ଗବ୍ବରଙ୍କ ୩୮ ବର୍ଷକୁ ପାଳିଲା ଭାରତ

Bartanews

ଗବ୍ବରଙ୍କ ୩୮ ବର୍ଷକୁ ପାଳିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ପ୍ରମୁଖ ଓପନିଂ ବ୍ୟାଟର୍‌ ଶିଖର ଧାୱନ ନିଜ ‘ଗବ୍ବର ଷ୍ଟାଇଲ୍‌’ ପାଇଁ ପରିଚିତ। ମଙ୍ଗଳବାର ଧାୱନକୁ ୩୮ ବର୍ଷ ପୂରଣ ହୋଇଛି। ତାଙ୍କ ଜନ୍ମଦିନକୁ ଭାରତୀୟ କ୍ରିକେଟ୍‌ପ୍ରେମୀ ବିଭିନ୍ନ ରୂପରେ ପାଳନ କରି ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଏଇଥି ପାଇଁ ମଙ୍ଗଳବାର ମଧ୍ୟ ସାମାଜିକ ଗଣମାଧ୍ୟମ ଚଳଚଞ୍ଚଳ ହୋଇଉଠିଛି। ଭାରତୀୟ ଦଳରୁ ଧାୱନ ଶେଷ ଥର ପାଇଁ ଗତବର୍ଷ ଡିସେମ୍ବର ୧୦ ତାରିଖରେ ବାଂଲାଦେଶ ବିପକ୍ଷ ଦିନିକିଆରେ ପ୍ରତିନିଧିତ୍ବ କରିଥିଲେ। ସେହି ଦୃଷ୍ଟିରୁ ବିଗତ ୧୦ ବର୍ଷ ଭିତରେ ଧାୱନ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବ୍ୟସ୍ତତା ବିନା ଜନ୍ମଦିନ ପାଳନ କରିଛନ୍ତି। ଭାରତୀୟ ଦଳରୁ ଏକପ୍ରକାର ସ୍ଥାୟୀ ଭାବେ ବାଦ୍ ପଡ଼ିଥିବା ଧାୱନ ଖେଳ ଜୀବନର ପ୍ରାରମ୍ଭରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ପାଇଥିଲେ। କେବଳ ଜିତିବା ନୁହେଁ ଭାରତର ଏହି ଶେଷ ଆଇସିସି ଟ୍ରଫି ବିଜୟରେ ମଧ୍ୟ ରୋହିତ ଶର୍ମାଙ୍କ ସହ ମିଶି ଭାରତର ପ୍ରାରମ୍ଭିକ ବ୍ୟାଟିଂକୁ ସେ ଶିଖରରେ ପହଞ୍ଚାଇଥିଲେ। ଧାୱନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହି ପ୍ରତିଯୋଗିତା ପରଠାରୁ ହିଁ ରୋହିତଙ୍କୁ ‘ହିଟ୍‌ମ୍ୟାନ୍‌’ ଏବଂ ନିଜ ମୁଛ ମୋଡ଼ା ଓ ଜଙ୍ଗ ପିଟା ଷ୍ଟାଇଲ୍ ପାଇଁ ଧାୱନଙ୍କୁ ଗବ୍ବର ଆଖ୍ୟା ମିଳିଥିଲା। ୨୦୧୮ ମସିହାରେ ଶେଷ ଟେଷ୍ଟ୍ ଖେଳିଥିଲେ ମଧ୍ୟ ଧଳାବଲ୍‌ କ୍ରିକେଟ୍ ଖେଳି ଆସୁଥିଲେ। କେଏଲ୍ ରାହୁଲଙ୍କ ଆବିର୍ଭାବ ପରଠାରୁ ଚୟନକର୍ତାମାନେ ଧାୱନଙ୍କ ଉପରୁ ନଜର ହଟାଇ ଦେଇଛନ୍ତି। ସେହିଭଳି ଦିନିକିଆ ଫର୍ମାଟରେ ଶୁବମନ ଗିଲ୍‌ଙ୍କ ପ୍ରବେଶ ବି ଗବ୍‌ବ ରଙ୍କ ଫେରିବାର ବାଟ ବନ୍ଦ କରି ଦେଇଛି।

୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ମୁକୁଟ ବିଜେତା ଧାୱନଙ୍କ ବ୍ୟାଟିଂ କ୍ଷମତା ମଧ୍ୟ ୨୦୧୫ ଦିନିକିଆ ବିଶ୍ବକପ୍‌ରେ ପ୍ରତିଫଳିତ ହୋଇଥିଲା। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ସେ ଭାରତର ଅଗ୍ରଣୀ ରନ୍‌ ସଂଗ୍ରହକାରୀ ଥିଲେ। ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଧାୱନଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଥିଲା। ଫାଇନାଲ୍‌ରେ ଭାରତକୁ ପାକିସ୍ତାନ ହରାଇ ଦେଇଥିଲେ ମଧ୍ୟ ଧାୱନ ପ୍ରତିଯୋଗିତାର ଅଗ୍ରଣୀ ରନ୍‌ ସ୍କୋରର୍ ଥିଲେ। ୨୦୧୮ ଏସିଆ କପ୍‌ରେ ଭାରତର ସପ୍ତମ ମୁକୁଟ ବିଜୟରେ ସେ ମଧ୍ୟ ୬୮.୪୦ ହାରରେ ୩୪୨ ରନ୍‌ ସଂଗ୍ରହ କରି ପ୍ରମୁଖ ଭୂମିକା ତୁଲାଇଥିଲେ। ଶିଖରଙ୍କ ୧୨ ବର୍ଷର କ୍ରିକେଟ୍ ଜୀବନର ଅଭିଜ୍ଞତାରୁ ଏବେ ପରବର୍ତ୍ତୀ ପିଢ଼ି ଅନେକ କିଛି ପାଇବାକୁ ଯାଉଛନ୍ତି। ସେ କିନ୍ତୁ କ୍ରିକେଟ୍ ପଡ଼ିଆରୁ ସମ୍ପୂର୍ଣ୍ଣ ଦୂରେଇ ଯାଇନାହ‌ାନ୍ତି। ଆଇପିଏଲ୍‌ରେ ସେ ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଉଛନ୍ତି। ଶିଖର ଧାୱନଙ୍କ ଟେଷ୍ଟ୍ ଆଗମନଙ୍କୁ କିନ୍ତୁ କ୍ରିକେଟ୍‌ ଦୁନିଆ କେବେ ଭୁଲିପାରିବ ନାହିଁ। ୨୦୧୩ ମୋହାଲି‌ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ ପାଳିରେ ୧୮୭ ରନ୍‌ର ବିସ୍ଫୋରକ ପାଳି ଖେଳିବା ସହ ଭାରତକୁ ଅଗ୍ରଣୀ କରାଇଥିଲେ ଏବଂ ଭାରତ ଏହି ଟେଷ୍ଟ୍‌ ଶେଷରେ ଜିତିବାରୁ ଧାୱନ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Leave a Comment