ଆଣ୍ଡ୍ରଏଡ୍‌ ଫୋନ୍‌ ଚୋରାଇବାର କିଛି କ୍ଷଣ ମଧ୍ୟରେ ଫେରାଇଦେଲା ଚୋର, କାରଣ ଜାଣିଲେ ହସି ହସି ଗଡ଼ିଯିବେ

Bartanews

ଆଣ୍ଡ୍ରଏଡ୍‌ ଫୋନ୍‌ ଚୋରାଇବାର କିଛି କ୍ଷଣ ମଧ୍ୟରେ ଫେରାଇଦେଲା ଚୋର, କାରଣ ଜାଣିଲେ ହସି ହସି ଗଡ଼ିଯିବେ

ନୂଆଦିଲ୍ଲୀ: ଚୋର କେବେ ଚୋରି କରି ନେଇଥିବା କୌଣସି ଜିନିଷକୁ ଫେରସ୍ତ କରିଥିବାର ଶୁଣିଛନ୍ତି? ହଁ ଶୁଣିଥିବେ ନିଶ୍ଚୟ, ପୂର୍ବରୁ ବିଭିନ୍ନ କାରଣକୁ ନେଇ ଚୋର ଚୋରି କରିବା ପରେ ଜିନିଷ ଫେରାଇ ଦେବା ପରି ମମଲା ଆମ ସାମ୍ନାକୁ ଆସିଛି। ହେଲେ ଏଥର ଯାହା ଘଟିଛି, ତାହା ଏକଦମ ନିଆରା। ଜଣେ ଚୋର ଚୋରି ହୋଇଥିବା ଫୋନକୁ ଦେଖିବା ପରେ ତାହାକୁ ଫୋନ୍‌ର ମାଲିକଙ୍କୁ ଫେରସ୍ତ କରି ଦେଇଛନ୍ତି। ତାହାର କାରଣ କ’ଣ ଜାଣନ୍ତି? ତାହାର କାରଣ ହେଉଛି ସେ ‌ଜାଣିନଥିଲେ ଯେ ଫୋନ୍‌ଟି ଆଣ୍ଡ୍ରଏଡ୍‌ ବୋଲି, ସେ ଆଇଫୋନ୍ ଭାବି ଚୋରେଇ ନେଇଥିଲେ।

ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ମଧ୍ୟରେ ପାର୍ଥକ୍ୟ ହେଉଛି ଆଇଫୋନ୍ ଅଧିକ ସୁରକ୍ଷିତ ଏବଂ ଏହାର ଅନେକ ଅନନ୍ୟ ବୈଶିଷ୍ଟ୍ୟ ମଧ୍ୟ ଅଛି। ଏହାଛଡ଼ା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ମୂଲ୍ୟ ଆଇଓଏସ୍ ତୁଳନାରେ ଖୁବ୍‌ କମ୍‌ ହୋଇଥିବାରୁ ଆଇଫୋନ୍‌ ବ୍ୟବହାର କରିବା ଦ୍ବାରା ଧନୀ ଲୋକର ପରିଚୟ ମିଳିଥାଏ। ସେଥିପାଇଁ ଆଜିକାଲି ଲୋକ ଆଇଫୋନ୍‌ ଧରିବାକୁ ବହୁତ ପସନ୍ଦ କରୁଛନ୍ତି।

ଗତ ମାସରେ ଆମେରିକାରେ ଜଣେ ଚୋର ଚୋରି ହୋଇଥିବା ଫୋନକୁ ଫେରାଇ ଦେଇଛନ୍ତି। ତାହାର କାରଣ ତ ଆମେ ଉପରେ କହିସାରିଛୁ। ‘ଏବିସିଡି’ ରିପୋର୍ଟ ଅନୁଯାୟୀ, ଜଣେ ମହିଳା କହିଛନ୍ତି ଯେ ସେ ନିଜ କାରକୁ ଘର ବାହାରେ ପାର୍କିଂ କରିବା ମାତ୍ରେ ମାସ୍କ ପିନ୍ଧିଥିବା ଦୁଇଜଣ ବନ୍ଧୁକଧାରୀ ଆସି ତାଙ୍କ ନିକଟରେ ଥିବା ସମସ୍ତ ଜିନିଷ ଛଡ଼ାଇ ନେଇଥିଲେ। ଏଥିସହ ଚୋରମାନେ ମହିଳାଙ୍କ ସ୍ୱାମୀଙ୍କ ଫୋନ୍ ଛଡ଼ାଇ ନେଇଥିଲେ, କିନ୍ତୁ ଫୋନ୍ ଦେଖିବା ମାତ୍ରେ ଚୋରମାନେ ଏହାକୁ ଫେରାଇ ଦେଇଥିଲେ। କେବଳ ଫେରାଇ ନଥିଲେ, ବରଂ କହିଥିଲେ, ‘‘ଆରେ, ଏହା ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍! ମୋର ଏହା ଦରକାର ନାହିଁ। ମୁଁ ଭାବିଲି ଏହା ଏକ ଆଇଫୋନ୍ ଅଟେ।”

Leave a Comment