ଭାରତର ବିଜୟ ଅଭିଯାନ: ଅରାଇଜୀତଙ୍କୁ ହ୍ୟାଟ୍ରିକ୍‌

Bartanews

ଭାରତର ବିଜୟ ଅଭିଯାନ: ଅରାଇଜୀତଙ୍କୁ ହ୍ୟାଟ୍ରିକ୍‌

କୁଆଲାଲମ୍ପୁର: ଫରୱାର୍ଡ ଅରାଇଜୀତ ସିଂହ ହୁଣ୍ଡାଲଙ୍କ ହ୍ୟାଟ୍ରିକ୍‌ ବଳରେ ଭାରତ ଏଫ୍‌ଆଇଏଚ୍‌ ହକି ପୁରୁଷ କନିଷ୍ଠ ବିଶ୍ବକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। କୁଆଲାଲୁମ୍ପୁରର ବୁକିତ ଜଲିଲସ୍ଥିତ ନ୍ୟାସ୍‌ନାଲ ହକି ଷ୍ଟାଡିୟମରେ ମଙ୍ଗଳବାର ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଭାରତ ୪-୨ ଗୋଲ୍‌ରେ ଏସୀୟ ପ୍ରତିନ୍ଦ୍ବନ୍ଦ୍ବୀ କୋରିଆକୁ ପରାସ୍ତ କରିଛି। ମ୍ୟାଚ୍‌ର ୧୧ତମ ମିନିଟ୍‌ରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଅରାଇଜୀତ ଗୋଲ୍‌ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲା। ଦ୍ବିତୀୟ କ୍ବାର୍ଟରର ପ୍ରଥମ ମିନିଟ୍‌ରେ ବବିଙ୍କ ଏକ ସୁନ୍ଦର ପାସ୍‌କୁ ଅରାଇଜୀତ (୧୬ ମିନିଟ୍‌) କୋରିଆ ଗୋଲ୍‌ପୋଷ୍ଟ୍‌କୁ ବଲ୍‌ ପଠାଇ ସ୍ଥିତି ୨-୦ କରିଦେଇଥିଲେ। ‌ପ୍ରଥମାର୍ଦ୍ଧର ଶେଷ ମିନିଟ୍‌ରେ ଅମନଦୀପ ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୩-୦ରେ ଆଗୁଆ ରଖିଥିଲେ।

ତୃତୀୟ କ୍ବାର୍ଟରରେ କୋରିଆର ଡୋହୁଁ ଲିମ୍‌ (୩୮ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ୩ ମିନିଟ୍‌ ପରେ ଅରାଇଜୀତ (୪୧ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୩ ଗୋଲ୍‌ ବ୍ୟବଧାନରେ ଅଗ୍ରଣୀ ଦେଇଥିଲା। ତୃତୀୟ କ୍ବାର୍ଟର ଶେଷ ହେବାକୁ ଆଉ ୩ ମିନିଟ୍‌ ‌ଥିଲା ବେ‌ଳେ ‌ଦୁଇ ଜଣ ଖେଳାଳି ଅଧିନାୟକ ଉତ୍ତମ ସିଂହ (ଗ୍ରିନ୍‌ କାର୍ଡ) ଓ ରୋହିତ (ୟୋଲୋ କାର୍ଡ) ବାହାରକୁ ଚାଲିଯିବାରୁ ଭାରତ ୯ ଜଣଙ୍କୁ ନେଇ ଖେଳିଥିଲା। ଏହାର ଫାଇଦା ଉଠାଇଥିଲା କୋରିଆ। ୪୫ତମ ମିନିଟ୍‌ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମିନକୁଁ କିମ୍‌ ଗୋଲ୍‌ରେ ପରିଣତ କରି ସ୍ଥିତି ୨-୪କୁ ଆଣିଥି‌ଲେ। ତେବେ ଶେ‌ଷ କ୍ବାର୍ଟରରେ ଉଭୟ ଦଳ ଆକ୍ରମଣତ୍ମାକ ଖେଳ ଖେଳିଥିଲେ। କୋରିଆ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରି ନଥିଲା। ଭାରତ ଗୋଟିଏ ପେନାଲ୍ଟି କର୍ଣ୍ଣର ସହ ଅନେକ ଗୋଲ୍‌ ସୁଯୋଗ ପାଇଥିଲେ ମଧ୍ୟ ପଞ୍ଚମ ଗୋଲ୍‌ ଦେଇପାରି ନଥିଲା। ତେବେ ୩ ପଏଣ୍ଟ ପକଟେସ୍ଥ କରିନେଇଥିଲା। ଭାରତ ବୁଧବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ସ୍ପେନ୍‌କୁ ଭେଟିବ। ଏହି ମ୍ୟାଚ୍‌ ଅପରାହ୍ଣ ୫.୩୦ରେ ଖେଳାଯିବ।

Leave a Comment