ମା’-ପୁଅଙ୍କୁ ମାରି ପୋଡ଼ିବା ଘଟଣା: ୮ ଦିନ ପରେ ଅଭିଯୁକ୍ତ ଗିରଫ

Bartanews

ମା’-ପୁଅଙ୍କୁ ମାରି ପୋଡ଼ିବା ଘଟଣା: ୮ ଦିନ ପରେ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା: ଗତ ୨୬ ନଭେମ୍ବର ରାତିରେ ଓଡ଼ିଶା-ଛତିଶଗଡ଼ ସୀମା ରାୟଗଡ଼ ଜିଲ୍ଲା ଜୁଟମିଲ୍‌ ଥାନା ନେତନାଗର ଗ୍ରାମରେ ଜଣେ ମହିଳା ଓ ନାବାଳକଙ୍କ ଶବ କାର୍‌ରେ ଆଣି ପାଳଗଦାରେ ପୋଡ଼ିଦେବା ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। ମୃତ ମହିଳାଙ୍କ ପୁରୁଷ ବନ୍ଧୁ ବିଳାସପୁର ଶାନ୍ତିନଗରର ସୂରଜ ଗୁପ୍ତାକୁ ପୁଲିସ୍‌ ଗିରଫ କରିବା ବ୍ୟବହୃତ କାର୍‌ ଜବତ ହୋଇଛି। ମୃତକ ବିଳାସପୁରର ନିଧି ଔସରିଆ(୨୮) ଓ ତାଙ୍କ ପୁଅ ପାର୍ଥ (୫) ବୋଲି ଜଣାପଡ଼ିଛି। ବରିଷ୍ଠ ପୁଲିସ୍‌ ଅଧୀକ୍ଷକ ସଦାନନ୍ଦ କୁମାରଙ୍କ ନେତୃତ୍ବରେ ଗଠିତ ପୁଲିସ‌ ଟିମ୍‌ରେ ଡିଏସ୍‌ପି ଅମନ ଲଖିସରାନି, ଥାନାଧିକାରୀ ରାମକିଙ୍କର ଯାଦବ ଓ ଭାଗିରଥୀ ଚୌଧୁରୀ ପ୍ରମୁଖ ସାମିଲ ଥିଲେ। ଅଭିଯୁକ୍ତ ସୂରଜକୁ ପୁଲିସର ଜେରା ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି। ନିଧି ଓ ତାଙ୍କ ପୁଅକୁ ହତ୍ୟା କରିବା ପରେ ଶବଦୁଇଟିକୁ ପୋଡ଼ିବାକୁ ସୂରଜ ବିଳାସପୁରରୁ ପ୍ରଥମେ ରାୟଗଡ଼ ଓ ପରେ ନେତନାଗରକୁ ଆସିଥିଲା। ଶବ ଦୁଇଟିକୁ ଗାଡ଼ି ଡିକିରେ ପୂରାଇ ପ୍ରାୟ ୨୦ ଘଣ୍ଟା ବିଭିନ୍ନ ସ୍ଥାନରେ ବୁଲିଥିବା ଜଣାପଡ଼ିଛି।

ଜୁଟମିଲ୍‌ ପୁଲିସ୍‌ର ସୂଚନା ଅନୁସାରେ, ସୂରଜ ଓ ନିଧି ଏକ ରିଅଲ ଇଷ୍ଟେଟ୍‌ କମ୍ପାନିରେ କାମ କରୁଥିଲେ। ସୂରଜ ପୂର୍ବରୁ ବିବାହିତ ଥିବାବେଳେ ନିଧି ନିଜ ୫ ବର୍ଷର ପୁଅ ପାର୍ଥ ସହିତ ଏକାକୀ ରହୁଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ରାୟପୁରର ଏହି କମ୍ପାନିରୁ ବହୁଲୋକଙ୍କଠାରୁ ଟଙ୍କା ଠକି ନେବାପରେ ବିଳାସପୁରରେ ଏକ ଘର ଭଡ଼ାନେଇ ରହୁଥିଲେ। କିଛିଦିନ ଏକାଠି ରହିବା ପରେ ଦୁହିଙ୍କ ମଧ୍ୟ‌ରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗତ ୨୫ ନଭେମ୍ବର ଅପରାହ୍ନରେ ଦୁହିଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ହେବାରୁ ସୂରଜ ଉତ୍ତ୍ୟକ୍ତ ହୋଇ ଏକ ହାତୁଡ଼ିରେ ନିଧିଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତା’ଙ୍କ ୫ ବର୍ଷର ପୁଅ ପାର୍ଥ ଏହା ଦେଖିଦେଇ ଥିବାରୁ ସୂରଜ ଏକ ବିଦ୍ୟୁତ୍ ତାରରେ ତାକୁ ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲା। ୨୬ ତାରିଖ ଭୋରରୁ ଶବ ଦୁଇଟିକୁ ନିଜ ପତ୍ନୀ ବିଭା ଗୁପ୍ତାଙ୍କ ନାମରେ ଥିବା ଏକ୍ସୟୁଭି କାର୍‌ ଡିକିରେ ରଖି ପୋଡ଼ିବାକୁ ବାହାରିଯାଇ ଥିଲା। ନେତନାଗର ଆସି ଶବ ପୋଡ଼ିବାକୁ ସ୍ଥାନ ରେକି କରିବାପରେ ରାତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ରାତିରେ କେହି ଲୋକ ନ ଥିବାର ସୁଯୋଗ ନେଇ ସେ କାର୍‌ରୁ ଶବ କାଢ଼ି ପାଳଗଦାରେ ପୂରାଇବା ସହ ସେଥିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ତେବେ ପୁଲିସ୍‌ର ଛାନ୍‌ଭିନ୍‌ ସମୟରେ ଉକ୍ତ ଏକ୍ସୟୁଭିକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ବିଳାସପୁରର ଉକ୍ତ ଭଡ଼ାଘରେ ପହଞ୍ଚି ଘର ମାଲିକଙ୍କୁ ପୁଲିସ୍‌ ପଚାରିବା ପରେ କିଛିଦିନ ହେବ ନିଧି ଓ ତାଙ୍କ ପୁଅ ଦେଖାଯାଉ ନ ଥିବା ଜାଣିବାକୁ ପାଇଥିଲା। ଯେଉଁଥିରୁ ପୁଲିସ୍‌ର ସନ୍ଦେହ ବଢ଼ି ଯାଇଥିଲା। ଏହି ସମୟରେ ପୁଲିସ୍‌ ଫେସବୁକରେ ନିଧିଙ୍କ ଫ‌ଟୋ ଦେଖିଥିଲା। ଉକ୍ତ ଫଟୋରେ ନିଧିଙ୍କ କାନରେ ଥିବା କାନଫୁଲ ଓ ଅର୍ଦ୍ଧଦଗ୍ଧ ଶବର କାନଫୁଲ ସମାନ ଥିବାରୁ ତାହା ନିଧିଙ୍କର ବୋଲି ସ୍ପଷ୍ଟ ହୋଇଥିବା ପୁଲିସ୍‌ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।

Leave a Comment