ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

Bartanews

ଦୋକାନରୁ ଲୁଟିନେଲେ ୨୨ ଲକ୍ଷର ମୋବାଇଲ; ସିସି କ୍ୟାମେରାରେ ୨ ଚୋର କଏଦ

ରାଉରକେଲା: କୋଏଲନଗର ଝିରପାଣି ମାର୍କେଟସ୍ଥ ଏକ ମୋବାଇଲ ଦୋକାନରୁ ବଡଧରଣର ଚୋରି ହୋଇଛି। ଦୁଇ ଚୋର ଭେଣ୍ଟିଲେଟର ଭାଙ୍ଗି ଦୋକାନରୁ ୧୦ଟି କି ୨୦ ଟି ମୋବାଇଲ ନୁ‌ହେଁ ନାମୀଦାମୀ କମ୍ପାନିର ୯୭ଟି ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଦୁଇ ଚୋରଙ୍କ ଚୋରିର ଦୃଶ୍ୟ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ରାତି ପ୍ରାୟ ୧ ଟାରୁ ୨ଟା ପର୍ଯ୍ୟନ୍ତ ଦୁଇ ଚୋର ଦୋକାନ ଭିତରେ ରହିଥିଲେ। ଏତେ ସମୟ ଚୋରି କରିଥିଲେ ହେଁ, କେହି ଏମାନଙ୍କ ଟେର୍‌ ପାଇ ପାରିନଥିଲେ। ଆଜି ସକାଳେ ଝିରପାଣି ପୁଲିସ, ସନ୍ଧାନୀକୁକୁର, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ ଓ ସନ୍ଧାନୀକୁକୁର ଚୋରମାନଙ୍କୁ ଠାବ କରିପାରିନାହାନ୍ତି।

ଚୋର ଗ୍ୟାଙ୍ଗରେ ଦୁଇ ଚୋରଙ୍କ ସହ ଅନ୍ୟ କିଛି ଚୋର ଥିବା ଅନୁମାନ କରାଯାଉଛି। ଦୋକାନ ଖୋଲିବାର ମାତ୍ର ୧୦ ଦିନ ପରେ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ବଡଧରଣର ଚୋରି ଘଟଣାର, ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡା କରିଛି। ଦୋକାନ ମାଲିକ ଚନ୍ଦନ କୁମାର ଝାଙ୍କ ଲିଖିତ ଅଭିଯୋଗ ଓ ପାଖଦୋକାନୀଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଚଳାଇଛି। ବାସନ୍ତୀକଲୋନିର ଚନ୍ଦନ କୁମାର ଝା ଗତ ୧୦ରେ ଝିରପାଣି ମାର୍କେଟରେ ‘ଦ ଫୋନ୍‌ ଜୋନ୍‌’ ନାମରେ ନୂଆ ଦୋକାନ ଖୋଲିଥିଲେ। ଦୋକାନରେ ମୋବାଇଲ ସହ ଟିଭି, ଫ୍ରିଜ୍‌, ୱାସିଂ ମେସିନ୍‌ ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି କରୁଥିଲେ। ପ୍ରତିଦିନ ପରି ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।

ଆଜି ସକାଳ ପ୍ରାୟ ୧୦ଟାରେ ସମସ୍ତ କର୍ମଚାରୀ ପହଞ୍ଚିବା ପରେ ଦୋକାନ ଖୋଲିଥିଲେ। ଭେଣ୍ଟିଲେଟର ଭଙ୍ଗାଯିବା ସହ ଦୋକାନରେ ଗୋଟିଏ ବି ମୋବାଇଲ ନଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ଝିରପାଣି ଥାନାକୁ ସୂଚନା ଦେଇଥିଲେ। ଝିରପାଣି ପୁଲିସଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୋକାନରେ ଲାଗିଥିବା ସିସି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରିଥିଲେ। ସିସି କ୍ୟାମେରା ଫୁଟେଜ ଅନୁଯାୟୀ ରାତି ପ୍ରାୟ ୧୨ଟା ୨୦ ମିନିଟ୍‌ରେ ଦୁଇ ଚୋର ଦୋକାନ ପଛ ପାର୍ଶ୍ବରେ ପହଞ୍ଚିଥିଲେ। ୪୦ ମିନିଟ୍‌ ପରିଶ୍ରମ କରି ଦୋକାନ ବିଲ୍‌ଡିଂର ଭେଣ୍ଟିଲେଟରକୁ ଭାଙ୍ଗିଥିଲେ। ରାତି ୧ଟାରେ ଜଣେ ପରେ ଜଣେ ଦୋକାନ ଭିତରକୁ ପଶିଥିଲେ। ମୋବାଇଲ ଖୋଳଗୁଡ଼ିକ ଫୋପାଡ଼ି ଦେଇ ମୋବାଇଲଗୁଡ଼ିକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରିଥିଲେ। ୭ଟି ଆଇ ଫୋନ୍‌ ସହ ପ୍ରାୟ ୯୭ଟି ମୋବାଇଲ ନେବା ପରେ ଭେଣ୍ଟିଲେଟର ଦେଇ ଦୋକାନରୁ ଚମ୍ପଟ ମାରିଥିଲେ।

Leave a Comment