ଛତିଶଗଡ଼ରେ ଫେଲ୍‌ ମାରିଲା ଏକ୍‌ଜିଟ୍‌ ପୋଲ୍‌

Bartanews

ଛତିଶଗଡ଼ରେ ଫେଲ୍‌ ମାରିଲା ଏକ୍‌ଜିଟ୍‌ ପୋଲ୍‌

ନୂଆଦିଲ୍ଲୀ: ଏକଜିଟ୍ ପୋଲ୍‌ରେ ଅଧିକାଂଶ ସଂସ୍ଥା ଆକଳନ କରିଥିଲେ ଯେ ଛତିଶଗଡ଼ରେ କଂଗ୍ରେସ ପୁଣି ଥରେ ବିଜୟୀ ହେବ। କିନ୍ତୁ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି। ପ୍ରାରମ୍ଭିକ ଗଣନାରେ କଂଗ୍ରେସଠାରୁ ପଛରେ ପଡ଼ିଥିବା ବିଜେପି ମଧ୍ୟାହ୍ନ ପରଠାରୁ ଆଗରେ ରହିଥିଲା। ଶେଷକୁ ବିଜେପି ୫୬ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୩ଟି ଆସନରେ ଜିତିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ସରକାର ଗଢ଼ିବା ପାଇଁ ୪୬ଟି ଆସନ ଦରକାର ଥିବାବେଳେ ବିଜେପି ସ୍ପଷ୍ଟ ବହୁମତ ଲାଭ କରିଛି।

ଫଳାଫଳରୁ ଜଣାପଡ଼ିଛି ଯେ, ଲୋକମାନେ ମୋଦୀଙ୍କ ଗ୍ୟାରେଣ୍ଟିରେ ବିଶ୍ୱାସ କରୁଥିଲେ। ଭୂପେଶ ବାଘେଲଙ୍କୁ ଛତିଶଗଡ଼ ପ୍ରତ୍ୟାଖ୍ୟାନ କରିଛି। ଭୂପେଶ ବାଘେଲଙ୍କ ଦୁର୍ନୀତି, ମଦ ଦୁର୍ନୀତି, ମହାଦେବ ଆପ୍ ଦୁର୍ନୀତି ଏହି ଫଳାଫଳରେ ସହାୟକ ହୋଇଛି ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି। ଦଳ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ପଚରାଯିବାରୁ ସିଂହ କହିଛନ୍ତି, ଏହା ଦଳ ନିଷ୍ପତ୍ତି ହେବ। ମୁଁ କେବେ ବି କିଛି ମାଗି ନ ଥିଲି, ମୋତେ ଯାହା ବି ଦାୟିତ୍ବ ଦିଆଯାଇଥିଲା, ମୁଁ ତାହା ନିଷ୍ଠାର ସହ ପାଳନ କରିଥିଲି। ୪ଟି ଏକ୍‌ଜିଟ୍ ପୋଲ୍‌ରେ କଂଗ୍ରେସ ଏକାକୀ ମ୍ୟାଜିକ୍ ସଂଖ୍ୟା ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ୨ଟିରେ ୪୨ରୁ ୪୪ ଏବଂ ବାକି ୩ଟିରେ କଂଗ୍ରେସ ୪୦ରୁ ଅଧିକ ଆସନ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ ଭୋଟ ଗଣତି ପରେ ଏହା ଭୁଲ୍ ପ୍ରମାଣିତ ହୋଇଛି ଏବଂ କଂଗ୍ରେସ ୩୫ ସଂଖ୍ୟା ବି ଡେଇଁପାରି ନାହିଁ। ୯ଟି ଏକ୍‌ଜିଟ୍ ପୋଲ୍ ମଧ୍ୟରୁ ମାତ୍ର ୨ଟିରେ ବିଜେପି ରାଜ୍ୟରେ ଜିତିବା ପାଇଁ ଆବଶ୍ୟକ ୪୬ରୁ ଅଧିକ ଆସନ ପାଇବ ବୋଲି କୁହାଯାଇଥିଲା। ୨୦୧୩ ଝିରାମ ଘାଟି ମାଓବାଦୀ ଆକ୍ରମଣ ପରେ ରାଜ୍ୟରେ ଦଳର ପୁନର୍ଗଠନ କରିଥିବା ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଟ୍ରାକ୍ ରେକର୍ଡ ଉପରେ କଂଗ୍ରେସ ଭରସା କରୁଥିଲା। ନଭେମ୍ବର ୭ ଓ ୧୭ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Leave a Comment