‘ଦିୟା ଔର୍‌ ବାତି ହମ୍‌’ ପରି ଲୋକପ୍ରିୟ ସୋ’ରେ କାମ କରି ମଧ୍ୟ କାହିଁକି ଆଗକୁ ବଢ଼ି ପାରିଲେନି ସଂଧ୍ୟା

Bartanews

‘ଦିୟା ଔର୍‌ ବାତି ହମ୍‌’ ପରି ଲୋକପ୍ରିୟ ସୋ’ରେ କାମ କରି ମଧ୍ୟ କାହିଁକି ଆଗକୁ ବଢ଼ି ପାରିଲେନି ସଂଧ୍ୟା

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ‘ଦିୟା ଔର୍‌ ବାତି ହମ୍‌’ ଧାରାବାହିକ ଯଦି ଆପଣ ଦେଖିଥିବେ ତ ସଂଧ୍ୟା ବିନ୍ଧଣୀଙ୍କ ଚରିତ୍ରକୁ କେବେ ଭୁଲିପାରିବେ ନାହିଁ। ୨୦୧୧ରେ ପ୍ରସାରିତ ହୋଇଥିବା ଏହି ଧାରାବାହିକଟି ପରେ ଟେଲି ଅଭିନେତ୍ରୀ ଦୀପିକା ସିଂହଙ୍କ ନାମ ସଂଧ୍ୟା ହୋଇଗଲା। ଲୋକେ ତାଙ୍କୁ ସଂଧ୍ୟା ନାମରେ ଜାଣିବାକୁ ଲାଗିଲେ।

କିନ୍ତୁ ଏହି ସୋ ପରେ ଅଭିନେତ୍ରୀ ଅଧିକ କାମ କରିନଥିଲେ। ତାହାର କାରଣ କ’ଣ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିବ ନିଶ୍ଚୟ। ନିକଟରେ ଦୀପିକା କହିଛନ୍ତି, ‘‘ଏଭଳି ସଫଳ ସୋ’ର ଅଂଶ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମୋତେ ବହୁତ ଭଲ ଏବଂ ଆକର୍ଷଣୀୟ ଅଫର ମିଳି ନଥିଲା। ମୋ ନିକଟକୁ କାହିଁକି ଭଲ କାମ ଆସିଲା ନାହିଁ ମୁଁ ଜାଣେନା। କିନ୍ତୁ ମୋର ଚଳଚ୍ଚିତ୍ର ‘ଟିଟୁ ଅମ୍ବାନୀ’ ମୁକ୍ତିଲାଭ କରିଥିଲା। ହେଲେ ତାହାକୁ ବି ବିଶେଷ ସଫଳତା ମିଳିଲା ନାହିଁ।

ଦୀପିକା ସିଂ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘‘ମୁଁ କାମ ପାଇଁ ଲୋକଙ୍କ ସହ ଯୋଗାଯୋଗ କରିବାରେ ସେତେ ଭଲ ନୁହେଁ। ଭଲ ନେଟୱାର୍କ କିପରି ସୃଷ୍ଟି କରାଯାଏ ମୁଁ ଜାଣେନ‌ା। ମୋତେ ଅନେକ ଟିଭି ସୋ’ର ଅଫର୍ ମିଳିଛି। ହେଲେ ଭୂମିକା ସେତେଟା ଭଲ ନ ଥିବାରୁ ମୁଁ ଗ୍ରହଣ କରିନାହିଁ।’’

ଅଭିନେତ୍ରୀ ଆହୁରି ବି କହିଛନ୍ତି ଯେ ଦୈନିକ ସୋ’ରେ କାମ କରିବା ଏତେ ସହଜ ନୁହେଁ। ‘ସୁଟିଂ ସକାଳ ୭ ଟାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ। ବେଳେବେଳେ ଏହାଠାରୁ ଅଧିକ ସମୟ ବି ନେଇଥାଏ। ‘ଦିୟା ଔର୍‌ ବାତି ହମ୍‌’ ସେ ସମୟରେ ୫ ବର୍ଷ ପର୍ଯ୍ୟନ୍ତ ଚାଲିଲା। ମୁଁ ମାନସିକ ଓ ଶାରୀରିକ ଭାବେ କ୍ଳାନ୍ତ ହୋଇ ଯାଇଥିଲି। ମୋ ପରିବାର ପାଇଁ ମୋ ପାଖରେ ସମୟ ନଥିଲା।

Leave a Comment