ଡିସେମ୍ବର ୯ରେ ‘ନମନ-୨୦୨୩‘, ଯୋଗଦେବେ ଓଲିଉଡ୍ ଓ ବଲିଉଡ୍ କଳାକାର

Bartanews

ଡିସେମ୍ବର ୯ରେ ‘ନମନ-୨୦୨୩‘, ଯୋଗଦେବେ ଓଲିଉଡ୍ ଓ ବଲିଉଡ୍ କଳାକାର

ଭୁବନେଶ୍ୱର: ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନମନ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା  ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ଼ ଟ୍ରଷ୍ଟ ସହଯୋଗରେ ଆଗାମୀ ଡିସେମ୍ବର ୯ ତାରିଖ ଶନିବାର ୭ମ ବାଟାଲିୟନ ପରିସରରେ ୨ୟ ନମନ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନମନ ପୁଲିସ ଭାଇଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏକ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ । ଆଇନ ଶୃଙ୍ଖଳା ରକ୍ଷା କରିବା ବ୍ୟତୀତ ପୁଲିସ ଅହରହ ନିଜ ଜୀବନକୁ ବାଜି ଲଗାଇ ଆମ ଜୀବନକୁ ସରଳ, ସୁନ୍ଦର ଓ ଶୃଙ୍ଖଳିତ କରିବାର ପ୍ରୟାସ ଜାରି ରଖିଥାଏ l ନିସ୍ଵାର୍ଥପର ଭାବେ ସେମାନେ ସମାଜର ଜାଗ୍ରତ ପ୍ରହରୀ ଭାବେ ବର୍ଷକ ୧୨ ମାସ ଅତ୍ୟନ୍ତ ଅବିରତ ପରିଶ୍ରମ ସହ ଅନେକ ତ୍ୟାଗ କରିଥାନ୍ତି l ସେମାନଙ୍କ ପରିବାର ମଧ୍ୟ ସେମାନଙ୍କୁ ସହଯୋଗ କରିଥାନ୍ତି l ତେଣୁ କମିଶନରେଟ ପୁଲିସ ଓ ଅନ୍ୟ ସମସ୍ତ ପୁଲିସ ସହଯୋଗୀ ଙ୍କ ନିସ୍ଵାର୍ଥ ସେବାକୁ ସମ୍ମାନ ଦେବା ଲାଗି ନିଆରା କାର୍ଯ୍ୟକ୍ରମ  ନମନ ଗତବର୍ଷଠାରୁ ଆୟୋଜିତ ହୋଇଆସୁଛି।

ଚଳିତ ବର୍ଷ ନମନ ୨ୟ ସଂସ୍କରଣରେ ଓଲିଉଡ୍ ଓ ବଲିଉଡ୍‌ର ଅନେକ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, କମେଡିଆନ, ଉପସ୍ଥାପକ ଯୋଗଦେଇ ଆସନ୍ତା ୯ ତାରିଖ ସନ୍ଧ୍ୟାରେ ୭ମ ବାଟାଲିୟନ ପରିସରରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ସମାରୋହକୁ ରଙ୍ଗରଙ୍ଗ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି ।

ଏଥିଲାଗି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଲିଉଡ଼ ଷ୍ଟାର ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ସବ୍ୟସାଚୀ ମିଶ୍ର, ଅଧ୍ୟକ୍ଷ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି  ଉଲ୍ଲାସ ବେହେରା ଉପସ୍ଥିତ ରହି ଏହି ନିଆରା କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଶୈଳୀରେ  କରିବା ପାଇଁ  ସଂସ୍ଥା ପ୍ରୟାସ ଜାରି ରଖିଛି ବୋଲି ପ୍ରକାଶ କରିଥିଲେ l ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ରହିଛି ମହିଳା ପୁଲିସଙ୍କୁ ସମ୍ମାନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବାର ଦାୟିତ୍ୱ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ନେଇଛନ୍ତି।

Leave a Comment