ବାପାଙ୍କ ସ୍ବପ୍ନ ସାକାର ଲକ୍ଷ୍ୟରେ ଜ୍ୟୋତି: ପ୍ରଥମ ଅଣଅନୁସୂଚିତ ବର୍ଗର ଅନ୍ତର୍ଜାତୀୟ ହକି ଖେଳାଳି

Bartanews

ବାପାଙ୍କ ସ୍ବପ୍ନ ସାକାର ଲକ୍ଷ୍ୟରେ ଜ୍ୟୋତି: ପ୍ରଥମ ଅଣଅନୁସୂଚିତ ବର୍ଗର ଅନ୍ତର୍ଜାତୀୟ ହକି ଖେଳାଳି

ରାଉରକେଲା: ଦଶମ କନିଷ୍ଠ ମହିଳା ହକି ବିଶ୍ବକପ୍‌ ଚିଲିର ସାଣ୍ଟିଆଗୋରେ ଚାଲିଛି। ଏଥିରେ ପ୍ରତିନିଧିତ୍ବ କରିଥିବା ୧୮ ଜଣିଆ ଭାରତୀୟ ଦଳରେ ଓଡ଼ିଶାରୁ ପାଞ୍ଚଜଣ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶାର ହକି ଖେଳାଳିଙ୍କ ସଂପର୍କରେ ଏକ ସାଧାରଣ ଧାରଣା ଯେ ସମସ୍ତ ଖେଳାଳି ସୁନ୍ଦରଗଡ଼ ଜିଲ୍ଲାର ଓ ଆଦିବାସୀ ସଂପ୍ରଦାୟର ହୋଇଥିବେ। ହେଲେ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମସ୍ତ ଖେଳାଳି ସୁନ୍ଦରଗଡ଼ ଜିଲ୍ଲାର ହୋଇଥିଲେ ବି ସମସ୍ତେ ଆଦିବାସୀ ନୁହନ୍ତି। ଏହି ଦଳରେ ପ୍ରତିନିଧିତ୍ବ କରୁଥିବା ରାଉରକେଲାର ଜ୍ୟୋତି ଛତ୍ରୀ ଅଣଆଦିବାସୀ ଓ ସାଧାରଣ ବର୍ଗର। ଏଥି ସହ ସେ ସାଧାରଣ ବର୍ଗରୁ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହକି ଖେଳାଳି ହେବାର ଗୌରବ ଲାଭ କରିଛନ୍ତି। ପୂର୍ବରୁ ପୁରୁଷ ବର୍ଗରେ ପ୍ରତିନିଧିତ୍ବ କରିଥିବା ଅଲିମ୍ପିଆନ୍ ଅମିତ ରୋହିଦାସ ଅଣଆଦିବାସୀ ହୋଇଥିଲେ ହେଁ, ଅନୁସୂଚିତ ଜାତିର ପ୍ରତିନିଧିତ୍ବ କରୁଥିଲେ। କିନ୍ତୁ ଜ୍ୟୋତିଙ୍କ ସହ ସୁନ୍ଦରଗଡ଼ର ଆଦିବାସୀଙ୍କ ପାରମ୍ପରିକ ​ଖେଳ ଭାବେ ପରିଚିତ ହକିରେ ଅନ୍ୟ ସାଧାରଣ ବର୍ଗର ପ୍ରବେଶ ହୋଇଛି।

ମିଡ୍‌ଫିଲଡର୍‌ ଭାବେ ଖେଳୁଥିବା ୨୦ ବର୍ଷୀୟା ଜ୍ୟୋତି ଗୁର୍‌ଖା (ନେପାଳୀ) ସମୁଦାୟରୁ ଆସିଛନ୍ତି। ଅନ୍ତର୍ଜାତୀୟ ହକିରେ ଭାରତର ପ୍ରତିନିଧିତ୍ବ କରିବାରେ ମଧ୍ୟ ସେ ପ୍ରଥମ ଗୁର୍‌ଖା ଝିଅ। ରାଉରକେଲାସ୍ଥ ପାନ୍‌ପୋଷ ହକି ଛାତ୍ରାବାସ ନିକଟରେ ଜ୍ୟୋତିଙ୍କ ଘର। ପିଲାଦିନୁ ସେ ଛାତ୍ରାବାସରେ ପୁଅ, ଝିଅମାନଙ୍କୁ ହକି ଅଭ୍ୟାସ କରିବା ଦେଖି ଆସିଥିଲେ। ଏଥିରୁ ତାଙ୍କର ଏହି ଖେଳ ପ୍ରତି ଆଗ୍ରହ ଜନ୍ମିଥିଲା। ନିଜେ ଜଣେ ହକି ଖେଳାଳି ଥିବା ବଡ଼ଭାଇ ସୂରଜ ସିଂହ ଜ୍ୟୋତିଙ୍କୁ କ୍ରୀଡ଼ା ଛାତ୍ରାବାସରେ ପ୍ରବେଶ ନିମନ୍ତେ ପ୍ରତିଭା ଚୟନ ଶିବିରରେ ଭାଗ ନେବାକୁ ପ୍ରେରିତ କରିଥିଲେ। ଚୟନ ଶିବିରରେ ଭଲ ପ୍ରଦର୍ଶନ କରି ଜ୍ୟୋତି ୨୦୧୪ରେ ପାନ୍‌ପୋଷ ହକି ଛାତ୍ରାବାସରେ ପ୍ରବେଶ ପାଇଥିଲେ।

ଜ୍ୟୋତିଙ୍କ ପ୍ରଥମ ପ୍ରଶିକ୍ଷକ ଥିଲେ ଫ୍ଲୋରେନ୍‌ସିଆ ଏକ୍କା। ତାଙ୍କ ତତ୍ତ୍ବାବଧାନରେ ଜ୍ୟୋତିଙ୍କ ପ୍ରତିଭା ବିକଶିତ ହେଲା ଓ ସେ ପ୍ରଥମ ବର୍ଷ ହିଁ ଛାତ୍ରାବାସ ଦଳ ଓ ରାଜ୍ୟ ଉପକନିଷ୍ଠ ଦଳରେ ସ୍ଥାନ ପାଇଲେ। ତା’ପରଠାରୁ ସେ ନିୟମିତ ରାଜ୍ୟ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଦଳରୁ ଖେଳି ଆସୁଛନ୍ତି। ଗତ ବର୍ଷ ସେ ପ୍ରଥମ କରି ଅନ୍ତର୍ଜାତୀୟ ସୁଯୋଗ ପାଇଥିଲେ। ଆୟର୍ଲାଣ୍ଡର ଡବଲିନ୍‌ରେ ଅନୁଷ୍ଠିତ ୨୩ ବର୍ଷରୁ କମ୍ ପଞ୍ଚରାଷ୍ଟ୍ରୀୟ ହକି ପ୍ରତିଯୋଗିତାରେ ସେ ଭାରତୀୟ ଦଳରେ ସ୍ଥାନ ପାଇଲେ। ଏହି ଦଳ ରୌପ୍ୟ ପଦକ ଜିତିଥିଲା। ପରେ ଜାପାନରେ ଅନୁଷ୍ଠିତ କନିଷ୍ଠ ଏସିଆ କପ୍‌ ପ୍ରତିଯୋଗିତାରେ ଭାଗନେଇ ଜ୍ୟୋତି ପ୍ରଭାବୀ ପ୍ରଦର୍ଶନ କରିଥିଲେ ଓ ଭାରତ ସ୍ବର୍ଣ୍ଣ ପଦକ ଜିତି ପାରିଥିଲା। କନିଷ୍ଠ ଦଳରେ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁ ତାଙ୍କୁ ବରିଷ୍ଠ ଦଳରେ ସାମିଲ କରାଗଲା। ଭାରତୀୟ ବରିଷ୍ଠ ମହିଳା ଦଳ ସହ ସେ ଜର୍ମାନି ଓ ସ୍ପେନ୍ ଗସ୍ତରେ ମଧ୍ୟ ଯାଇଥିଲେ।

ଜ୍ୟୋତିଙ୍କ ସଂପର୍କରେ ତାଙ୍କର ପ୍ରଥମ ପ୍ରଶିକ୍ଷକ ଫ୍ଲୋରେନ୍‌ସିଆ ଏକ୍କା କହନ୍ତି, ସେ ବହୁତ ପରିଶ୍ରମୀ ଓ ଶିଖିବାର ମନୋବୃତ୍ତି ରଖିଥିବା ଖେଳାଳି। ନିଜର ମନୋବଳ, ଇଚ୍ଛାଶକ୍ତି ଓ ପରିଶ୍ରମ ଯୋଗୁ ହିଁ ସଫଳତାର ପାହାଚ ଚଢ଼ିଛି। ସେ ଭବିଷ୍ୟତରେ ଜାତୀୟ ମହିଳା ଦଳର ନିୟମିତ ସଦସ୍ୟ ହେବେ ବୋଲି ​ଶ୍ରୀମତୀ ଏକ୍କା ଆଶା ପ୍ରକାଶ କରିଛନ୍ତି। ବର୍ତ୍ତମାନ ଜ୍ୟୋତି ତାଲିମ ନେଉଥିବା ଓଡ଼ିଶା ନଭାଲ୍ ଟାଟା ହକି ଉଚ୍ଚପ୍ରଦର୍ଶନ କେନ୍ଦ୍ର ଭୁବନେଶ୍ବରର ନିର୍ଦ୍ଦେଶକ ରାଜୀବ ସେଠଙ୍କ ମତରେ ଜ୍ୟୋତି ଜଣେ ଦକ୍ଷ ଓ କୁଶଳୀ ଖେଳାଳି। ସେ ବେଶ୍‌ ସାହସୀ ଓ ଲଢ଼ୁଆ ମନୋବୃତ୍ତି ରଖନ୍ତି। ଗତ ୨ ବର୍ଷରେ ସେ ଅନେକ ପରିପକ୍ବ ହୋଇଛନ୍ତି ଓ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ରହିଛି। ମନପ୍ରୀତ ସିଂହ ଏବଂ ସୁଶୀଳା ଚାନୁଙ୍କୁ ନିଜ ଆଦର୍ଶ ଖେଳାଳି ଭାବେ ଗ୍ରହଣ କରିଥିବା ଜ୍ୟୋତି ‘ସମ୍ବାଦ’ ସହ କଥା ହେବାବେଳେ କହିଛନ୍ତି ଯେ, ବିଶ୍ବକପ୍‌ ପଦାର୍ପଣ ମୋ ପାଇଁ ଖୁସି ଓ ଗୌରବ ଆଣିଛି। ଭଲ ପ୍ରଦର୍ଶନ କରିଥିଲେ ବି ଆମେ ଆଗକୁ ବଢ଼ିପାରିନୁ। ଭବିଷ୍ୟତରେ ପଦକ ଜିତି ମୁଁ ମୋ ବାପାଙ୍କ ସ୍ବପ୍ନକୁ ପୂରା କରିବାକୁ ଚାହିଁବି।’’ ସୂଚନାଯୋଗ୍ୟ, ଭାରତ କନିଷ୍ଠ ମହିଳା ହକି ବିଶ୍ବକପ୍‌ରେ ନିଜ ଗ୍ରୁପ୍‌ର ୩ ମ୍ୟାଚ୍‌ରୁ ୧ ବିଜୟ, ୨ ପରାଜୟ ସହ କ୍ବାର୍ଟରଫାଇନାଲ୍‌ରୁ ବଞ୍ଚିତ ହୋଇଛି।

Leave a Comment