ଇଡି ପାଇଁ ବ୍ୟାଙ୍କ ଫେରିପାଇଲେ ୧୫,୧୮୩ କୋଟି

Bartanews

ଇଡି ପାଇଁ ବ୍ୟାଙ୍କ ଫେରିପାଇଲେ ୧୫,୧୮୩ କୋଟି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ନିରୋଧୀ ଆଇନ ଅଧୀନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସରକାରୀ ବ୍ୟାଙ୍କଗୁଡ଼ିକ ଲାଗି ଲାଭଦାୟକ ସାବ୍ୟସ୍ତ ହୋଇଛି। ଇଡି ଜବତ କରିଥିବା ୧୫,୧୮୬ କୋଟି ଟଙ୍କା ସରକାରୀ ବ୍ୟାଙ୍କଗୁଡ଼ିକୁ ଫେରାଇ ଦିଆଯାଇଛି ‌ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ ଖିଲାପୀମାନଙ୍କ ବିରୋଧରେ ବିଭିନ୍ନ ଆଇନ ଅଧୀନରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବଳରେ ବିପୁଳ ଟଙ୍କା ବ୍ୟାଙ୍କଗୁଡ଼ିକୁ ପାଖକୁ ଫେରିପାରିଛି। ସେ କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୧୩,୯୭୮ଟି ଋଣ ଖାତାର ଅର୍ଥ ଅସୁଲ କରିବା ଲାଗି ମାମଲା ରୁଜୁ ହୋଇଥିଲା। ସେଥିରୁ ୫୬୭୪ଟି ମାମଲାରେ ଏତଲା ଦିଆଯାଇଥିଲା ଏବଂ ୩୩,୮୦୧ କୋଟି ଟଙ୍କା ଫେରିଥିଲା। ସେହିପରି, ଚଳିତ ବର୍ଷ ଡିସେମ୍ବର ୧ ସୁଦ୍ଧା ଇଡି ୧୫,୧୮୬.୬୪ କୋଟି ଟଙ୍କା ଜବତ କରିଥିବା ବେଳେ ସେଥିରୁ ୧୫,୧୮୩.୭୭ କୋଟି ଟଙ୍କା ସରକାରୀ ବ୍ୟାଙ୍କ ଖାତାକୁ ଫେରିଥିବା ସେ କହିଛନ୍ତି।

ପଳାତକ ଅର୍ଥନୈତିକ ଅପରାଧୀ ନିୟମ ୨୦୧୮ ଅଧୀନରେ ୬୯୨.୮୯ କୋଟି ଟଙ୍କା ଜବତ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇ ଆର୍ଥିକ ବର୍ଷରେ ବାଣିଜ୍ୟିକ ବ୍ୟାଙ୍କର ଅନାଦେୟ ଋଣ ବା ଏନ୍‌ପିଏ ଖାତା ସଂଖ୍ୟା ୨.୧୯ କୋଟିରୁ ହ୍ରାସ ପାଇ ୨.୦୬ କୋଟି ହୋଇଛି। ମୋଟ ଏନପିଏ ରାଶି ୨୦୨୧-୨୨ରେ ୨.୮୬ ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୨୦୨୨-୨୩ରେ ୨.୧୩ ଲକ୍ଷ କୋଟି ଟଙ୍କା ହୋଇଛି।

Leave a Comment