ଅଧିକ ବସିବା ମହିଳାମାନଙ୍କ ପାଇଁ ଧୂମପାନ ଭଳି କ୍ଷତିକାରକ : ଗବେଷଣା

Bartanews

ଅଧିକ ବସିବା ମହିଳାମାନଙ୍କ ପାଇଁ ଧୂମପାନ ଭଳି କ୍ଷତିକାରକ : ଗବେଷଣା

ଅଧିକ ସମୟ ବସିବା ଜନିତ କ୍ଷତିକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଧୂମପାନ ସହ ତୁଳନା କରିଛନ୍ତି। ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ ପର୍ଯ୍ୟବସିତ ଏକ ନୂଆ ଗବେଷଣାରୁ ଏହି ଆଶ୍ଚର୍ଯ୍ୟଜନକ ଦିଗ ଉନ୍ମୋଚିତ ହୋଇଛି। ଯେଉଁମାନେ ଦୈନିକ ଛଅ ଘଣ୍ଟାରୁ ଅଧିକ ସମୟ ବସିଥା’ନ୍ତି, ଦୈନିକ ଦୁଇ ଘଣ୍ଟାରୁ କମ୍‌ ବସୁଥିବା ମହିଳାଙ୍କ ତୁଳନାରେ ସେମାନଙ୍କ ଗର୍ଭାଶୟରେ ଫାଇବ୍ରଏଡ୍‌ ରୋଗ ହେବାର ଆଶଙ୍କା ଦୁଇଗୁଣ ବଢ଼ିଥାଏ।

ଉଲ୍ଲେଖଯୋଗ୍ୟ, ଫାଇବ୍ରଏଡ୍‌ ହେଉଛି ଗର୍ଭାଶୟର ମାଂସପେଶୀ ଓ ତନ୍ତୁର ଏକ ଅଣକର୍କଟ ବୃଦ୍ଧି ଯାହା ବେଳେ ବେଳେ ଗର୍ଭାଶୟ କାନ୍ଥରେ ବା ବାହାରେ ମଧ୍ୟ ବିକଶିତ ହୋଇଥାଏ। ଚୀନ୍‌ର କୁନ୍‌ମିଙ୍ଗ ବିଶ୍ବବିଦ୍ୟାଳୟର ଗବେଷକମାନେ ଏହି ଗବେଷଣାରେ ୬,୬୦୦ ମହିଳାଙ୍କୁ ସାମିଲ କରି ଏହି ନିର୍ଯାସରେ ପହଞ୍ଚିଛନ୍ତି। ଏହି ମହିଳାମାନେ ୩୦ରୁ ୫୫ ବର୍ଷ ବୟସର ହୋଇଥିବା ବେଳେ କାହାର ରଜୋନିବୃତ୍ତି ଘଟିନଥିଲା। ସେମାନଙ୍କୁ ସେମାନଙ୍କ ଦୈନିକ ବସିବା ସମୟ ଆଧାରରେ ଚାରିଟି ବର୍ଗରେ ବିଭକ୍ତ କରାଯାଇଥିଲା, ଯଥା: ଯେଉଁମାନେ ଦିନକୁ ଦୁଇ ଘଣ୍ଟା ବସିଥାନ୍ତି, ସେହିପରି ଦୁଇରୁ ଚାରି ଘଣ୍ଟା, ଚାରିରୁ ଛଅ ଘଣ୍ଟା ଏବଂ ଛଅଘଣ୍ଟାରୁ ଅଧିକ। ମୋଟ ୫୬୨ ଜଣ ମହିଳାଙ୍କ ଠାରେ ଫାଇବ୍ରଏଡ୍‌ ଥିଲା, ଯେଉଁଥିରେ ୫୦ ବର୍ଷରୁ ଅଧିକ ବୟସର ମହିଳାଙ୍କ ଠାରେ ସର୍ବାଧିକ ହାର ଦେଖିବାକୁ ମିଳିଥିଲା।

ସେହିପରି ଆରିଜୋନା ବିଶ୍ବବିଦ୍ୟାଳୟ ଓ ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଦ୍ବାରା ମିଳିତ ଭାବେ କରାଯାଇଥିବା ଅନ୍ୟ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ଦୈନିକ ୧୦ ଘଣ୍ଟାରୁ ଅଧିକ ସମୟ ବସି ରହନ୍ତି, ସେମାନଙ୍କୁ ଡିମେନ୍‌ସିଆ ହେବାର ଆଶଙ୍କା ଅଧିକ।

Leave a Comment