୫ରୁ ନାଟକୋତ୍ସବ: ମଞ୍ଚ କହିବ ମହାପୁରୁଷ ଓ ମହୀୟସୀଙ୍କ ଗାଥା

Bartanews

୫ରୁ ନାଟକୋତ୍ସବ: ମଞ୍ଚ କହିବ ମହାପୁରୁଷ ଓ ମହୀୟସୀଙ୍କ ଗାଥା

ଭୁବନେଶ୍ବର: ଜନ୍ମମାଟିର ଉନ୍ନତି ପାଇଁ ସେମାନଙ୍କ ଅବଦାନ ଥିଲା ଅତୁଳନୀୟ। ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ହୋଇ କିଏ ଦୀନଦରିଦ୍ରଙ୍କ ବନ୍ଧୁ ସାଜିଥିଲେ ତ ଆଉ କିଏ ସମାଜ ସଂସ୍କାର ପାଇଁ ବ୍ରତୀ ହୋଇ ତତ୍କାଳୀନ ରକ୍ଷଣଶୀଳ ସମାଜ ବ୍ୟବସ୍ଥାର ବେଡ଼ିରୁ ନିଜକୁ ମୁକୁଳାଇଥିଲେ। ନାରୀ ଶିକ୍ଷା ଓ ନାରୀ ସ୍ବାଧୀନତା ପାଇଁ ଘରର ଏରୁଣ୍ଡି ବନ୍ଧ ଡେଇଁ ସଂଗ୍ରାମ କରିଥିଲେ। ସେହିଭଳି ସେମାନେ ନିଜର ଶାଣିତ ଲେଖନୀ ମୁନରେ ଜାଳି ଦେଇଥିଲେ ଦେଶପ୍ରେମର ବହ୍ନି। ଏଭଳି ମହାପୁରୁଷ ଓ ମହୀୟସୀମାନଙ୍କ ଗାଥା ଫୁଟିଉଠିବ ମଞ୍ଚରେ। ଯୁବପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ୫ରୁ ୯ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ନାଟକ ଉତ୍ସବରେ ପରିବେଷିତ ହେବ ଓଡ଼ିଆ ମାଟିର ମହାପୁରୁଷ ଓ ମହୀୟସୀମାନଙ୍କ ଜୀବନଦର୍ଶନକୁ ନେଇ ରଚିତ ୫ ନାଟକ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ବାରା ଏହି ନାଟକ ଉତ୍ସବ ହେବ। ପ୍ରତ୍ୟେକ ଦିନ ସଂଧ୍ୟା ସାଢ଼େ ୬ଟାରେ ଜଣେ ପ୍ରବାଦପୁରୁଷଙ୍କ ଜୀବନୀକୁ ନେଇ ନାଟକ ମଞ୍ଚସ୍ଥ ହେବ। ୫ ତାରିଖ ଉଦ୍‌ଘାଟନୀ ସନ୍ଧ୍ୟାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ଅଧାରିତ ନାଟକ ‘ଉତ୍କଳମଣି’ ମଞ୍ଚସ୍ଥ ହେବ। ପଞ୍ଚାନନ ଦାଶଙ୍କ ରଚିତ ଓ ଅତୀଶ ଶତପଥୀଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ସମ୍ବଲପୁରର ‘ଅଦୃଶ୍ୟ ନାଟ୍ୟ ଆଶ୍ରମ’ ପକ୍ଷରୁ ପରିବେଷଣ କରାଯିବ। ଦ୍ବିତୀୟ ସନ୍ଧ୍ୟାରେ ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୀବନୀ ଅଧାରିତ ନାଟକ ‘ଶେଫାଳିର ମହକ’ ପରିବେଷିତ ହେବ। ଜଟଣୀର ନାଟ୍ୟସଂସ୍ଥା ‘ଡିଭାଇନ୍‌’ ପକ୍ଷରୁ ପରିବେଷିତ ହେବାକୁ ଥିବା ଏହି ନାଟକକୁ ରଚନା କରିଛନ୍ତି ସଞ୍ଜୟ ହୋତା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିପ୍ଳବ କେଶରୀ ଶତପଥୀ। ତୃତୀୟ ସଂଧ୍ୟାରେ ଓଡ଼ିଆ ଜ୍ଞାନକୋଷ ଜ୍ଞାନମଣ୍ଡଳର ମୂଳ ପ୍ରଣେତା ପଦ୍ମଶ୍ରୀ ବି‌ନୋଦ କାନୁନ୍‌ଗୋଙ୍କ ଜୀବନୀକୁ ନେଇ ମଞ୍ଚସ୍ଥ ହେବ ନାଟକ ‘ଜ୍ଞାନ ତପସ୍ବୀ’। ସାହିତ୍ୟିକ ଅରବିନ୍ଦ ରାୟଙ୍କ ରଚିତ ଓ ଦେବାନନ୍ଦ ନାୟକ(ସୋନି)ଙ୍କ ପରିକଳ୍ପିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ଭୁ‌ବନେଶ୍ବରର ‘ଏକ୍ସପ୍ରେସନ୍ସ’ ନାଟ୍ୟସଂସ୍ଥା ପରିବେଷଣ କରିବ। ଚତୁର୍ଥ ସଂଧ୍ୟାର ନାଟକରେ ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ସଂଘର୍ଷମୟ ଜୀବନୀ ଉପରେ ରଚିତ ନାଟକ ‘ରମାଦେବୀ’ ମଞ୍ଚସ୍ଥ ହେବ। ଝାରସୁଗୁଡ଼ା ବେଲପାହାଡ଼ ‘ମିରର୍‌ ଥିଏଟର’ ପକ୍ଷରୁ ପରିବେଷିତ ହେବାକୁ ଥିବା ଏହି ନାଟକକୁ ନାରାୟଣ ସାହୁ ରଚନା କରିଥିବା ବେଳେ ସୁବାସଚନ୍ଦ୍ର ପ୍ରଧାନ ନିର୍ଦ୍ଦେଶନା ଦେଇଛନ୍ତି। ଶେଷ ସଂଧ୍ୟାରେ ଆଦିକବି ସାରଳା ଦାସଙ୍କ ଜୀବନୀକୁ ରଚିତ ନାଟକ ‘ଆଦିକବି’। ସୀତେଶ ତ୍ରିପାଠୀଙ୍କ ରଚିତ ଓ ଦର୍ପ ନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଭୁବନେଶ୍ବର ‘ରଙ୍ଗମ୍‌’ର କଳାକାରମାନେ ପରିବେଷଣ କରିବେ।

ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥଙ୍କ ସୂଚନାନୁସାରେ ଓଡ଼ିଆ ଜାତିର ମହାପୁରୁଷ ଓ ମହୀୟସୀମାନଙ୍କ ବିଷୟରେ ଆମର ଉତ୍ତରପିଢ଼ି ଜାଣିବା ଜରୁରୀ। ସେମାନଙ୍କ ଜୀବନ ଦର୍ଶନ ଆମ ଯୁବପିଢ଼ିକୁ ନିଜ ଜନ୍ମମାଟି ପାଇଁ କାମ କରିବାକୁ ଅନୁପ୍ରାଣିତ କରିବ। ସେଥିପାଇଁ ଗତ ତିନି ବର୍ଷ ଧରି ଓଡ଼ିଆ ପ୍ରବାଦପୁରୁଷଙ୍କ ଜୀବନୀକୁ ‌ନେଇ ଏହି ନାଟକ ଉତ୍ସବ ଆୟୋଜନ କରାଯାଉଛି। ପ୍ରଥମ ବର୍ଷ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସନ୍ଥକବି ଭୀମ ଭୋଇ, ବୀର ସୁରେନ୍ଦ୍ର ସାଏ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଗଣକବି ବୈଷ୍ଣବ ପାଣିଙ୍କୁ ନାଟକ ମଞ୍ଚସ୍ଥ କରାଯାଇଥିଲା। ଦ୍ବିତୀୟ ବର୍ଷ ବ୍ୟାସକବି ଫକୀରମୋହନ ସେନାପତି, ସ୍ବଭାବକବି ଗଙ୍ଗାଧର ମେହେର, ଭକ୍ତକବି ଦୀନକୃଷ୍ଣ ଦାସ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଉପରେ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥିଲା।

Leave a Comment