ଦୁର୍ଘଟଣାରେ ଦମ୍ପତି ମୃତ ଘଟଣା: କ୍ଷତିପୂରଣ ଦାବିରେ ନୂଆପଡ଼ା-ପଦ୍ମପୁର ରାସ୍ତା ଅବରୋଧ

Bartanews

ଦୁର୍ଘଟଣାରେ ଦମ୍ପତି ମୃତ ଘଟଣା: କ୍ଷତିପୂରଣ ଦାବିରେ ନୂଆପଡ଼ା-ପଦ୍ମପୁର ରାସ୍ତା ଅବରୋଧ

ନୂଆପଡ଼ା: କୋମନା ଥାନା ମାନିଗୁଡା ଗାଁ ନିକଟରେ ରବିବାର ଟ୍ରକ ଧକ୍କାରେ ଅଳାଯୁବା ଗ୍ରାମର ଜୟରାମ ମାଝୀ (୫୬) ଓ ସ୍ତ୍ରୀ ଘୁନମତୀ ମାଝୀ(୫୦)ଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୋମବାର ଗ୍ରାମବାସୀ ଓ ପରିବାର ଲୋକ ୪ଘଣ୍ଟା ଧରି ନୂଆପଡ଼ା- ପଦ୍ମପୁର ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଥିଲେ।

ପ୍ରକାଶ ଯେ, ଗତକାଲି ଜୟରାମ ଓ ଘୁନମତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ସୋମବାର ପୂର୍ବାହ୍ନରେ ଉଭୟ ଶବ ବ୍ୟବଛେଦ କରାଯାଇଥିଲା। ପରେ ପରିବାର ଲୋକେ ଓ ଗ୍ରାମବାସୀ ଶବ ଧରି ଦର୍ଲିମୁଣ୍ଡା ଛକରେ ବିଜୁ ଏକ୍ସପ୍ରେସ ୱେକୁ ୪ ଘଣ୍ଟା ଧରି ଅବରୋଧ କରିଥିଲେ। ମୃତକଙ୍କ ପୁଅଝିଅଙ୍କ ସମ୍ପୂର୍ଣ ଶିକ୍ଷା ଓ ଭରଣ ପୋଷଣ ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେଉ ଓ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଥିଲେ। ନୂଆପଡ଼ା ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ, ଏସ୍‌ଡିପିଓ ସଞ୍ଜୟ ମଣ୍ଡଳ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରି ଯାଇଥିଲେ। ହରିଶ୍ଚନ୍ଦ୍ର ଯୋଜନା ରେ ୬ ହଜାର ଓ ରେଡ୍‌କ୍ରସ୍‌ର ୪୦ ହଜାର ସର୍ବମୋଟ୍‌ ୪୬ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଆନ୍ଦୋଳନରେ ଅଁଳାଯୁବା ଓ ଦର୍ଲିମୁଣ୍ଡା ଗ୍ରାମବାସୀଙ୍କ ସହିତ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଭାନୁ ପ୍ରତାପ ମାଝୀ, ଜିଲ୍ଲା ଉପ ସଭାପତି କମଲେଶ ସିଂ ଠାକୁର, ଦର୍ଲିମୁଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଦ୍ଧା, ସମିତି ଅଶୋକ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment