ଏସ୍‌ଆଣ୍ଡ୍‌ପିର ଆକଳନ: ୨୦୩୦ରେ ଭାରତ ହେବ ତୃତୀୟ ବଡ଼ ମହାଶକ୍ତି

Bartanews

ଏସ୍‌ଆଣ୍ଡ୍‌ପିର ଆକଳନ: ୨୦୩୦ରେ ଭାରତ ହେବ ତୃତୀୟ ବଡ଼ ମହାଶକ୍ତି

ନୂଆଦିଲ୍ଲୀ: ଭାରତ ୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବଡ଼ ଅର୍ଥନୀତିରେ ପରିଣତ ହେବ। ୨୦୨୩ରୁ ୨୦୨୬ ମଧ୍ୟରେ ଦେଶର ଅଭିବୃଦ୍ଧି ହାର ୬.୪ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ ଆକଳନ କରିଛି। ବିଶ୍ବର ଆର୍ଥିକ ମହାଶକ୍ତିଗୁଡ଼ିକ ମଧ୍ୟରେ ଭାରତ ଏକ ପଞ୍ଚମ ସ୍ଥାନରେ ଥିବା ବେଳେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ସ୍ଥାନରେ ଆମେରିକା, ଚୀନ୍, ଜର୍ମାନ ଓ ଜାପାନ ରହିଛନ୍ତି। ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ଆକଳନ କରିଛି ଯେ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ତେବେ ବିଶ୍ବର ପରବର୍ତ୍ତୀ ପ୍ରମୁଖ ମାନୁଫାକ୍‌ଚରିଂ ହେବାରେ ଭାରତ ସଫଳ ହେବା ନେଇ ବହୁ ଆହ୍ବାନ ରହିଛି। ଏକ ଦୃଢ଼ ଲଜିଷ୍ଟିକ୍ସ ନେଟ୍‌ୱର୍କ ଭାରତକୁ ଏକ ସେବା ଅର୍ଥନୀତିରୁ ମାନୁଫାକ୍‌ଚରିଂ (ବିନିର୍ମାଣ) ଅର୍ଥନୀତିରେ ପରିଣତ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ଶ୍ରମ ବଜାରରେ ରହିଥିବା ସୁଯୋଗ ହାସଲ କରିବାକୁ ହେଲେ ଶ୍ରମିକଙ୍କ ଦକ୍ଷତାରେ ଉନ୍ନତି ଆଣିବା ଏବଂ ଶ୍ରମ ଶକ୍ତିରେ ମହିଳାଙ୍କ ଯୋଗଦାନ ବଢ଼ାଇବାକୁ ହେବ। ଏଥିରେ ସଫଳ ହେଲେ ଭାରତର ଜନସଂଖ୍ୟାରେ ଯେଉଁ ଲାଭ ରହିଛି ତାହାକୁ ଦେଶ ହାସଲ କରିପାରିବ। ଏହା ବ୍ୟତୀତ ଦେଶର ଡିଜିଟାଲ ବଜାର ମଧ୍ୟ ବେଶ ଚମତ୍କାର ରହିଛି ଯାହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ଆର୍ଥିକ ଓ ଉପଭୋକ୍ତା ପ୍ରଯୁକ୍ତିରେ କିଛି ଷ୍ଟାର୍ଟଅପ୍ ବହୁ ଆଗକୁ ଯିବାର ସମ୍ଭାବନା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ଏବେ ୩.୭ ଟ୍ରିଲିଅନ ଡଲାର ରହିଛି। କିଛି ମାସ ପୂର୍ବେ ଏହା ବ୍ରିଟେନ୍ ଓ ଫ୍ରାନ୍ସକୁ ଅତିକ୍ରମ କରି ପଞ୍ଚମ ସ୍ଥାନକୁ ଆସିଛି। ୨୦୨୬-୨୭ ସୁଦ୍ଧା ଭାରତ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ରୂପାନ୍ତରୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Comment