ଭାରତୀୟ ଯୁବକଙ୍କୁ ବିବାହ ପାଇଁ ଅନେକ ବାଧା ସାମ୍ନା କରିବା ପରେ ଶେଷରେ ସୀମା ପାର କରିଛନ୍ତି ପାକିସ୍ତାନ ଯୁବତୀ

Bartanews

ଭାରତୀୟ ଯୁବକଙ୍କୁ ବିବାହ ପାଇଁ ଅନେକ ବାଧା ସାମ୍ନା କରିବା ପରେ ଶେଷରେ ସୀମା ପାର କରିଛନ୍ତି ପାକିସ୍ତାନ ଯୁବତୀ

ନୂଆଦିଲ୍ଲୀ: ପାକିସ୍ତାନ କନିଆ ଭାରତ ଆସି ବିବାହ କରିବାରର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ପାକିସ୍ତାନର ବିବାହିତ ମହିଳା ସୀମା ହାଇଦର ତାଙ୍କର ୪ଜଣ ପିଲାଙ୍କୁ ଧରି ଭାରତରେ ଆସି ତାଙ୍କ ପ୍ରେମିକଙ୍କୁ ବିବାହ କରି ଖୁସିରେ ଘର କରି ରହିଛନ୍ତି।

ଏହି କ୍ରମରେ ପାକିସ୍ତାନର ଆଉ ଜଣେ କନିଆ ଭାରତ ଆସି ନିଜ ପସନ୍ଦର ସାଥୀଙ୍କୁ ବିବାହ କରିବେ । ଏହି କନ୍ୟା ଜଣକ ହେଉଛନ୍ତି କରାଚୀର ବାସିନ୍ଦା ଜାଭରିୟା ଖାନମ। ଜାଭରିୟା ଡିସେମ୍ବର ୫ ତାରିଖରେ ବିବାହ ପାଇଁ ଓ୍ୱାଘା-ଅଟାରୀ ସୀମା ଦେଇ ଭାରତର  ଅମୃତସରରେ ପହଞ୍ଚିଛନ୍ତି।

ଭାରତରେ ରହି ବିବାହ କରିବା ପାଇଁ ଜାଭରିୟାଙ୍କୁ ସରକାର ୪୫ ଦିନର ଭିସା ପ୍ରଦାନ କରିଛନ୍ତି।  ତେବେ ଜାଭରିୟା ଖାନମଙ୍କୁ ଭାରତ ଆସି କୋଲକାତାର ସମୀର ଖାନ୍‌ଙ୍କୁ ବିବାହ କରିବାର ଯାତ୍ରା ସହଜ ନଥିଲା। ଏଥିପାଇଁ ତାଙ୍କ ସାମ୍ନାରେ ଅନେକ ସମସ୍ୟା ଦେଖା ଦେଇଥିଲା।  କାରଣ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭିସା ମିଳୁ ନଥିଲା। ଦୁଇଥର ଭିସା ଆବେଦନ ବାତିଲ ହେବାପରେ ଜାଭରିୟା ଓ ତାଙ୍କ ଭାବି ସ୍ବାମୀଙ୍କ ପରିବାର ଚିନ୍ତାରେ ପଡ଼ି ଯାଇଥିଲେ।

ଏହାପରେ ପଞ୍ଜାବ କାଦିୟାନର ଜଣେ ସାମାଜିକ କର୍ମୀ ମକବୁଲ ଅହମ୍ମଦ କାଦିଆନଙ୍କ ସାହାଯ୍ୟ ଲୋଡ଼ିଥିଲେ ଦୁଇପରିବାର।  ମକବୁଲ ଉଦ୍ୟମ ଯୋଗୁଁ ଜାଭରିୟା ଭିସା ପାଇଥିଲେ। ଏହି ଭିସା ପାଇବା ପରେ ଜାଭରିୟାଙ୍କୁ ମାତ୍ର ୪୫ ଦିନ ପାଇଁ ଭାରତରେ ରହିବାର ଅନୁମତି ଦିଆଯାଇଛି। ଏହି ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଖାନମ୍‌ କହିଛନ୍ତି ଯେ ବିବାହ କ୍ଷେତ୍ରରେ ଭାରତ ସରକାର ସ୍ବତନ୍ତ୍ର ଭିସା ନୀତି ଆପଣାଇଲେ ଭଲ ହୁଅନ୍ତା।

Leave a Comment