ସ୍ବର ଆପଣଙ୍କର: ମୌଳିକ ସୁବିଧାରୁ ବଞ୍ଚିତ ଡୁମୁଡୁମା ଗାଁ ମୂଳ ବାସିନ୍ଦା

Bartanews

ସ୍ବର ଆପଣଙ୍କର: ମୌଳିକ ସୁବିଧାରୁ ବଞ୍ଚିତ ଡୁମୁଡୁମା ଗାଁ ମୂଳ ବାସିନ୍ଦା

ଖଣ୍ଡଗିରି: ଭୁବନେଶ୍ବର ରାଜଧାନୀ ହେବାର ବହୁ ପୂର୍ବରୁ ଅର୍ଥାତ୍ କାହିଁ କେଉଁ ଆବାହମାନ କାଳରୁ ଡୁମୁଡୁମା ଗାଁ ରହିଛି। ରାଜଧାନୀ ପ୍ରତିଷ୍ଠା ହେବା ପରେ ଗାଁ ଲୋକେ ଭାବିଥିଲେ ମୂଳ ବାସିନ୍ଦା ହିସାବରେ ତାଙ୍କୁ ପ୍ରାଥମିକତା ଭିତ୍ତିରେ ମୌଳିକ ସୁବିଧା ଯୋଗାଇ ଦିଆଯିବ। କିନ୍ତୁ ରାଜଧାନୀକୁ ୭୪ ବର୍ଷ ହେଲାଣି ସିନା ରାସ୍ତା, ଡ୍ରେନ୍, ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଆଜି ଡୁମୁଡୁମା ଗାଁ ଲୋକେ ସଂଘର୍ଷ କରୁଛନ୍ତି। ବିଏମ୍‌ସିର ୬୪ ନମ୍ବର ୱାର୍ଡରେ ଥିବା ଡୁମୁଡୁମା ଗାଁ ଆଜି ବି ବହୁ ମୌଳିକ ସୁବିଧାରୁ ବଞ୍ଚିତ।

ଫଳକରେ ଅଟକିଛି ପ୍ରାକୃତିକ ଚୁଆ ଉନ୍ନତୀକରଣ
ଗ୍ରାମରେ ନମ୍ରକାନି ମନ୍ଦିର ପାଖରେ ଗୋଟିଏ ପ୍ରାକୃତିକ ଚୁଆ ରହିଛି। କାଳକ୍ରମେ ଏହା ପୋତି ହୋଇ ପଡ଼ିଥିବାରୁ ୨୦୨୨ ଜୁଲାଇରେ ‘ମୁକ୍ତା’ ଯୋଜନାରେ ଉନ୍ନତୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ହେଲେ ଚୁଆ ଖୋଳିବାର କିଛି ଦିନ ପରେ ଏହାର ଡିଜାଇନ୍‌କୁ ନେଇ ବିବାଦ ହେଲା। ତେଣୁ କାମ ଅଧାପନ୍ତରିଆ ହୋଇପଡ଼ିଛି।

ଆବର୍ଜନା ପାଣିରେ ଭାସୁଛି ଚାଷ ଜମି
ଏହି ଅଞ୍ଚଳର ପ୍ରମୁଖ ସମସ୍ୟା ହେଉଛି ଜଳ ନିଷ୍କାସନ। ସରକାର ପ୍ଲଟିଂ ସ୍କିମ୍ କରି ଜମି ଓ ଘର ବିକିଦେଲେ। କିନ୍ତୁ ଜଳ କିଭଳି ନିଷ୍କାସନ ହେବ, ସେ ବ୍ୟବସ୍ଥା କଲେନି। ବର୍ଜ୍ୟଜଳ ନିଷ୍କାସନ ହେବା ପାଇଁ ଡ୍ରେନ୍ ତିଆରି ହୋଇଛି। କିନ୍ତୁ ତାହା ଅଧାପନ୍ତରିଆ। ଡୁମୁଡ଼ୁମା ଦେଇ ନମ୍ରକାନି ପାଖ ବିଲରେ ପଡ଼ିଥିବା ଏହି ଡ୍ରେନ୍ ଗହୀର ପାର୍ ହୋଇ ପୋଖରୀପୁଟ ପାଖରେ ୯ ନମ୍ବର ପ୍ରାକୃତିକ ନାଳରେ ମିଶିବା କଥା। ଏଥିପାଇଁ ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ। ସରକାରୀ ଜାଗା ବି ଅଛି। କିନ୍ତୁ ଏହା ହୋଇପାରୁନାହିଁ। ଏହି ଅଧାପନ୍ତରିଆ ଡ୍ରେନ୍ ସିଧାସଳଖ ଚାଷ ଜମିରେ ମିଶିଥିବାରୁ ପାଖାପାଖି ୬ ଏକର ଚାଷ ଜମି ଗତ ୧୦ ବର୍ଷ ହେଲା ପଡ଼ିଆ ପଡ଼ିଲାଣି ବୋଲି ଅଭିଯୋଗ କରିଛନ୍ତି ବେଣୁଧର ପାତ୍ର।

ସ୍ବେରେଜ୍‌ କାମ ପାଇଁ ଆସୁନି ‘ମୋ ବସ୍’
ଦୀର୍ଘ ୨ ବର୍ଷ ହେଲା ଡୁମୁଡୁମା ମୁଖ୍ୟ ରାସ୍ତାରେ ସ୍ବେରେଜ୍‌ କାମ ଚାଲିଛି। ଫଳରେ ଯୁଦୁପୁର ପାଲା ମଣ୍ଡପ-ଆଇଗିଣିଆ ଛକ ଦେଇ ଚକେଇସିଆଣି ଯାଉଥିବା ୨୬ ନମ୍ବର ‘ମୋ ବସ୍’ର ରୁଟ୍ ବଦଳାଇ ଦିଆଯାଇଛି। ଏବେ ବସ୍ ୱେଲ୍‌କମ୍‌ ହୋଟେଲ୍, କିଡ୍‌ସ ଡାକ୍ତରଖାନା ଦେଇ ରଘୁନାଥନଗର ଯାଉଛି। ଫଳରେ ଗ୍ରାମବାସୀଙ୍କ ସମେତ ଡୁମୁଡ଼ୁମା ହାଉସିଂବୋର୍ଡ ବାସିନ୍ଦାଙ୍କୁ ୨ କିଲୋମିଟର ଚାଲିବାକୁ ପଡ଼ୁଛି।

ଜମି ବିବାଦ ପାଇଁ ହୋଇପାରୁନି ରାସ୍ତା
ପାଲାମଣ୍ଡପ ବା ବିଶ୍ବମ୍ବର ମଣ୍ଡପରୁ ଯଦୁପୁର ଗ୍ରାମ ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତାର ଲମ୍ବା ମାତ୍ର ୬ଶହ ମିଟର। ଯାତାୟାତ ପାଇଁ ଏହା ଉପରେ ଡୁମୁଡ଼ୁମା ଗ୍ରାମ ସମେତ, ଯଦୁପୁରୁ, ସରକନ୍ତରା, ବାହଦଲପୁର, ହାଉସିଂବୋର୍ଡ କଲୋନି, ବେଗୁନିଆ ଅଞ୍ଚଳର ୩୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ହେଲେ ଏହା ୧୯୮୨ ମସିହାରୁ ମରାମତି ହୋଇନି। ଫଳରେ କେଉଁଠି ଦେଢ଼ ଫୁଟ୍‌ର ଖାଲ ତ କେଉଁଠି ଢିମା ପଥର ପଡ଼ିଛି। ରାସ୍ତାର କିଛି ଅଂଶ ଘରୋଇ ଜମି ହୋଇଥିବାରୁ ଅଧିଗ୍ରହଣ ହୋଇପାରୁନି। ତେଣୁ ରାସ୍ତା ଓ ଡ୍ରେନ୍ ନିର୍ମାଣ ପ୍ରଭାବିତ ହୋଇଛି। ପାଲାମଣ୍ଡପ ଛକରୁ ନୀଳକଣ୍ଠେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଓ ନୂଆ ପୋଖରୀ ପର୍ଯ୍ୟନ୍ତ ଅଣଓସାରିଆ ରାସ୍ତାରେ ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବା ମୁସ୍କିଲ୍। ଏଠାରେ ମଧ୍ୟ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ବାଟ ଓଗାଳିଛି। ନୂଆ ପୋଖରୀକୁ ରାସ୍ତା ନଥିବାରୁ ୩ ବର୍ଷ ତଳୁ ପୁନରୁଦ୍ଧାର ପାଇଁ ଟଙ୍କା ଆସିଥିଲେ ମଧ୍ୟ ସମ୍ଭବ ହେଉନାହିଁ।

ପାଣି,ଶୌଚାଳୟ ଓ ବସ୍‌ଷ୍ଟପ୍ ନାହିଁ
୩୬ ବର୍ଷ ହେଲା ଗାଁ ମୁଣ୍ଡରେ ରହିଛି ପାଲାମଣ୍ଡପ। ଗ୍ରାମର ଯାବତୀୟ ପର୍ବପର୍ବାଣୀ ଏହି ମଣ୍ଡପରେ ହୁଏ। ହଜାର ହଜାର ଲୋକ ଏକାଠି ହୁଅନ୍ତି। ହେଲେ ଏଠାରେ ପାନୀୟ ଜଳ, ବସ୍‌ଷ୍ଟାଣ୍ଡ ଓ ଶୌଚାଳୟ ସୁବିଧା ନାହିଁ। ଗ୍ରାମବାସୀମାନେ ଏହି ପାଲାମଣ୍ଡପର ସୌନ୍ଦର୍ଯ୍ୟୀକରଣ ସହିତ ପାନୀୟ ଜଳ, ଶୌଚାଳୟ ଓ ବସ୍‌ଷ୍ଟପ୍ ପାଇଁ ଦାବି କରିଛନ୍ତି।

ଗ୍ରାମବାସୀ ବନ୍ଦୀ
ସହର ଭିତରକୁ ଯିବା ପାଇଁ ଗ୍ରାମବାସୀଙ୍କୁ ବାଟ ନାହିଁ। ଖଣ୍ଡଗିରି-ଖୋର୍ଦ୍ଧା ଏନ୍ଏଚ୍‌ରେ କାମ ଚାଲିଥିବାରୁ ଏହି ରାସ୍ତା ଦେଇ ସହର ଭିତରକୁ ଯିବା କାଠିକର ପାଠ। ଏପଟେ ଜଗମୋହନନଗର ଦେଇ ଯିବାକୁ ହେଲେ ତାହା ମଧ୍ୟ ଅଣଓସାରିଆ ଓ ସବୁବେଳେ କାମ ହେଉଥିବାରୁ ଲୋକମାନେ ରାସ୍ତା ମଝିରେ ଫସିଯାଆନ୍ତି। ଏହି ଦୁଇଟି ରାସ୍ତା ଛାଡ଼ିଦେଲେ ଏମାନଙ୍କର ସହର ଭିତରେ ପ୍ରବେଶ କରିବା ପାଇଁ ଆଉ ବାଟ ନାହିଁ। ୨ଶହ ଫୁଟିଆ ରାସ୍ତା ସିଡିପିରେ ରହିଥିଲେ ମଧ୍ୟ ତାହା କେବେ ହେବ ତାହାର ଠିକଣା ନାହିଁ। ଏମାନେ ଏକ ପ୍ରକାର ବନ୍ଦୀ।

Leave a Comment