ବିଧାନସଭା ନିର୍ବାଚନ: ବାଜିରେ ଲାଗିଥିଲେ ୫ କେନ୍ଦ୍ରମନ୍ତ୍ରୀ, ୧୪ ସାଂସଦ

Bartanews

ବିଧାନସଭା ନିର୍ବାଚନ: ବାଜିରେ ଲାଗିଥିଲେ ୫ କେନ୍ଦ୍ରମନ୍ତ୍ରୀ, ୧୪ ସାଂସଦ

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଏଥର ନୂଆ ରଣନୀତି ନେଇ ଅବତୀର୍ଣ୍ଣ ହୋଇଥିଲା। ପାର୍ଟି ୫ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୧୯ ଜଣ ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଇଥିଲା। ସେମାନଙ୍କୁ ଏଭଳି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରାଇଥିଲା, ଯେଉଁ ଆସନରେ ଗତ ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା। ଏହିସବୁ ନିର୍ବାଚନମଣ୍ଡଳୀ କଷ୍ଟସାଧ୍ୟ ଥିଲେ ମଧ୍ୟ ଦଳର ରଣନୀତି କାମ ଦେଇଛି। ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୧୦ ଜଣ ସାଂସଦ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟୀ ହୋଇଛନ୍ତି। ତେବେ ତେଲେଙ୍ଗାନାରେ ସମସ୍ତ ତିନି ଜଣ ସାଂସଦ ବିଧାନସଭା ନିର୍ବାଚନରେ ପରାଜିତ ହୋଇଛନ୍ତି। ମଧ୍ୟ ପ୍ରଦେଶରେ ‌ଜଣେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ହାରିଯାଇଛନ୍ତି।

ମଧ୍ୟପ୍ରଦେଶରେ ୩ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ୬ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। କେନ୍ଦ୍ର ମନ୍ତ୍ରୀ ଫଗନ ସିଂହ କୁଲାସ୍ତେ ପରାସ୍ତ ହୋଇଥିବା ବେଳେ ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ନରେନ୍ଦ୍ର ସିଂହ ତୋମର ନିର୍ବାଚିତ ହୋଇଛନ୍ତି। ଅନ୍ୟ ୩ ସାଂସଦ ରାକେଶ ସିଂହ, ଉଦୟ ପ୍ରତାପ ସିଂହ ଏବଂ ରିତି ପାଠକ ନିର୍ବାଚିତ ହୋଇଛନ୍ତି। ସେହିଭଳି ରାଜସ୍ଥାନ ନିର୍ବାଚନରେ ୭ ଜଣ ସାଂସଦଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ନରେନ୍ଦ୍ର କୁମାର, ଭାଗିରଥ ଚୌଧୁରୀ ଏବଂ ଦେବଜୀ ପଟେଲ ପରାସ୍ତ ହୋଇଥିବା ବେଳେ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼, ଦୀୟା କୁମାରୀ, କେ.ଏଲ୍‌. ମୀନା ଏବଂ ବାବା ବଲକନାଥ ବିଜୟୀ ହୋଇଛନ୍ତି। ଛତିଶଗଡ଼ରେ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ସାଂସଦଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଂସଦ ବିଜୟ ବାଘେଲ ପରାସ୍ତ ହୋଇଥିବା ବେଳେ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂହ ଏବଂ ଗୋମତି ସାଏ ନିର୍ବାଚିତ ହୋଇଛନ୍ତି। ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଥିଲା।
ତେଲେଙ୍ଗାନାରେ ବିଜେପି ଏହାର ତନି ସାଂସଦ ସଂଜୟ କୁମାର, ଡି. ଅରବିନ୍ଦ ଏବଂ ସୋୟମ ବାପୁ ରାଓଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେମା‌ନେ ସମସ୍ତେ ହାରିଯାଇଛନ୍ତି।

Leave a Comment