି ରହିଥିଲା। ଅନ୍ୟପକ୍ଷରେ ଅଫ୍‌‌ଲାଇନ୍‌‌ ଅପେକ୍ଷା ଅନ୍‌‌ଲାଇନ୍‌‌ରେ ଅଧିକ ମାତ୍ରାରେ ବନ୍ଧୁକ କାରବାର ହେଉଛି। କ୍ରେତା ନିକଟରେ ହ୍ୱାଟ୍ସଆପ୍‌‌ରେ ବନ୍ଧୁକ ଫଟୋ ପହଞ୍ଚିବା ପରେ ଧାର୍ଯ୍ୟ ମୂଲ୍ୟ ନିର୍ଦ୍ଧାରିତ କରାଯାଉଛି। ପରେ ଦଲାଲଙ୍କ ଜରିଆରେ ବନ୍ଧୁକ ଠିକଣା ଜାଗାରେ ପହଞ୍ଚିଯାଉଛି। ଏଣୁ ଅନ୍‌‌ଲାଇନ୍‌‌ରେ ବନ୍ଧୁକ କାରବାର ରୋକିବା ଲାଗି ନୂଆ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଚାହିଦାରେ ଆମେରିକାନ୍‌‌ ବନ୍ଧୁକ
ବିହାର ମୁଙ୍ଗେର ଓ ଉତ୍ତରପ୍ରଦେଶରୁ ଆସୁଥିଲା ବନ୍ଧୁକ। ଏବେ ଆମେରିକା ନିର୍ମିତ ବନ୍ଧୁକ ଓଡ଼ିଶାରେ ସହଜରେ ମିଳିଯାଉଛି। ଅତ୍ୟାଧୁନିକ ଓ ସ୍ୱୟଂଚାଳିତ ବନ୍ଧୁକଗୁଡ଼ିକ ଅପରାଧୀଙ୍କ ନିକଟରେ ରହୁଛି। ଦାମ୍‌‌ ଅଧିକ ହେବା ଓ ସୁନ୍ଦର ଦେଖାଯାଉଥିବାରୁ ଆମେରିକା ନିର୍ମିତ ବନ୍ଧୁକର ଚାହିଦା ରହିଛି। ରାଜ୍ୟ ବାହାର ଅପରାଧୀ ବନ୍ଧୁକ ଆଣି ମୋଷ୍ଟୱାଣ୍ଟେଡ୍‌‌ ଅପରାଧୀଙ୍କୁ ଯୋଗାଉଛନ୍ତି। ବାଲିମାଫିଆ, ଟେଣ୍ଡର ଫିକ୍ସିଂ ଆଦିରେ ଲିପ୍ତ ରହୁଥିବା ଗ୍ୟାଙ୍ଗ୍‌‌ଷ୍ଟର ବନ୍ଧୁକ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେହିପରି ବିହାର ଓ ଉତ୍ତରପ୍ରଦେଶରୁ ଟ୍ରକ୍‌‌ ଓ ରେଳପଥରେ ବନ୍ଧୁକ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆସୁଛି। ବିହାରର ମୁଙ୍ଗେରକୁ ବନ୍ଧୁକର ଏନ୍ତୁଡ଼ିଶାଳ କୁହାଯାଉଛି। ସେଠାରେ କୁଟୀରଶିଳ୍ପ ଭାବେ ବନ୍ଧୁକ ପ୍ରସ୍ତୁତ କରି ସାରା ଦେଶକୁ ଚାଲାଣ କରାଯାଉଛି। କଟକରୁ ଧରାପଡ଼ିଥିବା ଧଳସାମନ୍ତ ବଦର୍ସଙ୍କଠାରୁ ଉତ୍ତରପ୍ରଦେଶରେ ନିର୍ମିତ ପୁଳାପୁଳା ବନ୍ଧୁକ ମିଳିଥିଲା।

ଦୁଇବର୍ଷରେ ଏସ୍‌‌ଟିଏଫ୍‌‌ ଠାବ କରିଛି ୫୯ ବନ୍ଧୁକ ଓ ୯୨ ଗୁଳି

ସଂଗଠିତ ଅପରାଧ ରୋକିବା ଦିଗରେ କାମ କରୁଛି ଏସ୍‌‌ଟିଏଫ୍‌‌। ଏଣୁ ବନ୍ଧୁକ କାରଖାନା ଠାବ କରିବା ଦିଗରେ ତଦନ୍ତ ପ୍ରକ୍ରିୟାକୁ ଆହୁରି ତୀବ୍ର କରିଛି ତଦନ୍ତକାରୀ ସଂସ୍ଥା। ସାରା ରାଜ୍ୟରେ ଏ ସମ୍ପର୍କିତ ଧରପଗଡ଼ ଜୋର୍‌‌ଦାର କରାଯାଉଛି। ଏଣୁ ଏସ୍‌‌ଟିଏଫ୍‌‌କୁ ମିଳିଛି ଅହେତୁକ ସଫଳତା। କଟକ, ଭୁବନେଶ୍ୱର, ନୟାଗଡ଼, ପୁରୀ ଓ ଖୋର୍ଦ୍ଧାରୁ ଅଧିକ ବନ୍ଧୁକ ଜବତ ହୋଇଛି। ଦୁଇବର୍ଷ ଧରି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନରେ ଏସ୍‌‌ଟିଏଫ୍‌‌ ୫୯ଟି ବନ୍ଧୁକ ଓ ୯୨ଟି ଅଫୁଟା ଗୁଳି ଜବତ କରିଛି।

Leave a Comment