ରାଜନୀତି ଭାଙ୍ଗିଦେଲା ସଂସାର: କୋରେଇ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ମାଳତୀ ଟୁଡ଼ୁଙ୍କ ପରିବାର ଏବେ କେଉଁଠି?

Bartanews

ରାଜନୀତି ଭାଙ୍ଗିଦେଲା ସଂସାର: କୋରେଇ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ମାଳତୀ ଟୁଡ଼ୁଙ୍କ ପରିବାର ଏବେ କେଉଁଠି?

ଯାଜପୁର (ସଂଗ୍ରାମ କେଶରୀ ସିଂହ): ରାଜନୀତି ପଶାପାଲିରେ ମାଳତୀ ଟୁଡୁଙ୍କ ଭାଗ୍ୟ ଚାପି ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ଭାବେ ଦିନେ ତାଙ୍କୁ ସମସ୍ତେ ଲୋଡୁଥିଲେ। ପଦବି ଯିବା ପରେ ଏବେ ସେ ସଂପୂର୍ଣ୍ଣ ଅଲୋଡ଼ା। ପରିସ୍ଥିତି ଏମିତି ହୋଇଛି ଯେ ଆଜି ସେ ନିଜ ଘରକୁ ଠିକ୍‌ ଭାବେ ସଜାଡ଼ି ପାରୁନାହାନ୍ତି। କୋରେଇ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା (୨୦୧୭-୨୨) ମାଳତୀ ଟୁଡୁଙ୍କ ସଂସାର ରାଜନୀତି ପାଇଁ ଉଜୁଡ଼ିଯାଇଛି। କୋରେଇ ବ୍ଲକ୍ ବରୁ‌ଣ୍ଡେଇ ପଞ୍ଚାୟତ ୬ନମ୍ବର ୱାର୍ଡ ବୈତରଣୀରୋଡ ଷ୍ଟେସନ ନିକଟ ରେଳ ଲାଇନ୍ ପାର୍ଶ୍ବରେ ରହୁଥିବା ମାଳତୀ ଟୁଡୁ ଏକଦା ମୂଲ ମଜୁରି କରି ପେଟ ପୋଷୁଥିଲେ। ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋରେଇ ବ୍ଲକ୍ ଅଧ୍ୟକ୍ଷ ପଦବି ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ଅମୃତିଆ ପଞ୍ଚାୟତର ସମିତିସଭ୍ୟା ପଦବି ମଧ୍ୟ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ହାତୀ ସୁନାକଳସ ଢାଳିବା ଭଳି ଶ୍ରୀମତୀ ଟୁଡୁଙ୍କୁ ବିଜେପି ନେତାମା‌ନେ ସମିତିସଭ୍ୟା ଭାବେ ଜିତାଇବା ସହିତ ବ୍ଲକ୍ ଅଧ୍ୟକ୍ଷା ପଦବିରେ ବସାଇଦେଲେ। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ୫ବର୍ଷ ପର୍ଯ୍ୟନ୍ତ ତାଙ୍କ ସ୍ବାକ୍ଷରରେ କୋଟିକୋଟି ଟଙ୍କାର କାମ ହୋଇଛି। ସେ ପର୍ଯ୍ୟନ୍ତ ତାଙ୍କର ଚାଳଘର ସେମିତି ରହିଥିଲା। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କାର୍ଯ୍ୟକାଳର ଶେଷବେଳକୁ ନେତାମାନେ ତାଙ୍କ ପାଇଁ ୨ବଖରା ପକ୍କା ଘର କରିଦେଲେ।

ମାତ୍ର ଏବେ ସେହି ଘରେ କେହି ନାହାନ୍ତି। ସେ ଅଧ୍ୟକ୍ଷା ହେବା ପୂର୍ବରୁ ତାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି ଶ୍ରମିକ ଭାବେ କାମ କରୁଥିଲେ ଏବଂ ୨ପୁଅଙ୍କୁ ନେଇ ତାଙ୍କ ସଂସାର ଦୁଃଖସୁଖରେ କଟିଯାଉଥିଲା। ଏବେ ମଧ୍ୟ ପୂର୍ବଭଳି ମାଳତୀଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଛନ୍ତି। କିନ୍ତୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ରାଜନୀତି ଏଭଳି ଫାଟ ସୃଷ୍ଟି କରିଛି ଯେ କେହି କାହାର ମୁହଁ ଚାହୁଁନାହାନ୍ତି। ତିଆରି ହୋଇଥିବା ନୂଆ ପକ୍କାଘରେ ମଧ୍ୟ ମାଳତୀ ରହୁ ନାହାନ୍ତି। କେତେବେଳେ ନିକଟରେ ଥିବା ଭଉଣୀ ଘରେ ଆଶ୍ରୟ ନେଉଛନ୍ତି ତ କେବେ ବାପଘର ମୟୂରଭଞ୍ଜ ଉଦଳା ବ୍ଲକ୍‌ର ଖୁଣ୍ଟା ଗାଁରେ ସାନପୁଅ ପାଖରେ ରହୁଛନ୍ତି। ବଡ଼ପୁଅ ଅଧାରୁ ପାଠରେ ଡୋରି ବାନ୍ଧିଥିଲେ, ଏବେ ମଉସା ଓ ମାଉସୀଙ୍କ ପାଖରେ ରହି ଜଗତସିଂହପୁରରେ ଯୁକ୍ତ ଦୁଇ ପଢୁଛନ୍ତି। ପଡ଼ୋଶୀଙ୍କ କହିବା କଥା, ରାଜନୀତି ଅଙ୍କକୁ ଶାନ୍ତ ସରଳ ଆଦିବାସୀ ମହିଳା ମାଳତୀ ବୁଝିପାରିଲେ ନାହିଁ। ସେ ସିନା ଭଙ୍ଗା କୁଡ଼ିଆ ବଦଳରେ ଏକ ପକ୍କାଘର ପାଇଲେ ମାତ୍ର ତାଙ୍କ ସଂସାର ଉଜୁଡ଼ିଗଲା। ସେ ଘରେ ମଧ୍ୟ ରହିପାରିଲେ ନାହିଁ। ଘରଟିରେ ଗୋଟିଏ ଖଟ ପଡ଼ିଛି। ଅନ୍ୟ କୌଣସି ଆସବାବପତ୍ର ଦୂର କଥା, ବିଦ୍ୟୁତ୍‌ ସଂଯୋଗ ମଧ୍ୟ ନାହିଁ। ରାଜନୀତିରେ ପ୍ରବେଶ କରି ମାଳତୀଙ୍କ ସଂସାର ଭାଙ୍ଗିଯାଇଛି।

Leave a Comment