ଯନ୍ତ୍ରଣା ଦେଉଛି ୧୪୩ ନମ୍ବର ଜାତୀୟ ରାଜପଥ; ୬ ବର୍ଷ ପରେ ବି ୩୦% କାମ ବାକି, ବଢ଼ୁଛି ଦୁର୍ଘଟଣା ଓ ପ୍ରଦୂଷଣ

Bartanews

ଯନ୍ତ୍ରଣା ଦେଉଛି ୧୪୩ ନମ୍ବର ଜାତୀୟ ରାଜପଥ; ୬ ବର୍ଷ ପରେ ବି ୩୦% କାମ ବାକି, ବଢ଼ୁଛି ଦୁର୍ଘଟଣା ଓ ପ୍ରଦୂଷଣ

ରାଉରକେଲା:୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରରୁ ବାରକୋଟ ପର୍ଯ୍ୟନ୍ତ କାମ କାମ ଶେଷ ହେବାର ନାଁ ନଉନି। ୬ ବର୍ଷ ବିତିଯାଇଥିଲେ ହେଁ, କାମ କଚ୍ଛପ ଗତିରେ ଚାଲିଛି। ଏକାଧିକ ଠିକାସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ତଥାପି ସମ୍ପ୍ରସାରଣ କାମର ଅଗ୍ରଗତି ହେଉନି। ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ କେବଳ ଅବଧି ବଢ଼ାଇ ଚାଲିଛନ୍ତି। ଅଦ୍ୟାବଧି ବଣାଇ ନରେନ୍ଦ୍ର ଛକରୁ କେନ୍ଦୁଝର ଜିଲ୍ଲାର ‌ବାରକୋଟ ପର୍ଯ୍ୟନ୍ତ ପ୍ରାୟ ୩୦% କାମ ବାକିପଡ଼ିଛି। ପୂର୍ବରୁ ଏହି କାମ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ ପକ୍ଷରୁ କରାଯାଉଥିଲା। ହେଲେ ଦେବାଳିଆ ହୋଇ ପଡ଼ିବା କାରଣରୁ ଏହି ସଂସ୍ଥା ସମ୍ପୂର୍ଣ୍ଣ ହେବା ପୂର୍ବରୁ କାମ ଛାଡ଼ି ଚାଲି ଯାଇଥିଲା। ଏହାପରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଠିକାସଂସ୍ଥା ବଦଳାଇ ଏଆର୍‌ଏସ୍‌ଏସ୍‌କୁ କାମ ଦେଇଛନ୍ତି। ହେଲେ ବାକି ଥିବା ୩୦% କାମକୁ ଏହି ସଂସ୍ଥା କେବେ ସୁଦ୍ଧା ସାରିବ, କାହାରି ପାଖରେ ଠିକ୍‌ ଉତ୍ତର ନାହିଁ। ନରେନ୍ଦ୍ର ପୋଲର ଉଭୟ ପାର୍ଶ୍ବ ରାସ୍ତା କାମ ହୋଇନାହିଁ।

ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ଥିବାରୁ ଛୋଟ ବଡ ଦୁର୍ଘଟଣା ଘଟୁଛି। ଅନେକଙ୍କ ଜୀବନ ଯାଇଛି। କାମ ଚାଲିଥିବା ରାସ୍ତାରେ ଠିକାସଂସ୍ଥା ପକ୍ଷରୁ ଦିନକୁ ଦୁଇଓଳା ପାଣି ସିଞ୍ଚନ କରିବାର ନିୟମ ରହିଛି। କିନ୍ତୁ ଗମଲେଇ ହାଟ ନିକଟରୁ ନରେନ୍ଦ୍ର ଛକ ଦେଇ ବାରକୋଟ ପର୍ଯ୍ୟନ୍ତ ପାଣି ସିଞ୍ଚନ କରାଯାଉ ନାହିଁ। ସ୍ଥାନୀୟ ‌ଲୋକ ଓ ବ୍ୟବସାୟୀମାନେ ବାରମ୍ବାର ଠିକାସଂସ୍ଥାର ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ ଫଳ ଶୂନ୍‌। ଫଳରେ ଧୂଳି ଉଡ଼ି ଲୋକଙ୍କୁ କଲବଲ୍‌ କରୁଛି। ରାଉରକେଲାରୁ ଭୁବନେଶ୍ବର , କଟକ, ଭଦ୍ରକ, ବାଲେଶ୍ବର ସମେତ ଅନ୍ୟାନ୍ୟ ସହରକୁ ଯାଉଥିବା ନାଇଟ୍‌କୋଚ୍‌ ବସ୍‌ଗୁଡ଼ିକ ବଣାଇ ସହରର ଓ ଲଇେଇ ପୋଲ ଦେଇ ବାରକୋଟ ପର୍ଯ୍ୟନ୍ତ ଯିବାକୁ ବାଧ୍ୟ ହେଉଛନ୍ତି। ଏହା ସତ୍ତ୍ବେ ବିଭାଗର ଚେତା ପଶୁନି। ଟ୍ରାଫିକ୍‌ ସମସ୍ୟା ଏଡ଼ାଇବାକୁ କୁଆରମୁଣ୍ଡାରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ବାଇପାସ୍‌ ରାସ୍ତା ନିର୍ମାଣ କଲେ। ହେଲେ ବୀରମିତ୍ରପୁରରେ ଏହି ପ୍ରସ୍ତାବରୁ ବାଦ୍‌ ପଡ଼ିଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ସେପଟେ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ, ସ୍ଥାନୀୟ ବାସିନ୍ଦା। ମରାମତି ନ ସରୁଣୁ ଅଧିକାଂଶ ସ୍ଥାନରେ ରାସ୍ତାରେ ପୁଣି ଫାଟ ସୃଷ୍ଟି ହେଲାଣି ତ ପୁଣି କେଉଁଠି ଗର୍ତ୍ତ।

ଏହି ଜାତୀୟ ରାଜପଥ ଜିଲ୍ଲାବାସୀଙ୍କ ଜୀବନରେଖା ହୋଇଥିଲାବେଳେ ଏହା ଉପରେ ନିର୍ଭରଶୀଳ ହଜାରହଜାର ଲୋକ ପ୍ରତିଦିନ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ହେଲେ ରାଜପଥ ଦୁର୍ଦ୍ଦଶା ଦୂର ପାଇଁ ସାଂସଦ, ବିଧାୟକ ଆଦି ଲୋକପ୍ରତିନିଧି ଆବଶ୍ୟକ ତତ୍ପରତା ପ୍ରକାଶ କରୁନାହାନ୍ତି। ଜାତୀୟ ରାଜପଥ ଯନ୍ତ୍ରଣାରୁ ଜିଲ୍ଲାବାସୀ କେବେ ମୁକ୍ତି ପାଇବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାରପୋର୍ଟ ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ ଘୋଷଣା କରିଥିଲେ। ଘୋଷଣା କାର୍ଯ୍ୟକାରୀ ହେବାକୁ ଦୁଇବର୍ଷ ଲାଗିଗଲା। ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବାଲୁଘାଟସ୍ଥିତ ପଡିଆରେ ଆୟୋଜିତ ଶିଳାନ୍ୟାସ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ। ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଗଡ଼କରୀ ଘୋଷଣା କରିଥିଲେ। ୧୫ ଦିନ ମଧ୍ୟରେ ମାଟି ମୁଠାଏ ବି ପଡ଼ିନଥିଲା। ଗତ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା। ବୀରମିତ୍ରପୁର-ପାନପୋଷ ୨୯ କି.ମି. ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କି.ମି. ଓ ରାଜାମୁଣ୍ଡାରୁ ବାରକୋଟ ୫୦ କି.ମି. ରାସ୍ତା ବାବଦରେ ମୋଟ ୪୬୨ କୋଟି, ରାଜାମୁଣ୍ଡାରୁ କୋଇଡ଼ା ପ୍ରାୟ ୪୮ କି.ମି. ରାସ୍ତା ମରାମତିରେ ୩୦୦ କୋଟି ଏମିତି ମୋଟ ୧୧୨୪ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ରହିଛି।

Leave a Comment