ଯୋଡ଼ାରେ ଡକାୟତି: ୩ ରାଉଣ୍ଡ ଗୁଳି ଚାଳନା, ଜଣେ ଗୁରୁତର

Bartanews

ଯୋଡ଼ାରେ ଡକାୟତି: ୩ ରାଉଣ୍ଡ ଗୁଳି ଚାଳନା, ଜଣେ ଗୁରୁତର

କେନ୍ଦୁଝର/ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟ ସିଆଳିଯୋଡା ବଜାରରେ କେତେ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଡକାୟତି କରିଥିବା ଖବର ମିଳିଛି। ସେମାନେ ଏକ ଝାଡଖଣ୍ଡ ନମ୍ବର ଥିବା ଆପାଚି ବାଇକ (ଜେଏଚ୍୧୦ବିଏକ୍ସ ୨୩୬୦) ରେ ଆସି ଶନିବାର ସନ୍ଧ୍ୟାରେ ଏସବିଆଇର ମିନି ଏଟିଏମରୁ ଉଠାଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଏବଂ ଏହି କେନ୍ଦ୍ରର ପରିଚାଳିକା କମଳିନି ମହାନ୍ତଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଡ୍ରରେ ଥିବା ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଖବର ମିଳିଛି। ଶନିବାର ସାପ୍ତାହିକ ହାଟ ଥିବାରୁ ଏହି ଲୁଟେରାମାନେ ଫେରିଯିବା ସମୟରେ ଲୋକମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନେ ଧରିଥିବା ବନ୍ଧୁକରୁ ପର୍ଯ୍ୟାୟକ୍ରମେ ୩ ରାଉଣ୍ଡ ଗୁଳି ଚାଳନା କରିଛନ୍ତି।

ଏଥିରେ ନିଜାମ ସାହିର ସୋରେନ ପୂର୍ତ୍ତୀ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇପଡିଥିବା ବେଳେ ତାଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଛି। ତେବେ ଏହି ୩ଜଣ ଡକାୟତଙ୍କ ମଧ୍ୟରୁ କୌଶଳକ୍ରମେ ଜଣେ ଡକାୟତକୁ ସ୍ଥାନୀୟ ବାସିନ୍ଦାମାନେ କାବୁ କରିନେଇଥିବା ଜଣାପଡିଛି। ଏହି ଡକାୟତମାନେ ମୁହଁରେ କଳା କନା ବାନ୍ଧି ଗୋଟିଏ ଆପାଚି ବାଇକରେ ତିନି ଜଣ ବନ୍ଧୁକ ଧରି ସିଆଳିଯୋଡା ବଜାରରେ ପହଞ୍ଚିଥିଲେ। ସେମାନେ ଲୁଟ କରି ପଳାଉଥିବା ସମୟରେ କୋହ୍ଲହୁଣ୍ଡୁଳା ପାତ୍ର ସାହି ଠାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏମାନଙ୍କୁ ଅଟକାଇବା ପାଇଁ ପ୍ରୟାସ କରାଯାଇଥିଲା। ଲୋକଙ୍କୁ ଭୟଭୀତ କରିବାପାଇଁ ସେମାନେ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରି ସେଠାରୁ ଖସି ପଳାଇଥିଲେ।

ପରେ ନିଜାମ ସାହି ଛକ ଠାରେ କେତେକ ସ୍ଥାନୀୟ ଯୁବକ ଏହି ଆପାଚି ବାଇକ ଚକାରେ ଏକ ବାଉଁଶ ଭର୍ତ୍ତି କରିଦେବାରୁ ୩ଜଣ ଡକାୟତ ତଳେ ପଡିଯାଇଥିଲେ। ଏହି ସମୟରେ ଡକାୟତମାନେ ଗୁଳି ଚାଳନା କରି ଆଉଥରେ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ କୌଶଳକ୍ରମେ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିନେଇଥିଲେ। ଅନ୍ୟ ୨ଜଣ ଅନ୍ଧାରର ସୁଯୋଗରେ ସେଠାରୁ ଖସିଯିବାରେ ସଫଳ ହୋଇଛନ୍ତି। ଗ୍ରାମବାସୀଙ୍କ ଦ୍ୱାରା ଅଟକ ଥିବା ଡକାୟତ ଜଣଙ୍କ ଜାମସେଦପୁର ପର୍ଶୁଡିହି ଅଞ୍ଚଳର ସାହିଲ ଗଗରାଇ ବୋଲି ଜଣାପଡିଛି। ଘଟଣାସ୍ଥଳରୁ ସୀମାନ୍ତ ଝାଡଖଣ୍ଡ ଖୁବ କମ ଦୂର ହୋଇଥିବା ବେଳେ ଏହି ଦୁର୍ବୁତ୍ତମାନେ ଝାଡଖଣ୍ଡର ନୂଆମୁଣ୍ଡି ବାଟ ଦେଇ ଖସିଯିବାର ଯୋଜନା କରିଥିଲେ। ଖବର ପାଇ ଯୋଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆପାଚି ବାଇକ ଏବଂ ଗୋଟିଏ ପିସ୍ତଲ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Leave a Comment