ମଧ୍ୟପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଅସ୍ପଷ୍ଟ: ‘ମାମା’ ଶିବରାଜ ନା ସିନ୍ଧିଆ ‘ମହାରାଜ’?

Bartanews

ମଧ୍ୟପ୍ରଦେଶରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଅସ୍ପଷ୍ଟ: ‘ମାମା’ ଶିବରାଜ ନା ସିନ୍ଧିଆ ‘ମହାରାଜ’?

ଭୋପାଳ: ମଧ୍ୟପ୍ରଦେଶରେ ବିଜେପିର ବିଜୟ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି। କଂଗ୍ରେସ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା। ବିଜେପି ନିର୍ବାଚନୀ ରାଲିରେ ଏହି ପ୍ରଶ୍ନକୁ ଏଡ଼ାଇ ମୋଦୀଙ୍କ ବ୍ରାଣ୍ଡ୍ ନାମରେ ନିର୍ବାଚନ ପ୍ରଚାର ହେବ ବୋଲି କହିଥିଲା। ତେବେ ମଧ୍ୟପ୍ରଦେଶରେ ପୁଣିଥରେ ବିଜେପି ସୁନାମି ଦେଖିବାକୁ ମିଳିଛି ଏବଂ ଶିବରାଜ ସିଂହ ଚୌହାନ ପୁନଶ୍ଚ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି। ସମ୍ପ୍ରତି ଚୌହାନଙ୍କ ଛଡ଼ା ରାଜ୍ୟରେ ମୁଖ୍ୟମନ୍ତ୍ରୀ ପାଇଁ ଆହୁରି ଅନେକ ଦାବିଦାର ଅଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ନରେନ୍ଦ୍ର ସିଂହ ତୋମର, କୈଳାସ ବିଜୟବର୍ଗୀୟ, ବିଜେପି ରାଜ୍ୟ ସଭାପତି ଭିଡି ଶର୍ମା ତଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ନେତାଙ୍କ ମଧ୍ୟରୁ କାହାକୁ କେନ୍ଦ୍ର ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିପାରେ। ରାଜ୍ୟରେ ଦଳକୁ ସ୍ପଷ୍ଟ ବହୁମତରେ ଜିତାଇବାରେ ଶିବରାଜ ସିଂହ ଚୌହାନଙ୍କ ଭୂମିକା ଉଲ୍ଲେଖନୀୟ। ତାଙ୍କର ଫ୍ଲାଗ୍‌ସିପ୍ ଯୋଜନା ‘ଲାଡ଼ଲି ବେହନା’ ଭୋଟରଙ୍କୁ ଆକର୍ଷିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବା ଆଗରେ ଥିବା କୁହାଯାଉଛି। ସାଧାରଣ ସଭାଗୁଡ଼ିକରେ ସେ ଲୋକମାନଙ୍କୁ, ବିଶେଷତଃ ମହିଳା ଭୋଟରମାନଙ୍କୁ ବାରମ୍ବାର ପଚାରିବାର ଦେଖାଯାଉଥିଲା, ସେମାନେ ତାଙ୍କ ‘ମାମା’ଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହାନ୍ତି କି? ଏହା ମାଧ୍ୟମରେ ସେ ଦଳୀୟ କର୍ଣ୍ଣଧାରମାନଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଥିଲେ ଯେ, ସେମାନେ ତାଙ୍କୁ ଏତେ ସହଜରେ ହଟାଇପାରିବେ ନାହିଁ। ବର୍ତ୍ତମାନ ଦଳର ଆକର୍ଷଣୀୟ ବିଜୟ ପରେ ସେ ନିଜର ଗାଦି ପୁନଃ ହାସଲ ସମ୍ଭାବନାକୁ ଅଧିକ ସୁଦୃଢ଼ କରିପାରିଛନ୍ତି।

ଚୌହାନଙ୍କ ଛଡ଼ା ଅନ୍ୟତମ ଦାବିଦାର ହେଉଛନ୍ତି କୈଳାସ ବିଜୟବର୍ଗୀୟ। ସେ ଉଚ୍ଚଜାତି ବଣିଆ ସମ୍ପ୍ରଦାୟର। ମାଲୱା ଅଞ୍ଚଳରେ ତାଙ୍କର ବିଶେଷ ଦଖଲ ରହିଛି। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ତାଙ୍କ ପୁଅର ଏକ ଭାଇରାଲ ଭିଡିଓ ଯୋଗୁ ସେ ପଛରେ ପଡ଼ିଯାଇପାରନ୍ତି। ବିଜେପି କେନ୍ଦ୍ରମନ୍ତ୍ରୀ ତଥା ଓବିସି ଚେହେରା ପ୍ରହ୍ଲାଦ ପଟେଲଙ୍କୁ ମଧ୍ୟ ମନୋନୀତ କରିପାରେ। ଯଦି ଦଳ ହାଇକମାଣ୍ଡ ଚାହାନ୍ତି ତେବେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ବୋଲି ବରିଷ୍ଠ ନେତା ଗୋପାଳ ଭାର୍ଗବ ନିଜ ମନର କଥା ପ୍ରକାଶ କରିସାରିଛନ୍ତି। ସିନ୍ଧିଆ ‘ମହାରାଜ’ (କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ)ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି, ଯାହାଙ୍କ ଯୋଗୁ ବିଜେପି ପୂର୍ବରୁ ରାଜ୍ୟରେ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା।

Leave a Comment