ପୁସ୍ତକ ମହୋତ୍ସବ ‘ଅକ୍ଷର’ର ତୃତୀୟ ଦିବସ: ‘ଆଦିବାସୀ ଭାଷାରେ ଲିଖିତ ଶ୍ରେଷ୍ଠ ପୁସ୍ତକକୁ ପୁରସ୍କୃତ କରିବ ସାହିତ୍ୟ ଏକାଡେମି’

Bartanews

ପୁସ୍ତକ ମହୋତ୍ସବ ‘ଅକ୍ଷର’ର ତୃତୀୟ ଦିବସ: ‘ଆଦିବାସୀ ଭାଷାରେ ଲିଖିତ ଶ୍ରେଷ୍ଠ ପୁସ୍ତକକୁ ପୁରସ୍କୃତ କରିବ ସାହିତ୍ୟ ଏକାଡେମି’

ଭୁବନେଶ୍ବର: ଆଜି ରବିବାର ଥିବାରୁ ପଞ୍ଚମ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ରେ ପୁସ୍ତକପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସଂଧ୍ୟାରେ ମେଳାର ମୁଖ୍ୟ ମଞ୍ଚରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ‘ଓଡ଼ିଶାର ଜନଜାତି ଭାଷା: ସମସ୍ୟା ଓ ସମାଧାନ’ ଶୀର୍ଷକ ବିଷୟ ଉପରେ ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା ଓ ଡ. ବିଜୟ ଉପାଧ୍ୟାୟ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ କଥାକାର ବିଜୟ ନାୟକଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ଏକାଡେମିର ସଭାପତି ସମ୍ବର୍ଧିତ କରିଥିଲେ।

ଡ. ବେଶ୍ରା ତାଙ୍କ ବକ୍ତବ୍ୟରେ କହିଲେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆଦିବାସୀ ଭାଷାରେ ଲିଖିତ ଶ୍ରେଷ୍ଠ ପୁସ୍ତକକୁ ପୁରସ୍କୃତ କରାଯିବା ଉଚିତ। ଏହା ହେଲେ ଆଦିବାସୀ ଲେଖକମାନେ ଉତ୍ସାହିତ ହେବେ। ଡ. ଉପାଧ୍ୟାୟ କହିଲେ ଓଡ଼ିଶାର ବହୁ ଆଦିବାସୀ ଭାଷା ଏବେ ଲୁପ୍ତପ୍ରାୟ। ଏହାର ସୁରକ୍ଷାକୁ ସରକାର ପ୍ରାଥମିକତା ଦେବା ଆବଶ୍ୟକ। ଶ୍ରୀ ନାୟକ ସମ୍ବର୍ଧନାର ଉତ୍ତରରେ କହିଥିଲେ ଯେ ଓଡ଼ିଆ ଅସ୍ମିତାର ସୂକ୍ଷ୍ମ ବିକାଶ ହେଉଛି ତା’ର ସାଂସ୍କୃତିକ ବିକାଶ। ପୁସ୍ତକ ମେଳା ଏ ଦିଗରେ ଏକ ଅଭିନନ୍ଦନୀୟ ପଦକ୍ଷେପ। ଏକାଡେମି ସଭାପତି ଚଳିତ ବର୍ଷଠାରୁ ଆଦିବାସୀ ଭାଷାର ପୁସ୍ତକକୁ ଏକାଡେମି ପକ୍ଷରୁ ପୁରସ୍କୃତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ। ଏକାଡେମି ପ୍ରକାଶିତ ପୁସ୍ତକ ‘ଓଡ଼ିଶାର ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ’ ଏବଂ ଫକୀରମୋହନ ସେନାପତିଙ୍କ ‘ଲଛମା’ ଉପନ୍ୟାସର ଇଂରାଜୀ ଅନୁବାଦ ସହିତ ମାଲକାନଗିରିର ଯୁବ କବି ବଳରାମ ପୂଜାରୀଙ୍କ କବିତା ପୁସ୍ତକ ‘କୋଣ୍ଡାକାମ୍ବେରୁ ଖୁଆଡ଼’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏକାଡେମିର ସଚିବ ସୁବୋଧ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଦେଇଥିଲେ। ଦେବାଶିଷ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Comment