ପାହାଳରେ ପୁଣି ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ୨ ଦିନରେ ଗଲାଣି ୪ ମୁଣ୍ଡ

Bartanews

ଶୂନ ସଡ଼କମୃତ୍ୟୁ ସପ୍ତାହ: ୪ ଦିନରେ ୪୫ ଜଣଙ୍କ ମୃତ୍ୟୁ, ଚତୁର୍ଥ ଦିନରେ ୮ ମୃତ, ୧୮ ଆହତ

ବାଲିଅନ୍ତା ବଜାର: ଗତ ଦୁଇ ଦିନ ହେଲା ୧୬ ନମ୍ବର ଜାତୀୟ ରାଜପଥ ପାହାଳ ବଜାର ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୪ ମୁଣ୍ଡ ଗଲାଣି। ଶୁକ୍ରବାର ଭୋର୍‌ ସମୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ରାତିରେ ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ଅପରାହ୍ଣରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଏକ ଟ୍ରକ୍‌ ଧକ୍କାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲ୍ଲା ସଂଘଝର ଗାଁର ସସ୍ମିତା ମାଝୀ(୨୭)। ସସ୍ମିତା ଓ ତାଙ୍କର ଜଣେ ଶିକ୍ଷକ ବନ୍ଧୁ ବାଇକ୍‌ ଯୋଗେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ବାଇକ୍‌ ଚଳାଉଥିବା ଶିକ୍ଷକ ସାମାନ୍ୟ ଆହତ ହୋଇ ବର୍ତ୍ତିଯାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିଲେ ବି ମାନସିକସ୍ତରରେ ଶକ୍ତ ଆଘାତ ପାଇଥିବାରୁ କଥାବାର୍ତ୍ତା କରିପାରୁନାହାନ୍ତି। ତେଣୁ ତାଙ୍କ ପରିଚୟ ମିଳିପାରିନାହିଁ।

ରବିବାର ଦିନ ଏସ୍‌ଏସ୍‌ବି ପରିଚାଳିତ ଏକ ପରୀକ୍ଷା ଦେବା ପାଇଁ ଶିକ୍ଷୟିତ୍ରୀ ସସ୍ମିତା ଏବଂ ତାଙ୍କ ଶିକ୍ଷକ ବନ୍ଧୁ ଭୁବନେଶ୍ବର ଆସିଥିଲେ। ପରୀକ୍ଷା ସରିବା ପରେ ଅପରାହ୍ଣରେ ସେମାନେ କଟକ ବାଲିଯାତ୍ରା ବୁଲିବାକୁ ଯାଉଥିଲେ। ସେମାନେ ପାହାଳ ବଜାର ବାଇଶିତାଲା ନିକଟରେ ପହଞ୍ଚିଥିବା ବେଳେ ପଛରୁ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସସ୍ମିତା ବାଇକ୍‌ ପଛରୁ ଛିଟିକି ରାସ୍ତାରେ ପଡ଼ିଥିଲେ। ଦ୍ରୁତଗାମୀ ଟ୍ରକ୍‌ଟି ତାଙ୍କ ଉପରେ ମାଡ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ସସ୍ମିତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାଇକ୍‌ ଚଳାଉଥିବା ଶିକ୍ଷକ ବନ୍ଧୁ ବାଇକ୍‌ ସହ ରାସ୍ତା କଡ଼କୁ ପଡ଼ିବାରୁ ଅଳ୍ପ ଆହତ ହୋଇ ବର୍ତ୍ତିଯାଇଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଫେରାର୍ ହୋଇଯାଇଥିଲା। ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା ଏବଂ ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇବା ପରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ସୂଚନା‌ଯୋଗ୍ୟ ଯେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୨ଟା ବେଳେ କଟକ ବାଲିଯାତ୍ରାରୁ ଫେରୁଥିବା ଏକ କାର୍‌ ପାହାଳ ବଜାରରେ ରାସ୍ତା କଡ଼ରେ ଠିଆହୋଇଥିବା ଟ୍ରକ୍‌ରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ପାହାଳ ସୁରେଖା ରେସିଡେନ୍‌ସିରେ ରହୁଥିବା ଭଦ୍ରକର ସୁଶିଲ କର ଓ ଯାଜପୁରର ଅମୂଲ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଶନିବାର ରାତି ପ୍ରାୟ ୧୧ଟା ବେଳେ ସେହି ପାହାଳ ଛକରେ ଏକ ଟ୍ରକ୍‌ ମାଡ଼ିଯିବାରୁ କଟକ ଜଗତପୁରରେ ରହୁଥିବା ଯାଜପୁରର ପ୍ରଭୁପଦ ଜେନା(୩୫)ଙ୍କର ମୃତ୍ୟୁ ଘଟିଥିଲା।

Leave a Comment