କୁକୁର କାମୁଡ଼ି ଥିବା ପୋଷା ବିରାଡ଼ି କାମୁଡ଼ି ଦେବାରୁ ବାପପୁଅ ମୃତ

Bartanews

Updated on:

କୁକୁର କାମୁଡ଼ି ଥିବା ପୋଷା ବିରାଡ଼ି କାମୁଡ଼ି ଦେବାରୁ ବାପପୁଅ ମୃତ

କାନପୁର: ଉତ୍ତର ପ୍ରଦେଶର କାନପୁର ଦେହାତ୍‌ ଜିଲ୍ଲାର ଆକବରପୁର ସହରରେ ପୋଷା ବିରାଡ଼ି କାମୁଡ଼ିବାର ଏକ ସପ୍ତାହ ଭିତରେ ସରକାରୀ ବେସିକ୍‌ ସ୍କୁଲ୍‌ର ଜଣେ ଶିକ୍ଷକ ଓ ତାଙ୍କ ୨୪ ବର୍ଷିୟ ପୁଅର ମୃତ୍ୟୁ ଘଟିଥିବା କଥା ଜିଲ୍ଲା ସରକାରୀ ଅଧିକାରୀମାନେ କହିଛନ୍ତି।

ଜଣେ ବରିଷ୍ଠ ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ସେ ପୋଷା ବିରାଡ଼ିକୁ ଜଳାତଙ୍କ ରୋଗାକ୍ରାନ୍ତ ଗୋଟାଏ ବୁଲା କୁକୁର କାମୁଡ଼ିଥିଲା।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୋଷା ବିରାଡ଼ିଠାରେ ଜଳାତଙ୍କ ଲକ୍ଷଣ ଦେଖା ଦେଇଥିଲେ ବି ପରିବାର ଲୋକେ ସେଥି ପ୍ରତି ଧ୍ୟାନ ଦେଇ ନ ଥିଲେ। ସେହି ସମୟରେ ଛୁଟିରେ ଘରକୁ ଆସିଥିବା ସେ ଶିକ୍ଷକଙ୍କ ୨୪ ବର୍ଷିୟ ପୁଅ ଅଜୀମ୍‌ ଖେଳୁଥିବା ବେଳେ ପୋଷା ବିରାଡ଼ି ତାଙ୍କୁ ରାମ୍ପୁଡ଼ିବା ସହିତ କାମୁଡ଼ି ପକାଇଲା। ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଲା ଓ ସପ୍ତାହେ ପରେ ସେ ମରିଗଲେ। ପୁଅ ମୃତ୍ୟୁର ସପ୍ତାହେ ପରେ ବେସିକ୍‌ ସ୍କୁଲ୍‌ରେ ପ୍ରଧାନ ଶିକ୍ଷକ ଥିବା ୫୮ ବର୍ଷିୟ ବାପା ଇମ୍‌ତିଆଜୁଦ୍ଦିନ୍‌ଙ୍କୁ ବି ସେ ବିରାଡ଼ି କାମୁଡ଼ି ପକାଇଲା। ସେ ବି ମରିଗଲେ।

pet cat
Image Courtesy of Times Now

ପରିବାର ଲୋକଙ୍କ କହିବା ଅନୁସାରେ, ବିରାଡ଼ି ଯେ ଜଳାତଙ୍କରେ ଆକ୍ରାନ୍ତ ହୋଇଛି, ତାହା ଜାଣି ନ ପାରି ବାପପୁଅ ‘ଆଣ୍ଟି-ଟିଟାନସ୍‌’ ବା ଧନୁଷ୍ଟଙ୍କାର ଟିକା ନେଇ କାମୁଡ଼ା କ୍ଷତ‌ ନିମନ୍ତେ ସାଧାରଣ ଚିକିତ୍ସା କରାଇଥିଲେ।

ସରକାରୀ ଅଧିକାରୀମାନେ ସାମ୍ବାଦିକମାନଙ୍କୁ କହିଛନ୍ତି, ‘ଆଣ୍ଟି-ରାବିଜ୍‌ ଟିକା’ ନ ନେଇ ଉଭୟ ‘ଟିଟାନସ୍‌’ ଇଞ୍ଜେକ୍‌ସନ୍‌ ନେଲେ। ଏହାର କିଛି ଦିନ ପରେ ସେ ବିରାଡ଼ିର ମୃତ୍ୟୁ ଘଟିଥିଲେ ବି ପରିବାର ଲୋକେ ସେଥିପ୍ରତି ଗୁରୁତ୍ବ ଦେଇ ନ ଥିଲେ। ନଭେମ୍ବର ୨୧ ତାରିଖ ଦିନ ସେ ପରିବାର ଲୋକେ ଗୋଟାଏ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଭୋପାଳ ଯାଇଥିବା ବେଳେ ଅଜୀମ୍‌ଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖା ଦେଇଥିଲା। ତା’ପରେ ତା’ର ମୃତ୍ୟୁ ଘଟିଲା।

Leave a Comment