ଦିନରେ ରେକି, ରାତିରେ ଚୋରି: ଘରେ ପଶି ଲୁଟପାଟ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ଧରିଲା ପୁଲିସ

Bartanews

ଦିନରେ ରେକି, ରାତିରେ ଚୋରି: ଘରେ ପଶି ଲୁଟପାଟ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ଧରିଲା ପୁଲିସ

କେନ୍ଦ୍ରାପଡ଼ା: ଭିକ ମାଗିବାକୁ ଆସି ରେକି କରି ଲୁଟ୍ କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ପୁଲିସ ଗିରଫ କରିଛି। ପୁଲିସ ପଞ୍ଝାରେ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ଏହି ମୁଖ୍ୟ ଗିରଫ ହେବା ପରେ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ପୁଲିସ ଗିରଫ କରିଥିବା ବେଳେ ଚୋରିରେ ସମ୍ପୃକ୍ତ ଅଟୋ ଡ୍ରାଇଭର ଏବଂ ଅନ୍ୟ ତିନିଜଣ ବ୍ୟକ୍ତିଙ୍କୁ ଚୋରି ଜିନିଷ କିଣିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଗ୍ୟାଙ୍ଗର ଲକ୍ଷ୍ମଣ ଦାସ, ବାଗନ ଦାସ, ଏଣ୍ଡୁଅ ଦାସ, ଜଡ଼ା ଦାସ, କୁନା ଦାସ, ସାଜନ ଦାସ, ରଞ୍ଜନ ଦାସ, ବିଲେଇ ଦାସ, ମନୋଜ ମଲ୍ଲିକ ଏହି ଗ୍ୟାଙ୍ଗର ସଦସ୍ୟ ରହିଥିବାବେଳେ ପୁଲିସ ସେମାନଙ୍କ ନିକଟରେ ପହଞ୍ଚିପାରିନି।

ସୂଚନାନୁଯାୟୀ, କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଘିଗିଡିଆ ଗାଁର ଶୁଭକାନ୍ତ ପ୍ରଧାନ ଓ ତାଙ୍କ ପତ୍ନୀ ଗତ ୭ ତାରିଖରେ କୌଣସି କାମରେ କେନ୍ଦ୍ରାପଡା ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ଘରେ ପଶି ସୁନା ଚେନ, କାନଫୁଲ, ଝୁଣ୍ଟିଆ ଇତ୍ୟାଦି ଚୋରୀ କରି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଶୁଭକାନ୍ତ ଗତ ସେପ୍ଟେମ୍ବର ୯ ତାରିଖରେ ନିକିରାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଆଇଆଇସି ଜ୍ୟୋତିର୍ମୟୀ ସେଠୀ ଘଟଣାର ତଦନ୍ତ କରିଥିଲେ।

ଏହି ସମୟରେ ଚୋରି ହୋଇଥିବା ସ୍ଥାନରେ ଅଭିଯୁକ୍ତ ନିଜର ଏକ ମୋବାଇଲ ଛାଡ଼ି ଦେଇ ପଳାଇଥିଲେ। ଏହି ମୋବାଇଲ ପୁଲିସ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ତେବେ ତଦନ୍ତ ସମୟରେ ଡେରାବିଶ ଥାନା ଅନ୍ତର୍ଗତ ନୋଳସାହି ଆଦିବାସୀ ବସ୍ତିର ବୁବୁନା ଦାସ ସମ୍ପୃକ୍ତି ଜଣାପଡିବା ପରେ ପୁଲିସ ବୁବୁନାକୁ ରାତି ଅଧରେ ଉଠାଇ ଆଣି ପଚରାଉଚରା କରିଥିଲା। ଅନ୍ୟପଟେ ବୁବୁନା ତାର ସମ୍ପୂର୍ଣ୍ଣ କଳା କାରନାମା ସମ୍ପର୍କରେ ପୁଲିସ ଆଗରେ ବୟାନ ରଖିଥିଲା । ତେବେ ନିକିରାଇ, ରାଜନଗର ଏବଂ ଡେରାବିଶ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଗ୍ୟାଙ୍ଗ ଚୋରି କରିଥିବା ସୂଚନା ମିଳିଥିଲା । ବୁବୁନା ସହ ଲୁଟ ଘଟଣାରେ ସମ୍ପୃକ୍ତ ଅଟୋ ଡ୍ରାଇଭର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗାଁର ମନୋଜ ମଲିକ, ଚୋରି ଜିନିଷ କିଣିଥିବା ଇନ୍ଦୁପୁର ଅଞ୍ଚଳର ଦୁଇ ବ୍ୟବସାୟୀ ସୁରେନ୍ଦ୍ର ସାହୁ, ବାବାଜୀ ଚରଣ ସାହୁ ଏବଂ ଡେରାବିଶ୍ ଥାନା ଅନ୍ତର୍ଗତ ନୋଳସାହି ଗାଁର ପ୍ରଦୀପ୍ତ ମଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ତେବେ ବୁବୁନାର ଅନ୍ୟ ସମସ୍ତ ସହଯୋଗୀ ଫେରାର ହୋଇ ଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ପୁଲିସ ଧରିନେବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଳନ୍ଧର ଜାଲି କହିଛନ୍ତି । ତେବେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ କୌଣସି ଚୋରା ଜିନିଷ କିଣିବାରେ ସମ୍ପୃକ୍ତି ନଥାଇ ନିକିରାଇ ପୋଲିସ ରାତି ଅଧରେ ଘରେ ପଶି ମାଡ଼ ମାରି ତାଙ୍କ ସ୍ୱାମୀଙ୍କୁ ନେଇ ଆସିଥିବା ନେଇ ପୋଲିସ ନାଁରେ ପ୍ରଦୀପ୍ତଙ୍କ ପତ୍ନୀ ଜୟନ୍ତୀ ମଲ୍ଲିକଅଭିଯୋଗ କରିଛନ୍ତି।

ଜୟନ୍ତୀଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ଫୋର୍ସ ଗତ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ଖରାପ ଭାଷା ବ୍ୟବହାର କରି ବଳପୂର୍ବକ ଲକର ଭାଙ୍ଗି ସୁନା ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୩ ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା ଜବତ କରାଯିବା ସହ ଗୋଟିଏ ବାଇକ ଓ ଅଟୋ ସମେତ ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି। ତେବେ ପୋଲିସ କ୍ରେତା ଦର୍ଶାଇ ଗିରଫ କରିଥିବା ୨ ଜଣ ସୁରେନ୍ଦ୍ର ସାହୁ, ବାବାଜୀ ଚରଣ ସାହୁ ତୁରନ୍ତ କୋର୍ଟରୁ ଜାମିନ ମିଳିଯାଇଛିୟ ଅନ୍ୟତମ କ୍ରେତା ଜମି ପଟ୍ଟା ଯୋଗାଡ କରିବାରେ ବିଫଳ ହେବାରୁ ପ୍ରଦୀପ୍ତ କୁମାର ମଲ୍ଲିକଙ୍କୁ ଜାମିନ ମିଳିପାରିନଥିବା ସୂଚନା ମିଳିଛି। ଆଜିର ଏହି ସାମ୍ୱାଦିକ ସମ୍ମିଳନୀ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଅତିରିକ୍ତ ଏସ୍ପି ଜଳନ୍ଧର ଜାଲି, ଥାନା ଅଧିକାରୀଣୀ ଜ୍ୟୋତ୍ରିମୟୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment