ମିଗଜୋମ୍ ପାଇଁ ଜୟପୁରରେ ଓହ୍ଲାଇ ପାରିଲାନି ବିମାନ; ଯାତ୍ରୀଙ୍କ ସହ ବିଧାୟକ, ପୂର୍ବତନ ମନ୍ତ୍ରୀ ହେଲେ ହନ୍ତସନ୍ତ

Bartanews

ମିଗଜୋମ୍ ପାଇଁ ଜୟପୁରରେ ଓହ୍ଲାଇ ପାରିଲାନି ବିମାନ; ଯାତ୍ରୀଙ୍କ ସହ ବିଧାୟକ, ପୂର୍ବତନ ମନ୍ତ୍ରୀ ହେଲେ ହନ୍ତସନ୍ତ

ଜୟପୁର: ବାତ୍ୟା ମିଗଜୋମର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। ପାଗ କୋହଳା ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଫଳରେ ଆଜି ଭୁବନେଶ୍ବର-ଜୟପୁର ଚାଳୁଥିବା ଇଣ୍ଡିଆ ୱାନ ଏୟାରର  ଦ୍ବିତୀୟ ବିମାନ ଜୟପୁର ବିମାନବନ୍ଦରରେ ଓହ୍ଲାଇ ପାରିନଥିଲା। କୋହଳା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ମେଘୁଆ ପାଗ ରହିଥିବାରୁ ବିମାନବନ୍ଦରର ଚାରି ଛକ୍କର ମାରି ବିଶାଖାପାଟଣା ବିମାନବନ୍ଦରକୁ ଯାଇ ସେଠାରେ ଯାତ୍ରୀ ଓହ୍ଲାଇ ଭୁବନେଶ୍ବର ଫେରି ଯାଇଥିଲା। ତେବେ ଭୁବନେଶ୍ବରରୁ ପୁଣି ଜୟପୁର ଆସି ଜୟପୁରରୁ ବିଶାଖାପାଟଣା ଓ ଭୁବନେଶ୍ବର ଯିବାକୁ ଟିକେଟ ସଂରକ୍ଷଣ କରିଥିବା ଯାତ୍ରୀ ମାନେ ଆଜି ଦିନ ତମାମ ବିମାନକୁ ଅପେକ୍ଷା କରି ହନ୍ତସନ୍ତ ହୋଇ‌ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଓ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ମଧ୍ୟ ରହିଛନ୍ତି।

ସୂଚନା ଅନୁଯାୟୀ, ଆଜି ଭୁବନେଶ୍ବରରୁ ନିର୍ଦ୍ଧାରିତ ସମୟରେ ବାହାରିଥିଲା ବିମାନ ତେବେ ଜୟପୁର ବିମାନ ବନ୍ଦର ଆସିବା ପରେ ଏଠାରେ ପାଗ ପୁରା ଖରାଫ ରହିଥିଲା। ବିମାନବନ୍ଦର ଏଟିସି ପକ୍ଷରୁ ବିମାନ ଓହ୍ଲା‌ଇବାକୁ ଅନୁମତି ମିଳିନଥିଲା। ସହର ଉପରେ ଚାରି ଚକ୍କର ମାରି ଇନ୍ଧନକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କୁ ନେଇ ବିଶାଖାପାଟଣା ବିମାନବନ୍ଦରରେ ଓହ୍ଲାଇ ସେଠାରୁ ବିମାନଟି ଭୁବନେଶ୍ବର ଫେରିଯାଇଥିଲା। ତେବେ ବିଶାଖାପାଟଣା ଓ ଭୁବନେଶ୍ବର ଯିବାକୁ ଥିବା ଯାତ୍ରୀଙ୍କ ସହ ବିଶାଖାପାଟଣାରୁ ଜୟପୁର ଆସିବାକୁ ଥିବା ଯାତ୍ରୀ ମାନେ ଆଜି ଯାତ୍ରା କରି ପାରିନଥିଲେ। ଗତ ବର୍ଷା ଦିନରେ ଏହି ପରି ସ୍ଥିତି ଲାଗି ରହିବା ସହ ବହୁ ଦିନ ବିମାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏହି ସ୍ଥିତିରେ ଯାତ୍ରୀ ମାନେ ଏହି ବିମାନ ଉପରେ ଭରସା କରିବା ମୁସ୍କିଲ ବୋଲି ଯାତ୍ରୀ  ଇଂ. ଜଗଦୀଶ ବର୍ମା କହିଛନ୍ତି।   ଜରୁରୀ କାମ କିମ୍ବା ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଉଥିବା ଲୋକେ ଏହି ବିମାନକୁ ଭରସାରେ ନେଇ ପାରିବେ ନାହିଁ ବୋଲି ଇଂ.ବର୍ମା କହିଛନ୍ତି।

ଅଧିକାଂଶ ଦିନ ଜୟପୁରରେ ସାମାନ୍ୟ ମେଘୁଆ ରହି କୁଣ୍ଡା ବର୍ଷା ହୋଇ ବି ଛାଡ଼ି ଯାଉଛି। ବହୁ ସମୟରେ ବିମାନଟି ଜୟପୁର ବିମାନବନ୍ଦରର ଆକାଶ ଉପ‌ରକୁ ଆସିବା ପରେ ଓହ୍ଲାଇବା ପାଇଁ ବିମାନବନ୍ଦରରୁ ଯେଉଁ ଅନୁମତି ମିଳିବା କଥା ମିଳୁନାହିଁ। ସଂପ୍ରତି ଏହି ବିମାନ ଉପରେ ଲୋକଙ୍କର ଆଶା, ବିଶ୍ବାସ ଓ ଆସ୍ଥା ଧିରେ ଧିରେ ତୁଟିବା ଲାଗିଛି। ପରୀକ୍ଷଣ ସମୟରେ ପ୍ରବଳ ବର୍ଷାରେ ବି ବିମାନ ଚଳାଚଳ କରିଥିବାରୁ ବର୍ଷା ମାସରେ ‌ଚଳାଚଳ କରିବ ବୋଲି ଯେଉଁ ଆଶା ଲୋକଙ୍କର ରହିଥିଲା ତାହା ଧିରେ ନିରାଶ ହେବାରେ ଲାଗିଛି।

 

 

Leave a Comment