ନିଜ ସହ ପ୍ରତିଦ୍ୱନ୍ଦ୍ବିତା କର, ସଫଳତା ମିଳିବ: ରାଜ୍ୟପାଳ

Bartanews

ନିଜ ସହ ପ୍ରତିଦ୍ୱନ୍ଦ୍ବିତା କର, ସଫଳତା ମିଳିବ: ରାଜ୍ୟପାଳ

ଭୁବନେଶ୍ବର: ଚଳିତ ଶତାବ୍ଦୀରେ ଭାରତ ବିଶ୍ୱର ନେତୃତ୍ବ ନେବାକୁ ଯାଉଛି। ଏବେ ଭାରତ ବିଶ୍ୱରେ ୫ମ ବଡ଼ ଅର୍ଥ ବ୍ୟବସ୍ଥା ପାଲଟିଛି ଏବଂ ଖୁବ୍‌ଶୀଘ୍ର ୩ୟ ସ୍ଥାନରେ ପହଞ୍ଚିବ। ବିକାଶର ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ନାରୀଶକ୍ତି ଅଗ୍ରଣୀ ଭୂମିକା ନେବ ବୋଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୯ମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରଘୁବର ଦାସ କହିଛନ୍ତି।

ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ନାରୀମାନେ ଏବେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବା ସହ ନେତୃତ୍ବ ନେଉଛନ୍ତି। ଜାତୀୟ ଶିକ୍ଷାନୀତି-୨୦୨୦ ଏକ ପ୍ରଗତିଶୀଳ ପ୍ରୟାସ, ଯାହାକି ଜ୍ଞାନ ଆଧାରିତ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଦକ୍ଷତା ଓ କୌଶଳ ବିକାଶଠୁ ଆରମ୍ଭ କରି ମାତୃଭାଷାରେ ଶିକ୍ଷାଦାନ, ନବସୃଜନ ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ମାଧ୍ୟମରେ ଦେଶ ଉଜ୍ଜ୍ବଳ ଭବିଷ୍ୟତକୁ ଯାତ୍ରା କରିବ। ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ନାରୀଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାରେ ମହିଳା ସଶକ୍ତୀକରଣ ଦିଗରେ ବିଶ୍ୱବିଦ୍ୟାଳୟର ଅବଦାନ ଉଲ୍ଲେଖନୀୟ। ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଏ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଭବିଷ୍ୟତର ଆହ୍ୱାନ ଓ ଆବଶ୍ୟକତାକୁ ସାମ୍ନା କରିବାକୁ ପ୍ରସ୍ତୁତି ସମ୍ପର୍କରେ ଆତ୍ମସମୀକ୍ଷା ହିଁ ଆଜିର ଅନୁଚିନ୍ତା। ଛାତ୍ରୀମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି ଯେ ମା’ ରମାଦେବୀ ଚିର ପ୍ରେରଣାର ଉତ୍ସ। ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢ଼ନ୍ତୁ। ସଫଳତାରେ ଅତି ଉଲ୍ଲସିତ ହୁଅ ନାହିଁ କି ବିଫଳତାରେ ଭାଙ୍ଗି ପଡ଼ନି। ନିଜ ଉପରେ ଆସ୍ଥା ଓ ଭରସା ରଖ। ଅନ୍ୟ କାହା ସହିତ ନୁହେଁ, ବରଂ ନିଜ ସହ ପ୍ରତିଦ୍ୱନ୍ଦ୍ବିତା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଦକ୍ଷିଣ କୋରିଆର ବୌଦ୍ଧ ସନ୍ନ୍ୟାସୀ ଭେନ୍‌. ସିମ୍ ସାନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନବ କଲ୍ୟାଣରେ ମହିଳାଙ୍କ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ‘ସ୍ୱାଭିମାନ’ର ପ୍ରତିଷ୍ଠାତା ଶ୍ରୁତି ମହାପାତ୍ର ନିଜ ଜୀବନ ଯାତ୍ରାର ଅନୁଭବ ଓ ଉପଲବ୍ଧି ସମ୍ପର୍କରେ ମତପ୍ରକାଶ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ସଭାପତିତ୍ବ କରି କହିଲେ କୃତ୍ରିମ ବୁଦ୍ଧିମତା ଓ ଡିପ୍‌ଫେକ୍‌ ଆଜିର ସମୟରେ ଆହ୍ବାନ ପାଲଟିଛି। ତାହାର ମୁକାବିଲା କରିବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ୫ ବର୍ଷିଆ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ସହ ଜାତୀୟ ଶିକ୍ଷା ନୀତି କିଭଳି ଲାଗୁ ହୋଇପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି। ନାକ୍‌ ଗସ୍ତ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ। ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ନାକ୍‌ ଟିମ୍‌ କ୍ୟାମ୍ପସକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ବିଶ୍ବବିଦ୍ୟାଳୟ କୁଳସଚିବ ଶ୍ୟାମଳୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଚଣ୍ଡୀ ଚରଣ ରଥ ସ୍ବାଗତ ଭାଷଣରେ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ଉନ୍ମୋଚିତ ହେବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ମା’ ରମାଦେବୀଙ୍କ ଏକ ସଂଗ୍ରହାଳୟକୁ ରାଜ୍ୟପାଳ ଉଦ୍‌ଘାଟନ କରିଥିଲେ। ଯେଉଁଥିରେ ମା’ ରମା‌ଦେବୀଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଓ ଅନେକ ଦୁର୍ଲଭ ଚିତ୍ର ରଖାଯାଇଛି। ବିଶ୍ବ ଦିବ୍ୟାଙ୍ଗ ଦିବସ ଅବସରରେ ଦିବ୍ୟାଙ୍ଗ ଛାତ୍ରୀ ଓ ଅନ୍ୟାନ୍ୟ ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave a Comment