ବିଧାନସଭା ନିର୍ବାଚନ ଫଳାଫଳ: ବିଭିନ୍ନ ଦଳର ପ୍ରତିକ୍ରିୟା

Bartanews

ବିଧାନସଭା ନିର୍ବାଚନ ଫଳାଫଳ: ବିଭିନ୍ନ ଦଳର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ସରକାର ଗଠନ କରିବାକୁ ଯାଉଥିବା ବେଳେ କଂଗ୍ରେସ ତେଲେଙ୍ଗାନାରେ ସରକାର ଗଠନ କରିବ। ଆଜି ପ୍ରକାଶ ପାଇଥିବା ୪ ରଜ୍ୟର ବିଧାନସଭା ଫଳାଫଳକୁ ନେଇ ନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି।

ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜୟର ସମସ୍ତ ଶ୍ରେୟ ଦେଇ କହିଛନ୍ତି, ଜାତିଭିତ୍ତିକ ରାଜନୀତିରେ ସୀମିତ ଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ଲୋକେ ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଓ ବିକାଶର ରାଜନୀତି ଉପରେ ଭରସା ରଖିଛନ୍ତି ଏବଂ ଡବଲ୍‌ ଇଂଜିନ ସରକାର ଚାହୁଛନ୍ତ। କଂଗ୍ରେସର ‘ଗ୍ୟାରେଣ୍ଟି’ ଫେଲ୍‌ ହୋଇଯାଇଛି ବୋଲି ଠାକୁର କହିଛନ୍ତି।

ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ସର୍ବଦା ଯୋଡ଼ିବାର ରାଜନୀତି କରୁଥିବା ବେଳେ କଂଗ୍ରେସ ଦଳ ଦେଶକୁ ଭାଗଭାଗ କରିବା ରାଜନୀତି କରୁଛି। ଚଳିତ ନିର୍ବାଚନ ପ୍ରଧାନମନ୍ତ୍ରୀଙ୍କ ନୀତିର ବିଜୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଦଳର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ସାଧୁତା, ତ୍ୟାଗ ଓ ସଂକଳ୍ପ ରହିଛି। ଦେଶର ରାଜନୀତି ଏବେ ‘ମୋଦୀମୟ’ ହୋଇଯାଇଛି ବୋଲି ସେ କହିଛନ୍ତି।

ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି, ୪ ରାଜ୍ୟରେ ଯେଉଁଭଳି ନିର୍ବାଚନ ଫଳ ଆସିଛି ତାହା ହିଁ ଆଶା କରାଯାଉଥିଲା। ବିରୋଧୀ ଦଳମାନେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଫଳତାର ସମୀକ୍ଷା କରିବେ ବୋଲି ସେ କହିଛନ୍ତି।

ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ଏବେ ଯେଉଁ ସ୍ଥିତିରେ ଇଣ୍ଡିଆ ମେଣ୍ଟ ରହିଛି ତାହା ଯଦି ଜାରି ରୁହେ ତା’ହେଲେ ମେଣ୍ଟର ବିଜୟ କଦାପି ହେବନାହିଁ। ପ୍ରଭାବଶାଳୀ ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ ଜଣାଇବା ଉଚିତ ବୋଲି ସେ କହିଛନ୍ତି। କଂଗ୍ରେସ ସବୁ ରାଜ୍ୟରେ ବିଜୟ ହେବ ବୋଲି ଦୃଢ଼ୋକ୍ତି ଦେଖାଉଥିବା ବେଳେ ଏହାର ସଫଳତା କେବଳ ତେଲେଙ୍ଗାନାରେ ସୀମିତ ରହିଛି ବୋଲି ସେ କହିଛନ୍ତି।

ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି, କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟକୁ ଅଣଦେଖା କରି ନିର୍ବାଚନ ଲଢ଼ିବାରୁ ପରାଜୟର ସମ୍ମୁଖୀନ ହୋଇଛି । କଂଗ୍ରେସ ଏକାକୀ ଲଢ଼େଇ କରି ଜିତିବାରେ ଅସମର୍ଥ ହେଲା ବୋଲି ସେ କହିଛନ୍ତି। ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବା ସମୟ ଆସିଯାଇଛି ବୋଲି ସେ କହିଛନ୍ତି।

Leave a Comment