ବାତ୍ୟା ପାଇଁ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଗୋଟିଏ ଗେଟ୍ ଖୋଲିଲା

Bartanews

ବାତ୍ୟା ପାଇଁ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଗୋଟିଏ ଗେଟ୍ ଖୋଲିଲା

ଜୟପୁର: ସାମୁଦ୍ରିକ ବାତ୍ୟା ‘ମିଗଜୋମ’ର ପ୍ରଭାବକୁ ଦୃଷ୍ଟିରେ ରଖି ଜୟପୁର ବ୍ଲକର ରାଣୀଗଡ ନିକଟରେ ଥିବା ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଗୋଟିଏ ଗେଟକୁ ଖୋଲିଥିବା କହିଛନ୍ତି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରଦୀପ କୁମାର ସେନାପତି ଓ ମୁଖ୍ୟନିର୍ମାଣ ଯନ୍ତ୍ରୀ ଇଂ. ଶତ୍ରୁଘ୍ନ ମହାରାଣା। ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜୟପୁର ତହସିଲଦାର ଡ.ମୋନଲିସା ଆଚାର୍ଜୀ, ବରିଷ୍ଠ ପରିଦର୍ଶକ ହରିହର ଶତପଥୀ ପ୍ରକଳ୍ପ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ। ତଳ ମୁଣ୍ଡରେ ଥିବା ବିଭିନ୍ନ ଗାଁକୁ ବୁଲି ସଚେତନତା ସୃଷ୍ଟି କରିଥିଲେ। ନଦୀ ମଧ୍ୟକୁ  ମଣିଷ କିମ୍ବା ପଶୁସଂପଦକୁ ନ ନେବାକୁ ପରାମର୍ଶ ଦେଇଥିଲେ। ନଦୀ ପାର୍ଶ୍ବରେ ଥିବା ଜମି ଗୁଡ଼ିକରେ ଥିବା ଧାନ ତୁରନ୍ତ କାଟି ଅମଳ କରି ନେବାକୁ ପରାମର୍ଶ ଦେଇଥିଲେ। ‌ସୋମବାର ଠାରୁ ୪କ୍ୟୁମେକ୍ସ ପାଣି ଛଡ଼ା ଯାଉଥିବା କହିଛନ୍ତି ଇଂ ସେନାପତି । ଗୋଟିଏ ଗେଟରୁ ପାଣି ଛାଡ଼ିବା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ବାତ୍ୟା ‘ମିଗଜୋମ’ର ପ୍ରଭାବରେ ୭୦ରୁ ୧୦୦ମିଲିମିଟର ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗରୁ ସୂଚନା ପାଇଥିଲେ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଅଧିକାରୀ।

 

ତେବେ ପ୍ରକଳ୍ପରେ ଜଳଧାରଣା କ୍ଷମତା ୬୩୩ମିଟର ରହିଛି। ତେବେ ସଂପ୍ରତି ୬୩୨.୫ମିଟର ପାଣି ରହିଥିବାରୁ ପାଣି ନିଷ୍କାସନ ଆରମ୍ଭ କରାଯାଇଛି। ଜଳଭଣ୍ଡାର କ୍ଷମତା ରଖିବାକୁ ଥିବା ଏସଓପିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରେ କ୍ଷମତାର ୮୦ପ୍ରତିଶତ ପାଣି ଜମା କରି ରଖିବା କଥା। ପରିସ୍ଥିତିକୁ ଦେଖି ପୂର୍ବରୁ ଯୋଜନା କରି ପାଣି ନଛାଡ଼ିଲେ ପରେ ହଇରାଣ ହେବାକୁ ପଡ଼ିପାରେ, ଏହି ଦୃଷ୍ଟିକୋଣରୁ ପାଣି ଛଡ଼ାଯାଇଛି ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ଇଂ.ମହାରାଣା। ଜଳଭଣ୍ଡାରର କ୍ଷମତା ୬୩୧ମିଟରେ ରଖିବା ସହ ଆଗାମୀ ଦିନରେ ରବିଚାଷ ପାଇଁ ୪୨୧୪ହେକ୍ଟର ଜମିରେ ୧୨ଟି ସବକେନାଲରେ ପାଣି ଯୋଗାଯିବା ଲକ୍ଷରହିଛି। ତେଣୁ ପାଣି ଗୋଟିଏ ଗେଟରୁ ଛଡ଼ାଯାଉଛି ବୋଲି କହିଛନ୍ତି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ.ସେନାପତି। ଆଜି, ଆସନ୍ତାକାଲିର ବାତ୍ୟା ଓ ଉପରମୁଣ୍ଡର ବର୍ଷାର ସ୍ଥିତିକୁ ପରଖିବା ସହ ଏସଓପି ଅନୁଯାୟୀ କେତେ ପାଣି ଜଳଭଣ୍ଡାରରେ ରହିଛି ତାହାକୁ ତଦାରଖ କରିବା ପରେ ଗେଟ୍ ଖୋଲା ରଖିବେ ନାଁ ବନ୍ଦ ରଖାଯିବ ସେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ।   ପାଣି ଛଡ଼ାଯିବା ପରେ ତଳମୁଣ୍ଡରେ କେତେ ପାଣି ପହଚିଂଛି ତାହାର ଅନୁଧ୍ୟାନ ତହସିଲଦାର ଡ.ଆଚାର୍ଜୀ ଓ ବରିଷ୍ଠ ପରିଦର୍ଶକ ଶତପଥୀ କରିଥିଲେ। ତଳମୁଣ୍ଡରେ ଥିବା ଗ୍ରାମାଂଚଳର ଲୋକଙ୍କୁ ଡାକି ସଚେତନତା ସୃଷ୍ଟି କରିଥିବା ତହସିଲ ପକ୍ଷରୁ ସୂଚନା ମିଳିଛି।

Leave a Comment