ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ

Bartanews

ବିଜୟଶଙ୍କରଙ୍କ ବିବାହ ଆବେଦନ ଖାରଜ

କଟକ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବିବାହ ଆଶା ମଉଳି ଯାଇଛି। କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସର ବିଜୟଶଙ୍କରଙ୍କ ବିବାହ ଦରଖାସ୍ତକୁ ଖାରଜ କରିଛନ୍ତି। ସ୍ପେଶାଲ ମ୍ୟାରେଜ ଆକ୍ଟରେ ବିବାହ ପଞ୍ଜୀକରଣ ପାଇଁ ବିଜୟଶଙ୍କର ଓ ଜଣେ ଯୁବତୀ ଦରଖାସ୍ତ ଦାଖଲ କରିଥିଲେ। ଏହି ଆବେଦନରେ ଦିଆଯାଇଥିବା ତଥ୍ୟ ତ୍ରୁଟିପୂର୍ଣ୍ଣ ଥିବାରୁ ମ୍ୟାରେଜ ଅଫିସର ଏହାକୁ ଖାରଜ କରିଥିବା ସୂଚନା ମିଳିଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବିଜୟଶଙ୍କର ଓ ଜଣେ ଯୁବତୀଙ୍କ ବିବାହ ପଞ୍ଜୀକରଣ ସଂପର୍କିତ ଦରଖାସ୍ତ ୨୦୨୩ ସେପ୍ଟେମ୍ବର ୨୧ରେ ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏ ନେଇ ଅବଗତ ହେବା ପରେ ଅକ୍ଟୋବର ୭ରେ ସୋମାଲିକା ଦାଶ କଚେରି ଛକ ନିକଟ ଜିଲ୍ଲା ସବ୍‌-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ କାର୍ଯ୍ୟ‌ାଳୟକୁ ବ୍ୟକ୍ତିଗତ ଭାବେ ଯାଇ ଆପତ୍ତି ଦାଖଲ କରିଥିଲେ। ବିବାହ ଆବେଦନ ସହିତ ବିଜୟଶଙ୍କର ଦେଇଥିବା କାଗଜପତ୍ର, ଠିକଣା, ବୟସ ଭୁଲ ବୋଲି ସୋମାଲିକା ଅଭିଯୋଗ କରିଥିଲେ। କିଛି ମାସ ତଳେ ତାଙ୍କ ସହିତ ବିଜୟ ଶଙ୍କର ବିବାହ ପାଇଁ ଦରଖାସ୍ତ କରିଥିଲେ।

ଏହାପରେ ତାଙ୍କ ବିରୋଧରେ ବିଭିନ୍ନ ଦଫାରେ ଜଗତସିଂହପୁର ଥାନାରେ ମାମଲା ହୋଇଥିଲା। ଏହି ମାମଲା ଏ ପର୍ଯ୍ୟନ୍ତ ସରି ନାହିଁ। ଏଭଳି ସ୍ଥିତିରେ ବିଜୟ ଶଙ୍କରଙ୍କୁ କେଉଁ ପରିସ୍ଥିତିରେ ବିବାହ ପାଇଁ ପୁଣି ଆବେଦନ କରିବାକୁ ଅନୁମତି ଦିଆଯାଇଛି ବୋଲି ସୋମାଲିକା ପ୍ରଶ୍ନ ଉଠାଇଥିଲେ। ଏଥି ସହିତ ବିବାହ ଦରଖାସ୍ତରେ ସଂପୃକ୍ତ ଯୁବତୀ ଅବିବାହିତ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଏହା ସତ୍ୟ ନୁହେଁ। ସଂପୃକ୍ତ ଯୁବତୀ ପୂର୍ବରୁ ବିବାହ କରିଥିଲେ ଓ ତାଙ୍କର ଛାଡ଼ପତ୍ର ହୋଇ ସାରିଥିବା ନେଇ ତଥ୍ୟ ସୋମାଲିକା କଟକ ମ୍ୟାରେଜ ଅଫିସରଙ୍କ ନିକଟରେ ଦାଖଲ କରିଥିଲେ। ଆପତ୍ତି ଦାଖଲ ପରେ ସୋମାଲିକା, ବିଜୟଶଙ୍କର ଓ ସଂପୃକ୍ତ ଯୁବତୀଙ୍କୁ ନଭେମ୍ବର ୭ରେ ହାଜର ହେବାକୁ ମ୍ୟାରେଜ ଅଫିସର ଅକ୍ଟୋବର ୩୧ରେ ନୋଟିସ୍ ଜାରି କରିଥିଲେ।

ନଭେମ୍ବର ୭ରେ ସୋମାଲିକା ହାଜର ହୋଇଥିଲେ। କିନ୍ତୁ ବିଜୟଶଙ୍କର ଓ ସଂପୃକ୍ତ ଯୁବତୀ ଆସି ନଥିଲେ। ଅନ୍ୟପକ୍ଷରେ ନଭେମ୍ବର ୩୦ରେ ବିଜୟଶଙ୍କରଙ୍କ ସହିତ ବିବାହ ପାଇଁ ଦରଖାସ୍ତ କରିଥିବା ଯୁବତୀଙ୍କ ପୂର୍ବତନ ସ୍ବାମୀ ତୃପ୍ତିରଂଜନ ରାଉଳ ମ୍ୟାରେଜ ଅଫିସରଙ୍କ ନିକଟରେ ହାଜର ହୋଇ ଏ ସଂପର୍କିତ ତଥ୍ୟ ଦାଖଲ କରିଥିଲେ। ସଂପୃକ୍ତ ଯୁବତୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇ ସାରିଥିବା ଶ୍ରୀ ରାଉଳ ଦର୍ଶାଇଥିଲେ। ଏଥି ସହିତ ବିବାହ ବିଚ୍ଛେଦ ସଂପର୍କିତ ଅଦାଲତଙ୍କ ନିର୍ଦ୍ଦେଶନାମାର କପି ସେ ଦାଖଲ କରିଥିଲେ। ଏହାପରେ ସୋମାଲିକାଙ୍କ ଆପତ୍ତି ଓ ଦାଖଲ ନଥିପତ୍ରକୁ ବିଚାରକୁ ନେଇ ମ୍ୟାରେଜ ଅଫିସର ବିଜୟଶଙ୍କରଙ୍କ ବିବାହ ଦରଖାସ୍ତକୁ ଖାରଜ କରିଥିବା ସୂଚନା ମିଳିଛି।

Leave a Comment