ବାଇଜୁ ସଂକଟ: କର୍ମଚାରୀଙ୍କୁ ଦରମା ଦେବାକୁ ମାଲିକଙ୍କୁ ଘର ବନ୍ଧକ ରଖିବାକୁ ପଡ଼ିଲା

Bartanews

ବାଇଜୁ ସଂକଟ: କର୍ମଚାରୀଙ୍କୁ ଦରମା ଦେବାକୁ ମାଲିକଙ୍କୁ ଘର ବନ୍ଧକ ରଖିବାକୁ ପଡ଼ିଲା

ନୂଆଦିଲ୍ଲୀ: ଏଡେଟେକ୍ କମ୍ପାନୀ ବାଇଜୁ ବର୍ତ୍ତମାନ କଷ୍ଟଦାୟକ ସମୟ ଦେଇ ଗତି କରୁଛି। କମ୍ପାନୀର ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ପରିସ୍ଥିତି ଏପରି ଯେ କମ୍ପାନୀର କର୍ମଚାରୀମାନଙ୍କୁ ଦରମା ଦେବା ପାଇଁ ମଧ୍ୟ ମାଲିକଙ୍କ ନିକଟରେ ଅର୍ଥ ନାହିଁ। ଦେଶର ଏହି ଅଗ୍ରଣୀ ଏଡଟେକ୍ କମ୍ପାନୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନବ‌ାଚୀ।

ତେବେ କମ୍ପାନୀକୁ ଏହି ସଙ୍କଟରୁ ମୁକ୍ତ କରିବା ପାଇଁ ବାଇଜୁଙ୍କ ପ୍ରତିଷ୍ଠାତା ଏକ ବଡ ପଦକ୍ଷେପ ନେଇଛନ୍ତି। କମ୍ପାନୀର ପ୍ରତିଷ୍ଠାତା ବାଇଜୁ ରବିନ୍ଦରନ୍‌ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରବିନ୍ଦରନ୍‌ କର୍ମଚାରୀଙ୍କ ଦରମା ଦେବା ପାଇଁ ତାଙ୍କ ଘର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଘରକୁ ବନ୍ଧକ ରଖିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ବାଇଜୁ ପ୍ରତିଷ୍ଠାତା ତାଙ୍କ ଘରକୁ ପ୍ରାୟ ୧୨ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୦୦ କୋଟି ଟଙ୍କାର ଋଣ ବିନିମୟରେ ବନ୍ଧକ ରଖିଛନ୍ତି। ଏପରି ଏକପଦକ୍ଷେପ ଗ୍ରହଣ କରି ସେ କର୍ମଚାରୀମାନଙ୍କୁ ଦରମା ଦେଇଛନ୍ତି। ଖବର ଅନୁଯାୟୀ, କମ୍ପାନୀର ପ୍ରାୟ ୧୫ ହଜାର କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଇଛି।

ଏକ ସମୟ ଥିଲା ଯେତେବେଳେ ବାଇଜୁକୁ ଦେଶର ସବୁଠାରୁ ଦାମୀ ବୈଷୟିକ ଷ୍ଟାର୍ଟଅପ୍ ବୋଲି କୁହାଯାଉଥିଲା। ବର୍ତ୍ତମାନ କମ୍ପାନୀର ଆର୍ଥିକ ଅବସ୍ଥା ଖରାପ ଅଛି। ଏହି ସମସ୍ୟାକୁ ଦୂର କରିବା ପାଇଁ କମ୍ପାନୀ ତାହାର ଆମେରିକୀୟ ଡିଜିଟାଲ ପଠନ ପ୍ଲାଟଫର୍ମକୁ ୪୦୦ ମିଲିୟନ ଡଲାରରେ ବିକ୍ରି କରିବାର ପ୍ରକ୍ରିୟା ଆରମ୍ଭ କରିଛି।

ବାଇଜୁ ୧.୨ ବିଲିୟନ ଡଲାରର ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ଏହି ସଙ୍କଟ ଆରମ୍ଭ ହୋଇଛି। ତେବେ କମ୍ପାନୀ କିମ୍ବା ରବିନ୍ଦ୍ରନଙ୍କ କାର୍ଯ୍ୟାଳୟ ବାଇଜୁ ପ୍ରତିଷ୍ଠାତାଙ୍କ ଘର ବନ୍ଧକ ରଖି ଟଙ୍କା ଆଣିଥିବା ବିଷୟରେ ଏପର୍ଯ୍ୟନ୍ତ କିଛି କହିନାହାନ୍ତି।

 

Leave a Comment