ଚୂନ ନାମରେ ପୁଲିସକୁ ଲଗାଉଥିଲେ ଚୁନା: ଏକାଥରକେ ଧରାଇଦେଲେ ୩୫ ଲକ୍ଷର କଫସିରଫ, ମୁଖ୍ୟ ଅଭିଯୁକ୍ତ ସମେତ ୩୭ ଗିରଫ

Bartanews

ଚୂନ ନାମରେ ପୁଲିସକୁ ଲଗାଉଥିଲେ ଚୁନା: ଏକାଥରକେ ଧରାଇଦେଲେ ୩୫ ଲକ୍ଷର କଫସିରଫ, ମୁଖ୍ୟ ଅଭିଯୁକ୍ତ ସମେତ ୩୭ ଗିରଫ

ବଲାଙ୍ଗିର: ବଲାଙ୍ଗିର ସହରରେ ଚାଲିଥିବା ବେଆଇନ କଫସିରଫ କାରବାର ଉପରେ ପୁଲିସର କଡା ପ୍ରହାର ।ସ୍ୱତନ୍ତ୍ର ଟିମ ଗଠନ କରି ଏହି କାରବାର ଉପରେ ତଦନ୍ତ ଚଲାଇଥିବା ବଲାଙ୍ଗିର ପୁଲିସ କଫସିରଫ ମାଫିଆଙ୍କୁ ବଡ ଝଟକା ଦେଇଛି । କଫସିରଫ ଚାଲାଣ ଓ ବେଆଇନ କାରବାର ବନ୍ଦ କରିବା ଦିଗରେ ବଲାଙ୍ଗିର ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି। ସୋମବାର ବଲାଙ୍ଗିର ପୁଲିସ ପାଖାପାଖି ୩୫ ଲକ୍ଷ ଟଙ୍କାର କଫସିରଫ ଓ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ବେଳେ ଚାରିଜଣ ମହିଲା ସମେତ ୩୭ ଜଣଙ୍କୁ ଗିରଫ କରିଛି । କେବଳ ଏତିକି ନୁହଁ ପଶ୍ଚିମବଙ୍ଗର କଲିକତା ଠାରେ ଥିବା ଏକ ଡ୍ରଗ୍ସ କଂପାନୀର ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ବଲାଙ୍ଗିର ସହର, ବରଗଡ, କଟକ, ଉତ୍ତରପ୍ରଦେଶର ବୋଲି ପୁଲିସ ସୂଚନା ଦେଇଛି।

ଗତ କିଛି ବର୍ଷ ହେଲା ବଲାଙ୍ଗିର କଫସିରଫ କାରବାରର ଏକ ପ୍ରମୁଖ ସ୍ଥଳ ପାଲଟିଥିଲା । କଲିକତାରୁ କଟକ ଦେଇ ବଲାଙ୍ଗିରକୁ ବହୁ ପରିମାଣର କଫସିରଫ ଆସୁଥିବା ବେଳେ ଏହା ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ବେଆଇନ ଭାବେ ବିକ୍ରି ଚାଲିଥିଲା। ଏହ ନିଶା କାରବାର ଯୋଗୁ ଜିଲ୍ଲାବାସୀ ଅତିଷ୍ଠ ହୋଇପଡିଥିବା ବେଳେ ଏହାଦ୍ୱାରା ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଥିଲା। ପୂର୍ବରୁ କଫସିରଫ କାରବାର ଉପରେ ଅନେକ ଥର ଚଢାଉ ହେବା ସତ୍ୱେ ଏହି କାରବାର କମିବା ବଦଳରେ ବଢିଚାଲିଥିଲା। ଗତ କିଛି ମାସ ଭିତରେ ହୋଇଥିବା ଅନେକ ଅପରାଧିକ ମାମଲାରେ କଫସିରଫ କାରବାରକୁ ନେଇ ପ୍ରଶ୍ନ ଉଠିବା ପରେ କଫସିରଫ ସାମ୍ରାଜ୍ୟ ଉପରେ ପୁଲିସ ନଜର ପକାଇଥିଲା। ଏସପି ନୀତିନ କୁଶଳକରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ, କେ. ପ୍ରିୟଙ୍କା ରାଉୟତରାୟ, ଏସଆଇ କିରନ କୁମାର ଜାନୀ, ରାକେଶ ବେହେରା, ସାଇବର ଶାଖାର ପୁଲିସ କର୍ମଚାରୀ, ଡିଭିଏଫ କର୍ମଚାରୀଙ୍କୁ ନେଇ ଏହି ଟିମ ଗଠନ କରାଯାଇଥିବା ବେଳେ ଏହି ଟିମ ଜିଲ୍ଲା ତଥା ଜିଲ୍ଲା ବାହାର ଅନେକ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ କୁଚିଆ କଫସିରଫ ବ୍ୟବସାୟୀ ଠାରୁ ଆରମ୍ଭ କରି କଟକ ଚାଉଲିଆଗଞ୍ଜର ମୁଖ୍ୟ ବେପାରୀ ତୁଫାନ ବଢେଇ ପର୍ଯ୍ୟନ୍ତ ଥିବା ନେଟୱର୍କର ୩୭ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ଭିତରେ ଚାରିଜଣ ମହିଳା କଫସିରଫ ବ୍ୟବସାୟୀ ରହିଛନ୍ତି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ସମୁଦାୟ ୧୨ ହଜାର ୯୬୦ ବୋତଲ କଫସିରଫ କରିଛି ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ହେବ ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କ ପାଖରୁ ୧୭ଟି ମୋବାଇଲ ଫୋନ, ଗୋଟିଏ ଦେଶୀ ପିସ୍ତଲ, ସୁନା ଗହଣା, ମାରଣାସ୍ତ୍ର ଓ ନଗର ସାତ ହଜାର ପାଞ୍ଚ ଶହ ଟଙ୍କା ଜବତ କରିଛି ପୁଲିସ ।

ଅନ୍ୟପକ୍ଷରେ ଏହି କାରବାରର ଚେର କଲିକତାରେ ଥିବା ବେଳେ ପ୍ରଥମ ଥର ପାଇଁ ଏକ ଡ୍ରଗ୍ସ କଂପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ । କଲିକତା ଠାରେ ଥିବା ଡେଫୋଡିଲ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡ କଂପାନୀର ଆକାଉଣ୍ଟକୁ କଂପାନୀ ଫ୍ରିଜ କରିଛି । ଏହି ଆକାଉଣ୍ଟରେ ଦୁଇ କୋଟି ଟଙ୍କା ଜମା ରହିଥିବା ପୁଲିସ ସୂଚନା ଦେଇଛି । ସ୍ଥାନୀୟ ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଏନେଇ ସୂଚନା ଦେବା ସହିତ ଏହି କାରବାରରେ ସଂପୃକ୍ତ ଥିବା ଅନ୍ୟ ମାଫିଆ, କଫସିରଫ ସପ୍ଲାଏ କରୁଥିବା କଂପାନୀ କର୍ତ୍ତୁପକ୍ଷଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯିବ ବୋଲି ଏସପି ନୀତିନ କୁଶଳକର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏହି ଚଢାଉରେ ସାମିଲ ଥିବା ପୁଲିସ କର୍ମଚାରୀଙ୍କ ସମେତ ଏସଡିପିଓ ତୋଫାନ ବାଗ, ଟାଉନ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବେଆଇନ କଫସିରଫ କାରବାରର ଅସଲ ନେଟୱାର୍କ

ଚୂନ ନାମରେ ପୁଲିସକୁ ଚୁନା ଲଗାଉଥିଲେ, ଧରାଇଦେଲେ ୩୫ ଲକ୍ଷର କଫସିରଫ
ଗତ ୧୧ ତାରିଖ ରାତ୍ରୀରେ ସୁଦପଡା ଓଭରବ୍ରୀଜ ନିକଟରେ ପୁଲିସ ଏକ କଫସିରଫ ବୋଝେଇ ଗାଡି ଜବତ କରିଥିଲା । ଏକ ଡାଲା ବୋଝେଇ ଗାଡିରେ ଚୂନ ନାମରେ କଫସିରଫ ଚାଲାଣ କରି ପୁଲିସ କୁ ଚୁନା ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଚାଲାଣକାରୀକୁ ଗିରଫ କରିଥିଲା। ତେବେ ଏହି ମାମଲାର ତଦନ୍ତ କରି ପୁଲିସ କଫସିରଫ କାରବାରର ଏକ ବଡ ର‍୍ୟାକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ପୁଲିସକୁ ଚୂନ ଲଗାଇବାକୁ ଚେଷ୍ଟା କରୁଥିଲେ ସିନା କିନ୍ତୁ ୩୫ ଲକ୍ଷ ଟଙ୍କାର କଫସିରଫ ଧରାଇଦେଇଛନ୍ତି ଏହି ଚାଲାଣକାରୀ ।

Leave a Comment