ବିଜୟ ହଜାରେ ଟ୍ରଫି: ଶକ୍ତିଶାଳୀ ମୁମ୍ବାଇକୁ ହରାଇଲା ଓଡ଼ିଶା

Bartanews

ବିଜୟ ହଜାରେ ଟ୍ରଫି: ଶକ୍ତିଶାଳୀ ମୁମ୍ବାଇକୁ ହରାଇଲା ଓଡ଼ିଶା

କଟକ/ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଦଳ ବିଜୟ ହଜାରେ ଟ୍ରଫି ଏକଦିବସୀୟ ପ୍ରତିଯୋଗିତାର ନକ୍‌ଆଉଟ୍ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ତେବେ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଶକ୍ତିଶାଳୀ ମୁମ୍ବାଇକୁ ୮୬ ରନ୍‌ରେ ପରାସ୍ତ କରି ଶାନ୍ତନୁ ମିଶ୍ରଙ୍କ ଦଳ ଚମତ୍କାର ଢଙ୍ଗରେ ଅଭିଯାନ ଶେଷ କରିଛି। ପରାଜୟ ସତ୍ତ୍ବେ ଗ୍ରୁପ୍‌-‘ଏ’ରୁ ମୁମ୍ବାଇ ଓ କେରଳ କ୍ବାର୍ଟରଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶା ୭ ମ୍ୟାଚ୍‌ରୁ ୪ ବିଜୟ ସହ ୮ ଦଳୀୟ ଏହି ଗ୍ରୁପ୍‌ରେ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ମଙ୍ଗଳବାର ବେଙ୍ଗାଲୁରୁର ଆଲୁର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମୁକାବିଲାରେ ଓଡ଼ିଶାକୁ ବିଜୟୀ କରିବାରେ କାର୍ତିକ ବିଶ୍ବାଳଙ୍କ ଅର୍ଦ୍ଧଶତକ ଏବଂ ବୋଲରଙ୍କ ମିଳିତ ପ୍ରୟାସ ନିର୍ଣ୍ଣାୟକ ହୋଇଥିଲା। ମୁମ୍ବାଇ ଟସ୍ ଜିତି ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୧୯୯ ରନ୍‌ କରିଥିଲା। ଅଷ୍ଟମ ଓଭର ବେଳକୁ ଓଡ଼ିଶା ୧୬/୩ରେ ସଂଘର୍ଷ କରିଥିଲା। ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ସହ ଅଭିଜ୍ଞ ଶୁଭ୍ରାଂଶୁ ସେନାପତି, ୱିକେଟରକ୍ଷକ ପ୍ରବୀଣ ଲୁହା ପ୍ୟାଭିଲିଅନ୍ ଫେରିଯାଇଥିଲେ। ସନ୍ଦୀପ ପଟ୍ଟନାୟକ ଓ କାର୍ତ୍ତିକ ବିଶ୍ବାଳ କିନ୍ତୁ ୧୧ ଓଭରରେ ୪୪ ରନ୍‌ ଯୋଡ଼ି ପାଳିରେ ସ୍ଥିରତା ଆଣିଥିଲେ। ୬୮ ବଲ୍‌ରୁ ୩୫ ରନ୍‌ ସଂଗ୍ରହ କରି ସନ୍ଦୀପ ଆଉଟ୍ ହୋଇଯିବା ପରେ କାର୍ତ୍ତିକ ବିଶ୍ବାଳ (୯୮ ବଲ୍‌ରୁ ୬୪ ରନ୍, ୬ ଚୌକା) ଓ ଗୋବିନ୍ଦ ପୋଦ୍ଦାର (୫୪ ବଲ୍‌ରୁ ୩୯ ରନ୍‌, ୨ ଚୌକା, ୧ ଛକା) ୮୯ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଉଭୟଙ୍କୁ ଆଙ୍କୋଲେକର ତାଙ୍କ ଲଗାତାର ଓଭରରେ ଆଉଟ୍ କରି ଓଡ଼ିଶାକୁ ରୋକିଥିଲେ। ନିମ୍ନକ୍ରମରେ କିନ୍ତୁ ଅଭିଷେକ ରାଉତ (୩୭ ବଲ୍‌ରୁ ୩୫* ରନ୍‌, ୨ ଚୌକା, ୨ ଛକା) ଆକର୍ଷଣୀୟ ପାଳି ‌ଖେଳିଥିଲେ। ଏହା ସତ୍ତ୍ବେ ଓଡ଼ିଶା ୧୯୯/୯ର ସାଧାରଣ ସ୍କୋର୍‌ କରିଥିଲା। ଶେଷରେ କିନ୍ତୁ ଏହାକୁ ଯଥେଷ୍ଟ ସାବ୍ୟସ୍ତ କରିଥିଲେ ଓଡ଼ିଶା ବୋଲର। ଶୃଙ୍ଖଳିତ ବୋଲିଂ କରି ମୁମ୍ବାଇ ଦଳକୁ ୩୨.୩ ଓଭରରେ ୧୧୩ ରନ୍‌ରେ ଅଲ୍ଆଉଟ୍ କରି ଦେଇଥିଲେ। ୧୧ ନମ୍ବର ବ୍ୟାଟର୍‌ ରୟସ୍ତନ ଡାଏସ ସର୍ବାଧିକ ୨୪ ରନ୍‌ ଓ ହାର୍ଦିକ ତୋମାର ସର୍ବାଧିକ ୨୩ ରନ୍‌ କରିଥିଲେ। ଅଜିଙ୍କ୍ୟ ରାହାଣେଙ୍କ ଦଳ କିନ୍ତୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଦେବବ୍ରତ ପ୍ରଧାନ ନେଇଥିଲେ ରାହାଣେଙ୍କ ୱିକେଟ୍। ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତି ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ଅଭିଷେକ ଯାଦବ, ଗୋବିନ୍ଦ ପୋଦ୍ଦାର ମଧ୍ୟ ତାଳ ଦେଇଥିଲେ। ଏହି ୪ ବୋଲର ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ‌ ସ୍କୋର: ଓଡ଼ିଶା ୫୦ ଓଭରରେ ୧୯୯/୯ (କାର୍ତ୍ତିକ ବିଶ୍ବାଳ-୬୪, ଗୋବିନ୍ଦ ପୋଦ୍ଦାର-୩୯, ସନ୍ଦୀପ ପଟ୍ଟନାୟକ-୩୫, ଅଭିଷେକ ରାଉତ-୩୫*, ମୋହିତ ଅୱସ୍ତି-୩/୩୦, ଅଥର୍ବ ଆଙ୍କୋଲେକର-୨/୩୪, ରୟସ୍ତନ ଡାଏସ-୨/୩୬)। ମୁମ୍ବାଇ ୩୨.୩ ଓଭରରେ ୧୧୩/୧୦ (ରୟସ୍ତନ ଡାଏସ-୨୪*, ହାର୍ଦିକ ତୋମାର-୨୩, ଦେବବ୍ରତ ପ୍ରଧାନ-୨/୨୦, ରାଜେଶ ମହାନ୍ତି-୨/୨୧, ଗୋବିନ୍ଦ ପୋଦ୍ଦାର-୨/୨୬, ଅଭିଷେକ ଯାଦବ-୨/୨୮, ଶାନ୍ତନୁ ମିଶ୍ର-୧/୨)।

Leave a Comment