ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

Bartanews

ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର

ବିଶ୍ରା: ରବିବାର ବିଳମ୍ବିତ ରାତିରେ ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସନୁଆ ଅଞ୍ଚଳରେ ସିପିଆଇ ମାଓବାଦୀଙ୍କ ଦ୍ଵାରା ବ୍ୟାନର ଏବଂ ପୋଷ୍ଟର ଲଗା ଯାଇଛି। ଏହି ଘଟଣା ପରେ ସୋମବାର ସକାଳେ ଝାଡ଼ଖଣ୍ଡ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନକ୍ସଲମାନେ ରବିବାର ରାତିରେ ସୋନୁଆ-ଲୋଞ୍ଜୋ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ୟାନର ଏବଂ ପୋଷ୍ଟର ଲଗାଇଥିଲେ। ଉଲ୍ଲେଖନୀୟ ଯେ ୨ ରୁ ୮ ଡିସେମ୍ବର ମଧ୍ୟରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ୨୩ତମ ପିଏଲଜିଏ ସପ୍ତାହ ପାଳନ କରାଯାଉଛି। ଯାହାକୁ କେନ୍ଦ୍ର କରି ମାଓବାଦୀମାନେ ପୋଷ୍ଟର ବ୍ୟାନର ଲଗାଇ ଲୋକଙ୍କୁ ପିଏଲଜିଏ ସପ୍ତାହ ପାଳନ କରିବା ପାଇଁ ଆହ୍ଵାନ ଦେଇଛନ୍ତି। ଏହାଛଡ଼ା କୋଲହାନ ଜଙ୍ଗଲ ଅଞ୍ଚଳରୁ ସିଆରପିଏଫ କ୍ୟାମ୍ପକୁ ହଟାଇବା ପାଇଁ ଦାବି କରିଛନ୍ତି। ଅପରପକ୍ଷେ ସୂଚନା ପାଇବା ମାତ୍ରେ ସୋନୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଓ ବ୍ୟାନର ଜବତ କରିଛି।

Leave a Comment