ରାଜସ୍ଥାନରେ କଂଗ୍ରେସର ପରାଜୟ ପାଇଁ ‘ପାଇଲଟ ଫ୍ୟାକ୍ଟର’ କେତେ ଦାୟୀ?

Bartanews

ରାଜସ୍ଥାନରେ କଂଗ୍ରେସର ପରାଜୟ ପାଇଁ ‘ପାଇଲଟ ଫ୍ୟାକ୍ଟର’ କେତେ ଦାୟୀ?

ଜୟପୁର: ରାଜସ୍ଥାନରେ ବିଜେପି ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ବିଶେଷ କରି ସଚିନ ପାଇଲଟ୍ ଫ୍ୟାକ୍ଟରରେ ଆଭ୍ୟନ୍ତରୀଣ କଳହ ଯୋଗୁଁ କଂଗ୍ରେସ କ୍ଷତିଗ୍ରସ୍ତ ହୋଇଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ହେବାପାଇଁ ସଚିନ ପାଇଲଟଙ୍କ ବ୍ୟଗ୍ରତା ଓ ଏହି କାରଣରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ତୀବ୍ର କନ୍ଦଳ ଗତ ୩ ବର୍ଷ ଧରି ଚର୍ଚ୍ଚାରେ ରହିଥିଲା। ଗୁଜ୍ଜର ସମ୍ପ୍ରଦାୟ-ବହୁଳ ପୂର୍ବ ରାଜସ୍ଥାନରେ ବିଜେପି ବିପୁଳ ସଫଳତା ହାସଲ କରିଥିବାରୁ ଏହାକୁ ନେଇ କେତେକ ଦଳୀୟ ନେତା ପାଇଲଟଙ୍କ ବିଫଳତାକୁ ଇଙ୍ଗିତ କରିଛନ୍ତି। ୨୦୧୮ରେ କଂଗ୍ରେସର ବିଜୟ ପରେ ଗୁଜ୍ଜର ନେତା ତଥା ତାଙ୍କ ସମ୍ପ୍ରଦାୟ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବଞ୍ଚିତ କରାଯାଇଥିବାରୁ ଅସନ୍ତୁଷ୍ଟ ଥିବା ନିର୍ବାଚନ ପୂର୍ବରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଥିଲା।
୨୦୨୦ରେ ପାଇଲଟଙ୍କ ନେତୃତ୍ୱରେ ଏକ ବିଦ୍ରୋହ ଅଶୋକ ଗେହଲଟ ସରକାରକୁ ପ୍ରାୟ ଭାଙ୍ଗିଦେବା ଅବସ୍ଥାରେ ପହଞ୍ଚାଇଥିଲା। ଏହାପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ମଧ୍ୟ ବିଦା କରାଯାଇଥିଲା। ପ୍ରଚାର ସମୟରେ କଂଗ୍ରେସ ଏକଜୁଟ୍ ଥିବା ଦେଖାଇବାକୁ ପ୍ରୟାସ କରିଥିବା ବେଳେ ପାଇଲଟ୍ ମଧ୍ୟ ଲୋକଙ୍କୁ ଦଳକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। କିନ୍ତୁ ଫଳାଫଳ ଦର୍ଶାଉଛି ଯେ ଲୋକେ ଏହି ବାର୍ତ୍ତାକୁ ଗ୍ରହଣ କରି ନ ଥିଲେ।
ପୂର୍ବ ରାଜସ୍ଥାନର ୧୧ଟି ଜିଲ୍ଲାର ୫୯ଟି ବିଧାନସଭା ଆସନରୁ ବିଜେପି ୩୮ଟିରେ ବିଜୟୀ ହୋଇ ୨୦୧୮ ତୁଳନାରେ ଅତି କମ୍‌ରେ ୨୦ଟି ଅଧିକ ଆସନ ହାସଲ କରିଛି। କଂଗ୍ରେସ ଏଥର ୫୯ରୁ ୧୯ଟିରେ ବିଜୟୀ ହୋଇଛି। ତେବେ ବିଜେପିର ବିଜୟ କେବଳ ପୂର୍ବ ରାଜସ୍ଥାନ ଯୋଗୁଁ ହୋଇନାହିଁ। ପଶ୍ଚିମ ରାଜସ୍ଥାନ ଉପରେ ନଜର ପକାଇଲେ ସେ ଅଞ୍ଚଳର ଜୈସଲମେର, ବିକାନେର ଏବଂ ବାରମେର ଭଳି ଜିଲ୍ଲାରେ ଗୈରିକ ଲହରି ଦେଖିବାକୁ ମିଳିଛି ଯେଉଁଠାରେ ଗତଥର କଂଗ୍ରେସର ଆଧିପତ୍ୟ ଥିଲା।

Leave a Comment